ମଦନଲାଲ ହେଲେ ରାଜସ୍ଥାନ ବିଜେପି ମୁଖ୍ୟ

0

ଜୟପୁର : ପ୍ରାୟ ତିନି ମାସ ହେଲା ଖାଲି ପଡିଥିବା ରାଜସ୍ଥାନ ବିଜେପି ସଭାପତି ପଦ ପାଇଁ ଦଳ ନେତା ମନୋନୟନ କରିଛନ୍ତି। ମନୋନୟନ ଅନୁଯାୟୀ ଶୁକ୍ରବାର ମଦନଲାଲ ସାଇନଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଚଳିତବର୍ଷ ଶେଷ ଆଡକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ସେ ଦଳର ସମସ୍ତ ପ୍ରକାର ଦାୟିତ୍ୱ ତୁଲାଇବେ। ରାଜ୍ୟର ଶାସକ ବିଜେପି ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପ୍ରିଲ ୧୮ରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଅନୁଗତ ଅଶୋକ ପରଣାମି ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟର ଦୁଇଟି ଲୋକସଭା ଆସନ ଉପନିର୍ବାଚନରେ ବିଜେପି ପରାସ୍ତ ହେବା ପରେ ଅଶୋକ ଇସ୍ତଫା ଦେଇଥିଲେ। ନୂଆ ସଭାପତି ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ରାଜେ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଫଳରେ ନୂଆ ସଭାପତି ନିଯୁକ୍ତି ବିଳମ୍ବିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ରାଜେ ନିଜର ଅନୁଗତ ଶ୍ରୀଚାନ୍ଦ କୃପାଳିନୀଙ୍କୁ ପସନ୍ଦ କରିଥିବାବେଳେ ଶାହା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାୱତଙ୍କୁ ପସନ୍ଦ କରିଥିଲେ। ରାଜପୁତ ପରିବର୍ତ୍ତେ ଜାଠ ସମ୍ପ୍ରଦାୟର ନେତାଙ୍କୁ ସଭାପତି ନିଯୁକ୍ତି ଦେବାକୁ ରାଜେ ଦାବି କରିଥିଲେ। ଶେଷରେ ସର୍ବସମ୍ମତି ଆଧାରରେ ମଦନଲାଲଙ୍କୁ ସଭାପତି ନିଯୁକ୍ତ ଦିଆଯାଇଛି।
ନୂଆ ସଭାପତି ଭାବେ ନିଯୁକ୍ତି ପାଇଥିବା ମଦନଲାଲ ମାଳି ଜାତିର। ୨୦୦୮ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ଗତ ଏପ୍ରିଲରେ ସେ ଦଳ ତରୁଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୭୨ରେ ସେ ଭାରତୀୟ କିଷାନ ମଜଦୁର ସଂଘରେ ଯୋଗଦେବା ପୂର୍ବକ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଆରଏସଏସରେ ଯୋଗଦେଇଥିଲେ। ମଦନଲାଲଙ୍କ ନିଯୁକ୍ତିକୁ ନେଇ ଜାଠ ଓ ରାଜପୁତ ସମ୍ପ୍ରଦାୟ ମଧ୍ୟରେ ବିଭାଜନ ହେବା ନିଶ୍ଚିତ ହୋଇଛି। ତେବେ ସେ ରାଜସ୍ଥାନ କଂଗ୍ରେସ ମୁଖ୍ୟ ଅଶୋକ ଗେହଲଟଙ୍କୁ ମୁକାବିଲା କରିବାରେ ସକ୍ଷମ ହେବେ ବୋଲି ଆଶା କରାଯାଇଛି। କାରଣ ମଦନଲାଲ ଓ ଗେହଲଟ ଗୋଟିଏ ଜାତିର ଲୋକ। ସେହିପରି ମଦନଲାଲଙ୍କ ନିଯୁକ୍ତି ରାଜ୍ୟର କୃଷକଙ୍କୁ ଶାନ୍ତ କରିବାରେ ସଫଳ ହେବ ବୋଲି ଅନୁମାନ କରାଯାଇଛି। ଗତବର୍ଷ ରାଜ୍ୟର କୃଷକମାନେ ଅନେକ ବାର ଆନ୍ଦୋଳନ କରି ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଥିଲା। ତେଣୁ ମଦନଲାଲ ଏହିସବୁ ସମସ୍ୟାକୁ ମୁକାବିଲା ପୂର୍ବକ ବିଜେପିକୁ ନିର୍ବାଚନରେ କେତେ ସଫଳ କରାଇବେ ତାହା ବଡ ଆହ୍ୱାନର ବିଷୟ। ଡିସେମ୍ବରରେ ରାଜ୍ୟ ବିଧାନସଭା ନିର୍ବାଚନ ପରେ ୨୦୧୯ ଏପ୍ରିଲ-ମେ ମଧ୍ୟରେ ଲୋକସଭା ନିର୍ବାଚନ ହେବ ତାଙ୍କ ପାଇଁ ବଡ ପରୀକ୍ଷା।

kalyan agarbati
Leave A Reply