ଜନଆକ୍ରୋଶ ରାଲିକୁ ସମ୍ବୋଧିତ କରିବେ ରାହୁଲ
ନୂଆଦିଲ୍ଲୀ: ଆଜି ରାମଲୀଳା ମୈଦାନ୍ଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ‘ଜନ ଆକ୍ରୋଶ’ ରାଲିକୁ ସମ୍ବୋଧିତ କରିବେ। ଏଥିରେ ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉପସ୍ଥିତ ରହିବେ। ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ରାଜଧାନୀରେ ଏହା ରାହୁଲଙ୍କ ପ୍ରଥମ ସାଧାରଣ ସଭା। ଆସନ୍ତା ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ରାହୁଲ୍ ଗାନ୍ଧିଙ୍କ ଏହି ରାଲିରେ ଜନସମାଗମ ଉପରେ ରାଜନୈତିକ ମହଲର ଦୃଷ୍ଟି ରହିଛି। ଗତକାଲି ରାହୁଲ ଗାନ୍ଧି ‘ଚଲୋ ଦିଲ୍ଲୀ’ ଶୀର୍ଷକ ଟ୍ୱିଟ୍ରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଏଥିରେ ରାହୁଲ୍ ଗାନ୍ଧି ଉଲ୍ଲେଖ କରିଥିଲେ ଯେ ଚାରିବର୍ଷର ଶାସନ କାଳରେ ମୋଦି ସରକାର ଯୁବକଙ୍କୁ ଚାକିରି, ମହିଳାଙ୍କୁ ସୁରକ୍ଷା, କୃଷକଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ, ଦଳିତଙ୍କ ଅଧିକାରର ସୁରକ୍ଷା ଦିଗରେ ବିଫଳ ହୋଇଛନ୍ତି। ଏଥିଯୋଗୁଁ ଲୋକଙ୍କ ମଧ୍ୟରେ ମୋଦି ସରକାରଙ୍କ ବିରୋଧରେ ଆକ୍ରୋଶ ଦେଖାଦେଇଛି। ଜନସାଧାରଣ ସେମାନଙ୍କ ସେହି ଆକ୍ରୋଶକୁ ଏହି ର୍ୟାଲିରେ ପ୍ରତିଫଳନ କରିବାକୁ ରାହୁଲ ଆହ୍ୱାନ ଦେଇଥିଲେ। ଆଜିଠାରୁ ଏକ ନୂଆ ବିପ୍ଲବ ଆରମ୍ଭ ହେବ ବୋଲି କଂଗ୍ରେସର ତୁଙ୍ଗନେତାମାନେ କହିଛନ୍ତି।