ନିଆରା ପରମ୍ପରା: ୩କିଲୋ ଗୁଲଗୁଲା ଖାଇ ରେକର୍ଡ଼
ନୂଆଦିଲ୍ଲୀ: କର୍ଣ୍ଣାଟକର ନିଆରା ପରମ୍ପରା ଅନୁଯାୟୀ ଜଣେ ୫୪ବର୍ଷିୟ ବ୍ୟକ୍ତି ୩କିଲୋ ଓଜନ(୬ଖଣ୍ଡ) ଗୁଲଗୁଲା ଖାଇ ନିଆରା ରେକର୍ଡ଼ କରିଛନ୍ତି। ବାଜରାରେ ପ୍ରସ୍ତୁତ ଏଭଳି ଗୁଲଗୁଲା ସାଧାରଣତଃ ଆନ୍ଧ୍ରପଦେଶ ଓ କର୍ଣ୍ଣାଟକର ଏକ ପାରମ୍ପରିକ ଖାଦ୍ୟ। ଏଥିରେ ପ୍ରସ୍ତୁତ ଗୁଲଗୁଲା ସହିତ ଆମିଷ ତରକାରୀ ଦକ୍ଷିଣ ଭାରତର ଏକ ପାରମ୍ପରିକ ଖାଦ୍ୟ। କର୍ଣ୍ଣାଟକର ମାନଧା ଜିଲାର ମଙ୍ଗଳା ଗ୍ରାମରେ ଅନୁଷ୍ଠିତ ଏଭଳି ସ୍ୱତନ୍ତ୍ର ଅନୁଷ୍ଠାନରେ ୫୪ ବର୍ଷିୟ ଇରେଗୌଡ଼ା ୩କିଲୋ ଗୁଲଗୁଲା ସହିତ କୁକୁଡ଼ା ମାଂସ ତରକାରୀକୁ ମାତ୍ର ୧୫ମିନିଟ ସମୟ ମଧ୍ୟରେ ଖାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିପାଇଁ ତାଙ୍କୁ ପୁରସ୍କାର ରାଶି ବାବଦକୁ ୫ହଜାର ଟଙ୍କା ମଧ୍ୟ ମିଳିଛି।
ପ୍ରତିଯୋଗିତାରେ ପୁରୁଷ ମହିଳା ସମେତ ମୋଟ୍ ୬୪ଜଣ ଅଂଶଗ୍ରହଣ କରିଥିଲେ। ରବିବାର ଦିନ ଗ୍ରାମରେ ପାରମ୍ପରିକ ଏହି ପ୍ରତିଯୋଗିତାରେ କର୍ଣ୍ଣାଟକର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏପରିକି ବେଙ୍ଗାଲୁରୁ, ମାଙ୍ଗାଲୋର ପରି ସହରର ଗ୍ରାମାଞ୍ଚଳରୁ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ରାମମୂର୍ତ୍ତି ୫ଟି ଗୁଲଗୁଲା ଖାଇ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ସୁରେଶ ନାମକ ବ୍ୟକ୍ତି ସାଢେ ୫ଟି ଗୁଲଗୁଲା ଖାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ତେବେ ୫୪ବର୍ଷିୟ ଇରେଗୌଡ଼ା ମାତ୍ର ୧୫ମିନିଟ ସମୟସୀମା ମଧ୍ୟରେ ୬ଟି ଗୁଲଗୁଲା ସମେତ କୁକୁଡ଼ା ମାଂସ ମାତ୍ର ୧୫ମିନିଟ ମଧ୍ୟରେ ଖାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।