ରବିରେ ୪୦ ହଜାର ହେକ୍ଟର ଜମିକୁ ଜଳସେଚନ

ମାର୍ଚ୍ଚ ସୁଦ୍ଧା ୧୫ ମେଗାଲିଫ୍ଟ କାର୍ଯ୍ୟକ୍ଷମ, ଚଳିତ ଋତୁରେ ଲକ୍ଷ୍ୟଧାର୍ଯ୍ୟରୁ ଅଧା ଜମି ଜଳସେଚିତ

ଭୁବନେଶ୍ବର : ଆର୍ଥିକ ବର୍ଷ ୨୦୨୨-୨୩ ରବି ଋତୁରେ ୪୦ ହଜାର ହେକ୍ଟର ଜମିକୁ ଜଳସେଚିତ କରିବାକୁ ରାଜ୍ୟ ଜଳସମ୍ପଦ ବିଭାଗ ଲକ୍ଷ୍ୟ ରଖିଛି। ମେଗାଲିଫ୍ଟ ଯୋଜନାରେ ଜମି ଗୁଡିକୁ ଜଳସେଚନ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ବିଭାଗ ସ୍ବତନ୍ତ୍ର ଭାବେ ଜିଲାସ୍ତରୀୟ ଆକ୍ସନ ଯୋଜନା ପ୍ରସ୍ତୁତ କରିଛି।
ମେଗାଲିଫ୍ଟ ଯୋଜନା ଉପରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଭାସିରେ ବସି ବିଭାଗ ମୁଖ୍ୟଯନ୍ତ୍ରୀ ଓ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତିରେ ଆଲୋଚନା ହୋଇଛି। ରାଜ୍ୟରେ ୨୦୮ ମେଗାଲିଫ୍ଟ ଯୋଜନା ହାତକୁ ନିଆଯାଇଛି। ୬ଟି ପର୍ଯ୍ୟାୟରେ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରହିଛି। ଏହି ୨୦୮ ମେଗାଲିଫ୍ଟ ପାଇଁ ୭୪୯୫.୬୮ କୋଟି ଟଙ୍କା ଖର୍ଚ୍ଚ ନେଇ ବ୍ୟୟ ଅଟକଳ ହୋଇଥିଲା। ଏହାମାଧ୍ୟମରେ ୨ ଲକ୍ଷ ୬୪ ହଜାର ୩୩୦ ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିବ। କିନ୍ତୁ ୨୦୮ ମୋଗଲିଫ୍ଟରୁ ୧୯୩ଟି ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାରୁ ୨ ଲକ୍ଷ ୪୧ହଜାର ୨୫୬ ହେକ୍ଟର ଜମିକୁ ଜଳସେଚନ ସମ୍ଭବ ହୋଇ ପାରିଛି।
ଅନ୍ୟପଟେ ମାର୍ଚ୍ଚ ୨୦୨୩ ସୁଦ୍ଧା ବାକି ୧୫ଟି ମେଗାଲିଫ୍ଟ ଯୋଜନା କାର୍ଯ୍ୟକାରୀ ହେଲେ ୨୩ ହଜାର ୭୪ ହେକ୍ଟର ଜମିକୁ ଜଳସେଚିତ ହୋଇ ପାରିବ। ଅନେକ ମେଗାଲିଫ୍ଟକୁ ବିଦ୍ୟୁତ୍‌ ସଂଯୋଗ ବାଧା ଉତ୍ପନ ହୋଇଥିବା ବେଳେ ଯୋଜନା ଗୁଡିକୁ କାର୍ଯ୍ୟକାରୀ ହୋଇପାରୁ ନାହିଁ। ତେଣୁ ଯେଉଁ ସବୁ ମେଗାଲିଫ୍ଟ ଗୁଡିକୁ ବିଦ୍ୟୁତ୍‌ ସଂଯୋଗରେ ବାଧା ସୃଷ୍ଟି ହେଉଛି ନଭେମ୍ବର ଶେଷ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆର୍ଥିକ ବର୍ଷ ୨୦୨୨-୨୩ ବଜେଟରେ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ)ରୁ ୧୦୦ କୋଟି ଟଙ୍କା ନିଆଯାଇ ସେପ୍ଟେମ୍ବର ୩୦ ସୁଦ୍ଧା ଖର୍ଚ୍ଚ କରାଯାଇଛି। ୧୪.୧୧ କୋଟି ଟଙ୍କା ନାବାର୍ଡ ଅନୁଦାନରୁ ଖର୍ଚ୍ଚ ହେବ। ସେହିପରି ଆର୍ଥିକ ବର୍ଷ ୨୦୨୨-୨୩ରେ ରାଜ୍ୟ ସରକାର ବଜେଟରେ ୩୩୫ କୋଟି ଟଙ୍କା ବ୍ୟୟ ବରାଦ ବ୍ୟବସ୍ଥା କରିଥିବା ବେଳେ ୪୭.୬୧% ଅର୍ଥ ସେପ୍ଟେମ୍ବର ଶେଷ ସୁଦ୍ଧା ଖର୍ଚ୍ଚ ହୋଇଛି। ଅର୍ଥାତ ଜଳସେଚନ ପାଇଁ ରାଜ୍ୟ ସରକାର ବଜେଟରେ ବ୍ୟବସ୍ଥା କରିଥିବା ଅର୍ଥକୁ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କରିପାରୁନାହାନ୍ତି। ଫଳରେ ଲକ୍ଷ୍ୟ ରଖାଯାଉଥିବା ଜମିକୁ ଜଳସେଚିତ କରାଯାଇ ପାରୁନାହିଁ। ଆର୍ଥିକ ବର୍ଷ ଶେଷ ହେବାକୁ ୫ମାସ ବାକି ଥିବାବେଳେ ପ୍ରାୟ ୫୨% ଅର୍ଥ କେବେ ଖର୍ଚ୍ଚ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ଋତୁରେ ୨ ଲକ୍ଷ ୪୧ ହଜାର ୨୫୬ ହେକ୍ଟର ଜମିକୁ ଜଳସେଚନ କରିବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୨ ହଜାର ୨୫୨ ହେକ୍ଟର ଜମିକୁ ଜଳସେଚିତ କରାଯାଇ ପାରିଛି। ଆଗକୁ ୪ କ୍ଲଷ୍ଟର ଜରିଆରେ ୪୧ ଯୋଜନା କାର୍ଯ୍ୟକାରୀ କରି ୫୯ ହଜାର ୬୦୫ ହେକ୍ଟଜର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି।

kalyan agarbati

Comments are closed.