www.samajalive.in
Sunday, December 7, 2025
23.1 C
Bhubaneswar

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୨ତମ ଜୟନ୍ତୀ ସମାରୋହ

କଟକ : ଓଡ଼ିଶାର ସମୃଦ୍ଧି ଖବରକାଗଜ ମାଧ୍ୟମରେ ହୋଇଛି। ଲୋକଙ୍କୁ ଶିକ୍ଷିତ କରିବାକୁ ଚାହିଁଲେ ତାହା ବିଦ୍ୟାଳୟରୁ ଆସିବ ନାହିଁ। ଖବରକାଗଜ ମାଧ୍ୟମରେ ହିଁ ତାହା ହୋଇପାରିବ। ଲୋକେ ଏବେ ଆତ୍ମକେନ୍ଦ୍ରିକ ହୋଇ କେବଳ ନିଜ କଥା ଚିନ୍ତା କରୁଛନ୍ତି। ଏଭଳି ସମୟରେ ଯୁବପିଢ଼ି ପଦ୍ମଭୂଷଣ ରାଧାନାଥ ରଥଙ୍କ ଜୀବନୀ ଜାଣିବା ଦରକାର ବୋଲି ରେଭେନ୍‍ସା ବିଶ୍ୱବିଦ୍ୟାଳୟର କୁଳପତି ଡ. ଈଶାନ୍‍କୁମାର ପାତ୍ର କହିଛନ୍ତି।
ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ପକ୍ଷରୁ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନଠାରେ ଗୁରୁବାର ପୂର୍ବାହ୍ଣରେ ଅନୁଷ୍ଠିତ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୨ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ପାତ୍ର ଯୋଗଦେଇ କହିଲେ, ଡ. ରାଧାନାଥ ରଥ ଥିଲେ ଯୁଗଜନ୍ମା ପୁରୁଷ। ପୂର୍ବଜମାନେ ଯେଉଁ ଭିତ୍ତିଭୂମି ସ୍ଥାପନ କରିଯାଇଛନ୍ତି ତା’ ଉପରେ ଆମକୁ କାମ କରିବାକୁ ହେବ। ଯୁବକମାନେ ମାଆବାପାଙ୍କ ବିଷୟରେ ଭାବିଲେ ଦେଶ ବିଷୟରେ ନିଶ୍ଚୟ ଭାବିବେ ବୋଲି ସେ କହିଥିଲେ।
ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅଶୋକ ଦାସ ଯୋଗଦେଇ କହିଲେ, ବାବୁଜୀ (ରାଧାନାଥ ରଥ) ଜଣେ ବ୍ୟକ୍ତି ନଥିଲେ ସେ ଥିଲେ ଏକ ଅନୁଷ୍ଠାନ। ଦୀର୍ଘ ବର୍ଷ ଧରି ‘ସମାଜ’ର ସମ୍ପାଦକ ଭାବେ କାର୍ଯ୍ୟ କରି ସେ ବିଶ୍ୱରେ ରେକର୍ଡ କରିଛନ୍ତି। ସେ ଜଣେ ଦରଦୀ ମଣିଷ, ଅସାଧାରଣ ଜ୍ଞାନର ଅଧିକାରୀ ବ୍ୟକ୍ତି ଥିଲେ। ତାଙ୍କ ଲେଖା ଅତ୍ୟନ୍ତ ତଥ୍ୟପୂର୍ଣ୍ଣ, ବିଶ୍ଳେଷଣାତ୍ମକ, ଅକାଟ୍ୟ ଯୁକ୍ତି ସମ୍ବଳିତ ଓ ମାର୍ଗଦର୍ଶକ ଥିଲା। ବାବୁଜୀ ଥିଲେ ପଣ୍ଡିତ ଗୋପବନ୍ଧୁଙ୍କ ସୁଯୋଗ୍ୟ ଉତ୍ତରାଧିକାରୀ ଶିଷ୍ୟ। ସାଧାରଣ ଲୋକଙ୍କୁ ଭଲ ପାଇବା ତାଙ୍କର ବଡ଼ ଗୁଣ ଥିଲା। ତାଙ୍କଠାରେ ମଣିଷପଣିଆ, ସ୍ନେହ, ଆବେଗ ଭରିରହିଥିଲା। ମୂଲ୍ୟବୋଧରେ ସେ ବିଶ୍ୱାସ କରୁଥିଲେ। ସାମ୍ବାଦିକତାରେ ନୈତିକ ମୂଲ୍ୟବୋଧ ବଜାୟ ରଖିଲେ ଲୋକଙ୍କ ମଧ୍ୟରେ ବିଶ୍ୱସନୀୟତା ବଜାୟ ରହିବ ବୋଲି ସେ କହିଥିଲେ। ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ କହିଲେ, କେତେ ସାଧନା କଲେ, ମଣିଷ ଭିତରେ କଣ ଗୁଣ ରହିଲେ ଆଗକୁ ବଢ଼ିପାରିବ ତା’ର ବିରଳ ଉଦାହରଣ ଥିଲେ ରାଧାନାଥ ରଥ। ସେ ପ୍ରତ୍ୟେକଙ୍କୁ ଭଲ ପାଉଥିଲେ। ବାବୁଜୀଙ୍କ ସ୍ୱପ୍ନ ସାକାର କରିବା ସହ ପରମ୍ପରା ତଳେ ନ ପକାଇବାକୁ ଶ୍ରୀଯୁକ୍ତ ତ୍ରିପାଠୀ ଆହ୍ୱାନ ଦେଇଥିଲେ।
ସମାଜର ମୁଦ୍ରାକର ତଥା ପ୍ରକାଶକ ନିରଞ୍ଜନ ରଥ ସମାରୋହରେ ଅଧ୍ୟକ୍ଷତା କରି କହିଲେ, ରାଧାନାଥଙ୍କ ଭଳି ସ୍ପଷ୍ଟ କଥା କହିବା ଲୋକ ନାହାନ୍ତି। ରାଧାନାଥ ବାବୁ ଯୁବକଙ୍କ ପ୍ରତି ସ୍ୱତନ୍ତ୍ର ଭାବେ ଆକର୍ଷିତ ଥିଲେ। ସେ ଯୁବଶକ୍ତିକୁ କାମରେ ଲଗାଉଥିଲେ। ଯୁବକମାନଙ୍କୁ ଭାରତ ତଥା ଓଡ଼ିଶାରେ ପ୍ରତିଷ୍ଠା କରୁଥିଲେ। ତାଙ୍କ ବିଚାରଧାରା ଥିଲା ସ୍ୱତନ୍ତ୍ର। ବିଭିନ୍ନ ସ୍ଥାନରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଇଚ୍ଛୁକ ବ୍ୟକ୍ତିମାନଙ୍କ ମାଧ୍ୟମରେ ପ୍ରତିଷ୍ଠା କରିଥିଲେ। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ‘ସମାଜ’ର ବାର୍ତ୍ତା ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି କୃତଜ୍ଞତା ଜ୍ଞାପନ କରିଥିଲେ। କବି ହୁସେନ୍‍ ରବିଗାନ୍ଧୀ, ପ୍ରଫେସର ଡା. କୃପାସିନ୍ଧୁ ପଣ୍ଡା, ଡ. ସୁଲୋଚନା ଦାସ, ଡ. ସତ୍ୟ ରାୟ, ଶଙ୍କର୍ଷଣ ମଙ୍ଗରାଜ, ଭବାନୀ ପ୍ରସାଦ ମିଶ୍ର, କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରୀ ଦାସ, କୋଷାଧ୍ୟକ୍ଷ କେଦାରନାଥ ବେହେରା, ମାଧବ ଚନ୍ଦ୍ର ସ୍ୱାଇଁ, ଆଇନ୍‍ଜୀବୀ ଭବାନୀପ୍ରସାଦ ପଣ୍ଡା, ହିନ୍ଦ୍‍ ସେବକ ସଂଘ ସଭାପତି ଦାମୋଦର ସାହୁ, ଦୁର୍ଯ୍ୟୋଧନ ସାହୁ, ରମାରଞ୍ଜନ ସ୍ୱାଇଁ, ଗଜେନ୍ଦ୍ର କୁମାର ପାଣି, ରଞ୍ଜନ କୁମାର ମହାପାତ୍ର, କୁମାରେନ୍ଦ୍ର ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ପ୍ରାରମ୍ଭରେ ‘ସମାଜ’ କାର୍ଯ୍ୟାଳୟ ପରିସରସ୍ଥ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories