ରାଜସ୍ଥାନ ହାଇକୋର୍ଟରେ ପୁନଃବିଚାର ପାଇଁ ଆବେଦନ କଲେ ଆଶାରାମ
ନୂଆଦିଲ୍ଲୀ :ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁ ଯୋଧପୁର ନିମ୍ନ ଅଦାଲତ ରାୟ ବିରୁଦ୍ଧରେ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପ୍ରିଲ ମାସରେ ଯୋଧପୁର କୋର୍ଟ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଶାରାମଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହି ଦଣ୍ଡାଦେଶ ବିରୁଦ୍ଧରେ ଆଶାରାମଙ୍କ ଓକିଲ ସୋମବାର ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଛନ୍ତି। ସୂଚନା ଅନୁଯାୟୀ, ୭୭ ବର୍ଷୀୟ ଆଶାରାମ ନିଜ ଆଶ୍ରମରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଯୋଧପୁର କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଆଶାରାମ ହାଇକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି ଯେ ଏହି ଘଟଣାରେ ଯୋଧପୁର କୋର୍ଟ ବହୁ ଦିଗ ପ୍ରତି ଧ୍ୟାନ ଦେଇନାହାଁନ୍ତି ଏବଂ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି। ଶୁଣାଣି ପୂର୍ବରୁ ହିଁ ତାଙ୍କୁ ଯେମିତି ଦୋଷୀ ବୋଲି ଧରିନିଆଯାଇଥିଲା। ପୁନଶ୍ଚ, କୋର୍ଟ ଗ୍ରହଣ କରିଥିବା ସାକ୍ଷ୍ୟପ୍ରମାଣ ମଧ୍ୟ ଉପଯୁକ୍ତ ନଥିଲା। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେଇଥିବା ଆଶାରାମଙ୍କ ସହଯୋଗୀ ଶିଳ୍ପୀ ଗୁପ୍ତା ଏବଂ ଶରତ ଚନ୍ଦ୍ର ମଧ୍ୟ ନିଜ ଦଣ୍ଡାଦେଷ ବିରୁଦ୍ଧରେ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଛନ୍ତି। ସୂଚନା ଅନୁଯାୟୀ ଯୋଧପୁର କୋର୍ଟ ଉଭୟଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଥିଲେ।