ତାତିରୁ ତ୍ରାହି, ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଜି ଭୋରରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ଭଲ ବର୍ଷା ହୋଇଯାଇଛି। ବର୍ଷା ଓ ପବନ ପ୍ରଭାବରେ ଗତ କିଛି ଦିନର ତାତିରୁ ଆଶ୍ୱସ୍ତି ମିଳିଛି। ଉପକୂଳ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହିତ ଘଣ୍ଟାକୁ ୫୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା କରାଯାଉଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି।