www.samajalive.in
Tuesday, December 9, 2025
26.1 C
Bhubaneswar

କାର୍ଯ୍ୟକାରିଣୀ ବୈଠକ: ରାହୁଲଙ୍କ ଇସ୍ତଫାକୁ ଅସ୍ବୀକାର

ନୂଆଦିଲ୍ଲୀ: କ୍ରମାଗତ ଦୁଇ ଦୁଇଟା ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପାର୍ଟି ଶନିବାର ଏକ ମାରାଥନ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଆତ୍ମଚିନ୍ତନ କରିଛି। ଦେଶବ୍ୟାପୀ କଂଗ୍ରେସର ପ୍ରମୁଖ ନେତାମାନେ ଏହି ବୈଠକରେ ଯୋଗ ଦେଇ ପରାଜୟର କାରଣ ସମୀକ୍ଷା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ପୁନଃ ତୃଣମୂଳସ୍ତରରରୁ ଦଳର ପୁନର୍ଗଠନ କରିବାକୁ ବୈଠକରେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପନାମା ଗୃହୀତ ହୋଇଛି। ଦଳର ପରାଜୟ ପାଇଁ ରାହୁଲ ନୈତିକ ଦାୟିତ୍ବ ବହନ ପୂର୍ବକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ବୈଠକ ଆରମ୍ଭ ହେବା ପରେ ପ୍ରଥମେ ଖବର ଆସିଥିଲା। ମାତ୍ର ପାର୍ଟି କାର୍ଯ୍ୟାଳୟ ବାହାରେ ଉପସ୍ଥିତ ଦଳୀୟ ନେତା ତାହାକୁ ଅସ୍ବୀକାର କରିଥିଲେ। ବୈଠକରେ ମା’ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମଝିରେ ବସି ରାହୁଲ ନିର୍ବାଚନ ସମ୍ବନ୍ଧୀୟ ନିଜର ବିଶ୍ଳେଷଣ ବିସ୍ତୃତ ଭାବେ ଦଳୀୟ ପ୍ରମୁଖ ନେତାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଦଳ ପରାଜୟ ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଦାୟୀ କରିଥିଲେ। ବୈଠକରେ ରାହୁଲଙ୍କ ଭଉଣୀ ତଥା ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ମନ୍ତ୍ରୀ ପି. ଚିଦାମ୍ବରମ ଏବଂ ଲୋକସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ୍କ ସମେତ ବହୁ ପ୍ରମୁଖ ନେତା ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟଗୁଡିକରେ ଦଳର ପରାଜୟ ନିମନ୍ତେ ପିସିସି ସଭାପତିମାନେ ଇସ୍ତଫା ଦେବା ଉଚିତ ବୋଲି କାର୍ଯ୍ୟକାରିଣୀରେ ସହମତି ପ୍ରକାଶ ପାଇଥିବା ଜଣାପଡିଛି। ସଂଗଠନକୁ ନୂତନ ଭାବେ ଗଢିବା ନିମନ୍ତେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ଅଶୋକ ଚଭନ ନିଜ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। ପୂର୍ବରୁ ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ରାଜବବର ଏବଂ ଓଡ଼ିଶା କଂଗ୍ରେସ ମୁଖ୍ୟ ନରିଞ୍ଜନ ପଟ୍ଟନାୟକ ଶୁକ୍ରବାର ରାହୁଲଙ୍କୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ।
ତିନି ଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକ ପରେ ରାହୁଲ ଗଣମାଧ୍ୟମକୁ କୌଣସି ମନ୍ତବ୍ୟ ନ ଦେଇ ଚାଲିଯାଇଥିଲେ। ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ କଂଗ୍ରେସ ୫୨ ଆସନ ଲାଭ କରିଛି; ଯାହାକି ୨୦୧୪ ପରେ ଦଳର ଦ୍ବିତୀୟ ବୃହତ୍‌ ପରାଜୟ। ୨୦୧୪ରେ ଦଳ ୪୪ ଆସନରେ ସୀମିତ ଥିଲା। ତେବେ ନିର୍ବାଚନ ଫଳାଫଳ ସମ୍ବନ୍ଧରେ ସିଡବ୍ଲ୍ୟୁସି ଗଭୀର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି କଂଗ୍ରେସ ନେତା କହିଛନ୍ତି; କିନ୍ତୁ ବର୍ତ୍ତମାନ ଦଳ କେବଳ ମହାରାଷ୍ଟ୍ର, ହରିୟାଣା ଓ ଝାଡଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଧ୍ୟାନନିବେଶ କରିବ। ଜାମ୍ମୁ-କାଶ୍ମୀରରେ ମଧ୍ୟ ଯେକୌଣସି ସମୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହଛି। ୨୦୨୦ ଫେବୃଆରୀରେ ଦିଲ୍ଲୀରେ ନିର୍ବାଚନ ହେବ।
ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ କଂଗ୍ରେସ ବିଭିନ୍ନ ରାଜ୍ୟରେ ଏହାର ନେତୃତ୍ବ ପରିବର୍ତ୍ତନ କରି ନୂତନ ଟିମ ଗଠନ କରିବ। ରାଜ୍ୟସ୍ତରରେ ଦଳକୁ ପୁନର୍ଜୀବିତ କରିବା ଦ୍ବାରା ହିଁ ରାଷ୍ଟ୍ରୀୟସ୍ତରରେ ଦଳର ପ୍ରଦର୍ଶନ ପରିବର୍ତ୍ତନ କରିବା ସମ୍ଭବ ହେବ ବୋଲି ମତ ପ୍ରକାଶ ପାଇଛି। ଦଳରେ କେତେକ ନୂତନ ସାଧାରଣ ସମ୍ପାଦକ ଏବଂ ପ୍ରଭାରୀ ନିଯୁକ୍ତ କରାଯିବ। ଦଳ ପୁନର୍ବାର ସଂଗ୍ରାମ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ନିର୍ବାଚନୀ ଫଳାଫଳ ପ୍ରକାଶ ପରେ ରାହୁଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories