ହୋଟେଲରୁ ବିରଳ ପାଟ ମୂଷା ଉଦ୍ଧାର

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଛକରେ ରହିଥିବା ହୋଟେଲ ରାଜପୁତରେ ଏକ ବିରଳ ପାଟ ମୂଷାକୁ ପଞ୍ଜୁରୀ ଭିତରେ ବନ୍ଦୀ କରି ରଖାଯାଇଥିଲା । ହୋଟେଲରେ ଖାଇବାକୁ ଆସୁଥିବା ଅତିଥିଙ୍କ ମନୋରଞ୍ଜନ କରୁଥିଲା ସେହି ପାଟ ମୂଷା। ଏସଂପର୍କରେ ଖବର ପାଇ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ରାଜ୍ୟର ବନ୍ୟ ପ୍ରାଣୀ ସିସିଏଫ ମନୋଜ ନାୟାରଙ୍କୁ ପ୍ରମାଣ ସହିତ ଅଭିଯୋଗ କରିଥିଲେ । ମନୋଜ ନାୟାରଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରଳାଖେମୁଣ୍ଡି ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡିଏଫଓ ଏସ.ଆନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ ଅଶୋକ କୁମାର ବେହେରା ୨୪ ଘଣ୍ଟା ନ ପୂରୁଣୁ ଶନିବାର ହୋଟେଲ ରାଜପୁତରେ ଚଢ଼ାଉ କରି ସେହି ବିରଳ ପାଟ ମୂଷାକୁ ଉଦ୍ଧାର କରିବା ସହିତ ଖମାରୀ ଗାଁ ନିବାସୀ ଢ଼ାବା ମାଲିକ ଭରତ ସାହୁ(ଭାଲୁ)ଙ୍କୁ ଉଠାଇ ଆଣି ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପାରଳାଖେମୁଣ୍ଡି ବନ ବିଭାଗ ।

ସୂଚନାଯୋଗ୍ୟ, ଭାରତୀୟ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ୍ ୧୯୭୨ ଆକ୍ଟ ସିଡ୍ୟୁଲ ୧ ପ୍ରାଣୀ ନିୟମ ଅନୁଯାୟୀ ଏହାକୁ ବନ୍ଦୀ କରି ରଖିଲେ ୭ ବର୍ଷ ଜେଲଦଣ୍ଡ ସହିତ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦଣ୍ଡ ପ୍ରାବଧାନ ରହିଛି । ଉଦ୍ଧାର ବିରଳ ପ୍ରାୟ ପାଟ ମୂଷାକୁ ନନ୍ଦନକାନନ ଚିଡ଼ିଆଖାନାକୁ ନିଆଯାଇ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ଏସିଏଫ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଏଭଳି ପାଟ ମୂଷା ସାଧାରଣତଃ ଘୁମୁସର ବନାଞ୍ଚଳରେ ଦେଖାଯାଉଥିବା ଜଣାପଡିଛି।

Comments are closed.