୫ ଦିନ ଯାଏ ରାଜ୍ୟରେ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୫ ଦିନ ଯାଏ ବର୍ଷା ଲାଗି ରହିବ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମା ଶଙ୍କର ଦାସ କହିଛନ୍ତି ଯେ ଆଉ ଏକ ଲଘୁଚାପ ଆସୁଛି । ଏବେ ମଧ୍ୟ ଲଘୁଚାପ ପ୍ରଭାବରେ ବର୍ଷା ଚାଲିଛି । ଆଗାମୀ ୧୩ରେ ଆଉ ଏକ ଲଘୁଚପ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଓ ଶୁକ୍ରବାର ପ୍ରବଳ ବର୍ଷା ହେବ । ସେହିପରି ୧୩ ଓ ୧୪ ତାରିଖରେ ଅତି ପ୍ରବଳ ବର୍ଷା ହେବ। ୧୪ ତାରିଖ ରବିବାର ବର୍ଷାର ପରିମାଣ ସର୍ବାଧିକ ରହିବ। ପ୍ରାୟ ୩୦ଟି ଯାକ ଜିଲ୍ଲାରେ ବର୍ଷା ହେବ। ୧୫ ତାରିଖରେ ବର୍ଷାର ପରିମାଣ ସାମାନ୍ୟ କମିବ ବୋଲି ସେ କହିଛନ୍ତି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ୧୨ରୁ ୧୩ ତାରିଖ ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଅନୁଗୁଳ,କଟକ, ଖୋର୍ଦ୍ଧା, ଢେଙ୍କାନାଳ, ସମ୍ବଲପୁର ଓ ବରଗଡ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
Comments are closed.