ମୋଦି ସରକାର କୃଷକ ବିରୋଧୀ: ରାହୁଲ ଗାନ୍ଧି

0

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର କୃଷକ ବିରୋଧୀ। ଯଦି କଂଗ୍ରେସ କୃଷକଙ୍କ ପଛରେ ଛିଡ଼ା ହୋଇ ନଥାନ୍ତା ତେବେ କେନ୍ଦ୍ର ସରକାର କୃଷକଙ୍କ ପାଇଁ ଇଞ୍ଚେ ବି ଜମି ଛାଡ଼ି ନଥାନ୍ତେ। କଂଗ୍ରେସ ସହାୟତା କରି ନଥିଲେ କୃଷକମାନେ ପ୍ରାଣ ହାରିଥାନ୍ତେ। କୃଷକମାନେ ଏବେ ଋଣ ଭାରରେ ବୁଡ଼ି ଥିବା ବେଳେ ସେମାନଙ୍କ ପ୍ରତି କେନ୍ଦ୍ର ସରକାର ଧ୍ୟାନ ନଦେବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି। ରାମଲୀଲା ମୈଦାନଠାରେ ଜନଆକ୍ରୋଶ ରାଲିକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଗାନ୍ଧି କହିଛନ୍ତି ଯେ ପ୍ରମୁଖ ପ୍ରସଙ୍ଗରେ ମୋଦି ସରକାର ନିରବ ରହୁଛନ୍ତି। ଲୋକଙ୍କ ପକେଟରୁ ମୋଦି ଟଙ୍କା ନେଇ ନିରବ ମୋଦିଙ୍କୁ ଦେଇଛନ୍ତି। ଦେଶର ଚୌକିଦାର ବୋଲି କହୁଥିବା ମୋଦି ଏହି ଘଟଣାରେ କିଛି ବି କରିନାହାନ୍ତି। ଚୀନ୍‍ ଗସ୍ତ ସମୟରେ ଡୋକ୍‍ଲାମ୍‍ ପ୍ରସଙ୍ଗ ଉତ୍‍ଥାପନ କରିନାହାନ୍ତି। ଦେଶରେ କେଉଁଠାରେ ବି ଲୋକମାନେ ଖୁସି ନାହାନ୍ତି। ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପୁଣି ଥରେ କେନ୍ଦ୍ରରେ କ୍ଷମତାକୁ ଫେରିବ ବୋଲି ଶ୍ରୀ ଗାନ୍ଧି ଦୃଢ଼ୋକ୍ତି କରିଛନ୍ତି।
ରାଲିକୁ ସମ୍ବୋଧିତ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଜନବିରୋଧୀ ସରକାର ଭାବେ ଅଭିହିତ କରି କହିଥିଲେ ଯେ ମୋଦି ସରକାରରେ ମହିଳା ଅସୁରକ୍ଷିତ ଥିବା ବେଳେ ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ମିଛ ପ୍ରତିଶ୍ରୁତି ଦେଇ ମୋଦି କ୍ଷମତାକୁ ଆସିଥିଲେ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ କହିଥିଲେ ଯେ ଏବେ ଯୁବବର୍ଗ ହତାଶ ହୋଇଛନ୍ତି। ଚାରିଆଡ଼େ ନିରାଶା ବଢ଼ୁଛି। କାନୁନବ୍ୟବସ୍ଥା ବିଗିଡ଼ିଛି। ଦରଦାମ ବଢ଼ିଛି। ଦଳିତ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିଛି। ଏହି ସମାବେଶରେ କଂଗ୍ରେସର ତୁଙ୍ଗ ନେତାମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ଏହାକୁ ପରିବାର ଆକ୍ରୋଶ ରାଲି ବୋଲି ବିଜେପି ପକ୍ଷରୁ କୁହାଯାଇଛି।

Leave A Reply