୧୮ରେ କୃଷକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ରେଳରୋକ

ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୬ରେ ଲକ୍ଷ୍ନୌଠାରେ ମହାପଞ୍ଚାୟତ ଆୟୋଜନ କରିବ। ଏତଦ୍‌ ବ୍ୟତୀତ ଦିଲ୍ଲୀରୁ ଲଖିମ୍‌ପୁର ଶୋଭାଯାତ୍ରା ସହ ୧୮ରେ ଦେଶବ୍ୟାପୀ ରେଳ ରୋକ୍‌ କରିବ ବୋଲି ଶନିବାର ଘୋଷଣା କରିଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚା ନେତା ରାକେଶ ଟିକାୟତ ଓ ଯୋଗେନ୍ଦ୍ର ଯାଦବ ପ୍ରମୁଖ କହିଛନ୍ତି ଯେ ଆସନ୍ତା ୧୫ ତାରିଖ ଦଶହରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯିବ। ଅକ୍ଟୋବର ୧୨ରେ ଦେଶର ସମସ୍ତ ଅଞ୍ଚଳରୁ କୃଷକମାନେ ଲଖିମପୁର ଖେରିରେ ପହଞ୍ଚିବେ ଓ ରାତି ୮ଟାରେ ମହମବତି ଶୋଭାଯାତ୍ରା କରିବେ ବୋଲି ସେମାନେ କହିଛନ୍ତି।

କେବଳ ସେତିକି ନୁହେଁ; କୃଷକମାନେ ପ୍ରତି ରାଜ୍ୟକୁ ମୃତ କୃଷକଙ୍କ ଭଷ୍ମ ନେଇ ବିଭିନ୍ନ ନଦୀରେ ବିସର୍ଜନ କରିବେ ବୋଲି ଘୋଷଣା କରାଯାଇଛି। ଲଖିମପୁର ଘଟଣାକୁ ସେମାନେ ଜାଲିଆନାୱାଲାବାଗ୍‌ ଗଣହତ୍ୟା ସହ ତୁଳନା କରି କୃଷକ ନେତାମାନେ ଏହା ନାରକୀୟ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଦାୟୀ କରିଛନ୍ତି ଓ ତାଙ୍କ ବାପା ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରାଯିବା ପାଇଁ ଦାବି କରିଛନ୍ତି। ସେମାନେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଅଭିଯୁକ୍ତ ପ୍ରଭାବଶାଳୀ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି; ବରଂ ପ୍ରତିବାଦକାରୀଙ୍କ ସ୍ବରକୁ ଚପାଇବା ଉଦ୍ୟମ କରୁଛନ୍ତି। ଲଖିମପୁର ଖେରି କାଣ୍ଡକୁ ସରକାରଙ୍କ ସୁନିୟୋଜିତ ଷଡ଼ଯନ୍ତ୍ର ବୋଲି ସେମାନେ ଦାବି କରିବା ସହ ଘଟଣାର ନିରପେକ୍ଷ ଯାଞ୍ଚ ପାଇଁ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରାଯିବା ଦରକାର। ଏଥିସହିତ ଲଖିମପୁର ଖେରିରେ କୃଷକଙ୍କ ଆକ୍ରମଣରେ ତିନି ବିଜେପି ନେତାଙ୍କର ମୃତ୍ୟୁ ଘଟା ସମ୍ପର୍କରେ ଟିକାୟତ କହିଛନ୍ତି ଯେ ଏହା କୌଣସି କାର୍ଯ୍ୟର ପ୍ରତିକ୍ରିୟା ହୋଇପାରେ। ବିଜେପି ନେତାଙ୍କ ଗାଡ଼ି ତଳେ କୃଷକଙ୍କ ମୃତ୍ୟୁ ହେବା ପରେ ପ୍ରତିକ୍ରିୟାରେ କୃଷକମାନେ ନିଜ ଜୀବନ ବଞ୍ଚାଇବାକୁ ଆକ୍ରମଣ କରିଥାଇପାରନ୍ତି। ଏହା ଦୋଷାବହ ନୁହେଁ। ପୁନଶ୍ଚ କୃଷି ଆଇନ ବିରୋଧରେ ଆନ୍ଦୋଳନବେଳେ ୭୫୦ କୃଷକଙ୍କ ମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ସଂସଦରେ କ୍ଷମା ପ୍ରାର୍ଥନା କରିବାକୁ ସେମାନେ ଦାବି କରିଛନ୍ତି।

Comments are closed.