mission shakti banner

ରାଜ୍ୟସଭା ନିର୍ବାଚନ ଏସପି-ବିଏସପିର ମେଣ୍ଟକୁ ଦୃଢ କରିଛି: ଅଖିଳେଶ

BSKY banner  750×100
0

ଲଣ୍ଡନ : ନିକଟରେ ଶେଷ ହୋଇଥିବା ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି)ର ମେଣ୍ଟକୁ ଦୃଢ କରିଛି ବୋଲି ଅଖିଳେଶ ଯାଦବ କହିଛନ୍ତି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସପି ମୁଖ୍ୟ ଅଖିଳେଶ କହିଛନ୍ତି ଯେ ଏହି ରାଜ୍ୟସଭା ନିର୍ବାଚନ ବିଜେପିର ଦଳିତ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ଆଗାମୀ ଲୋକସଭା ନିର୍ବାଚନରେ ବିଜେପିର ଦଳିତ ବିରୋଧୀ ମନୋଭାବକୁ ପଦାକୁ ଅଣାଯିବ। ବିଜେପି ଏବେ ଦଳିତଙ୍କ ବିରୋଧରେ ଷଡଯନ୍ତ୍ର ଚଳାଇଛି। ରାଜ୍ୟସଭା ନିର୍ବାଚନରେ ବିଜେପି ତାର ନବମ ଆସନ ପାଇଁ ବିଏସପିର ଭୀମରାଓ ଆମ୍ବେଦକରଙ୍କ ସହିତ ଲଢେଇ କରିଥିଲା। ବିଏସପିର ଆମ୍ବେଦକରଙ୍କ ବିରୋଧରେ ବିଜେପି ଅନିଲ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ଅଖିଳେଶ ଅଭିଯୋଗ କରିଛନ୍ତି ଯେ ଦଳିତ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ନଦେବା ଲାଗି ବିଜେପି ଷଡଯନ୍ତ୍ର କରିଥିଲା। ଅର୍ଥ ଓ ବାହୁବଳ ସହିତ ସବର୍ଣ୍ଣଙ୍କୁ ଧରି ବିଜେପି ଦଳିତଙ୍କ ବିରୋଧରେ ଷଡଯନ୍ତ୍ର କରି ଏହି ରାଜ୍ୟସଭା ଆସନରେ ବିଜୟୀ ହୋଇଛି। ତେଣୁ ଆଗାମୀ ଦିନରେ ବିଜେପିର ଏହି ଦଳିତ ବିରୋଧୀ ମନୋଭାବକୁ ପଦାକୁ ଅଣାଯିବ ବୋଲି ଅଖିଳେଶ କହିଛନ୍ତି। ଏଥିପାଇଁ ଏସପି ଓ ବିଏସପି ଏକଜୁଟ୍‌ ହୋଇ କାମ କରିବେ। ଗତ ଲୋକସଭା ଉପନିର୍ବାଚନରେ ଏସପି-ବିଏସପି ମେଣ୍ଟ ହୋଇ ବିଜେପି ବିରୋଧରେ ଲଢିଥିଲେ। ଏଥିରେ ମେଣ୍ଟ ସଫଳ ହୋଇଥିଲା। ଉଭୟ ଗୋରଖପୁର ଓ ଫୁଲପୁର ଆସନରେ ଏସ୍‌ପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହି ସଫଳତାକୁ ଦେଖି ରାଜ୍ୟସଭା ନିର୍ବାଚନରେ ଉଭୟ ମେଣ୍ଟ ହୋଇ ଲଢିଥିଲେ। ମାତ୍ର ଅଖିଳେଶ ଓ ମାୟାବତୀଙ୍କ ମେଣ୍ଟକୁ ପରାସ୍ତ କରିବାରେ ବିଜେପି ସଫଳ ହୋଇଥିଲା। ମେଣ୍ଟ ପ୍ରାର୍ଥୀ ଆମ୍ବେଦକର ପରାସ୍ତ ହୋଇଥିଲେ।

Leave A Reply