BJD Bijuli 480×75 Mob

ରାହୁଲଙ୍କ ଅଭିଯୋଗ: ବିଚାରପତିଙ୍କ ନିଯୁକ୍ତି ରୋକୁଛନ୍ତି କେନ୍ଦ୍ର ସରକାର

BJD Bijuli 480×75 Mob
0

ନୂଆଦିଲ୍ଲୀ : ଦେଶର ବିଭିନ୍ନ କୋର୍ଟରେ ବହୁ ସଂଖ୍ୟକ ମାମଲା ବିଚାର ନ ହୋଇ ପଡିରହିଥିବା ପ୍ରସଙ୍ଗ ପରେ ଏବେ ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟାର୍ଗେଟ କରିଛନ୍ତି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଗୁଡିକରେ ବିଚାରପତିଙ୍କୁ ନିଯୁକ୍ତି ଦେବା ନେଇ କେନ୍ଦ୍ର ସରକାର ବିଳମ୍ବ କରୁଥିବା ରାହୁଲ ଅଭିଯୋଗ କରିଛନ୍ତି। ହାଇକୋର୍ଟରେ ନିଯୁକ୍ତି ନିମନ୍ତେ ୧୦୦ରୁ ଊର୍ଦ୍ଧ୍ବ ବିଚାରପତି ନାମ ତାଲିକା ଏନ୍‌ଡିଏ ସରକାରଙ୍କ ମଞ୍ଜୁରି ଅପେକ୍ଷାରେ ରହିଛି। ସୁପ୍ରିମକୋର୍ଟରେ ନିଯୁକ୍ତି ନିମନ୍ତେ ବିଚାରପତି କେ. ଏମ୍‌. ଯୋଶେଫଙ୍କ ନାମ ସୁପାରିସ କରାଯିବା ଦ୍ୱାରା ମୋଦିଙ୍କ ଅହଂକୁ ଆଘାତ ଲାଗିଛିବୋଲି ଟ୍ୱିଟର୍‌ରେ ରାହୁଲ ଲେଖିଛନ୍ତି। ୨୦୧୬ରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍‌ଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ହଟାଇ ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ। ଏହି ନିଷ୍ପତ୍ତିକୁ କଂଗ୍ରେସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ବିଜେପି କ୍ଷମତାର ଦୁର୍ବ୍ୟବହାର କରୁଥିବା କଂଗ୍ରେସ ଅଭିଯୋଗ କରିଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଥିବା ବେଳେ ଯୋଶେଫ୍‌ ରାଜ୍ୟରେ ରାଷ୍ଟ୍ରପତି ଶାସନକୁ ହଟାଇ ଦେଇଥିଲେ।
ଦେଶରେ ବିଚାର ବ୍ୟବସ୍ଥା ଭୁସୁଡିପଡୁଥିବା ବେଳେ ତାହାକୁ ମଜବୁତ କରିବା ପରିବର୍ତ୍ତେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି ବୋଲି ମଧ୍ୟ ରାହୁଲ କହିଛନ୍ତି। ସୁପ୍ରିମକୋର୍ଟରେ ୫୫,୦୦୦, ହାଇକୋର୍ଟଗୁଡିକରେ ୩୭ ଲକ୍ଷ ଏବଂ ତଳ କୋର୍ଟଗୁଡିକରେ ୨.୬ କୋଟି ମାମଲା ବିଚାର ନ ହୋଇ ପଡ଼ି ରହିଥିବା ରାହୁଲ ତାଙ୍କ ଟ୍ୱିଟର୍‌ରେ ଉଲ୍ଲେଖ କରିଛନ୍ତି। ସେହିଭଳି ହାଇକୋର୍ଟରେ ୪୦୦ ଏବଂ ତଳ କୋର୍ଟରେ ୬,୦୦୦ ବିଚାରପତି ପଦ ଖାଲି ପଡିଥିବା ସେ ଦର୍ଶାଇଛନ୍ତି।

Leave A Reply