www.samajalive.in
Saturday, December 13, 2025
14.1 C
Bhubaneswar

ବଦଳିବ ପୁରୀ ଚେହେରା

-ମେଘନାଦ ପ୍ରାଚୀର ଚତୁଃପାର୍ଶ୍ବରୁ ୭୫ମିଟର ପରିଧି ହେବ ମୁକ୍ତ
-ହଟିବ ସରକାରୀ, ଘରୋଇ କାର୍ଯ୍ୟାଳୟ, ବାସଗୃହ, ଦୋକାନ
-ବିସ୍ଥାପିତଙ୍କୁ ସରକାର କରିବେ ଥଇଥାନ, ଭରିବେ କ୍ଷତିପୂରଣ 

ଭୁବନେଶ୍ବର : ଶ୍ରୀମନ୍ଦିର ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇଛନ୍ତି। ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ସହ ଏହି ଧାର୍ମିକ କ୍ଷେତ୍ରକୁ ଆନ୍ତର୍ଜାତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେବା ଲକ୍ଷ୍ୟରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୁରୀର ସୌନ୍ଦର୍ଯ୍ୟକରଣକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ବିଚାରପତି ବିମଳ ପ୍ରସାଦ ଦାସ କମିସନଙ୍କ ସୁପାରିସ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରର ସୁରକ୍ଷା ଲାଗି ମେଘନାଦ ପ୍ରାଚୀର ଚତୁଃପାର୍ଶ୍ବର ୭୫ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣ ଉଚ୍ଛେଦ କରାଯିବାକୁ କ୍ୟାବିନେଟ ଅନୁମୋଦନ ମିଳିଛି।
ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଭିତ୍ତିଭୂମି ସୁଦୃଢ଼ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ପୁରୀକୁ ଆସୁଥିବା ବିଶ୍ବସ୍ତରୀୟ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ନିମନ୍ତେ କେତେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି
ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ କହିଛନ୍ତି। ସେ କହିଥିଲେ ଯେ ୨୦୧୭ରେ ଶ୍ରୀମନ୍ଦିରର ଉତ୍ତମ ପ୍ରଶାସନ, ସୁପରିଚାଳନା ତଥା ବିଭିନ୍ନ ସଂସ୍କାର ଲାଗି ବିଚାରପତି ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ କମିସନ ବସାଯାଇଥିଲା। କମିସନଙ୍କ ପକ୍ଷରୁ ଯେଉଁ କେତେକ ପରାମର୍ଶ ଆସିଛି ସେଥିମଧ୍ୟରେ ଶ୍ରୀମନ୍ଦିର ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ବିଶେଷ ଭାବେ ଗୁରୁତ୍ବ ଦିଆଯାଇଛି। କମିସନଙ୍କ ପକ୍ଷରୁ ୨ କମ୍ପାନୀ ଓଏସଏପି ମୁତୟନ କରିବାକୁ ପରାମର୍ଶ ରହିଛି। ଏହାବାଦ୍ ‘ୱାଚ୍ ଟାୱାର’ ନିର୍ମାଣ କରିବା, ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ କରିବା, ଜୋତା ଷ୍ଟାଣ୍ଡର ସୁବ୍ୟବସ୍ଥା କରିବା ସହିତ ଅଧିକ ପୁଲିସ ସୁରକ୍ଷା ବଳ ନିୟୋଜିତ କରିବାକୁ ଦର୍ଶାଯାଇଛି। ଶ୍ରୀମନ୍ଦିରର ଚାରିପଟେ ୭୫ ମିଟର ପରିଧି ଅଞ୍ଚଳକୁ ମୁକ୍ତ କରାଯିବ। ଏଠାରେ ଥିବା ବିଭିନ୍ନ ଦୋକାନ ବଜାର, ବାସଗୃହକୁ ଉଚ୍ଛେଦ କରାଯିବ। ତେବେ କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ନୀତି ଅନୁଯାୟୀ ଥଇଥାନ କରାଯିବା ସହ କ୍ଷତିପୂରଣ ଭରଣା କରାଯିବ। ଏହାବାଦ୍ ପାର୍କିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଶ୍ରୀମନ୍ଦିରର ଚତୁଃପାର୍ଶ୍ବରୁ ଉଚ୍ଛେଦ ଲାଗି ପୁରୀ ଜିଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି। ଜିଲାପାଳ ସେଠାରେ କେତେ ଦୋକାନ ଓ ବାସଗୃହ ଉଚ୍ଛେଦ ହେବ ତା’ର ଟିକିନିଖି ହିସାବ ସରକାରଙ୍କୁ ଅବଗତ କରାଇବେ। ଯାହା ଅର୍ଥ ବ୍ୟୟ ହେବ ତାକୁ ସରକାର ବହନ କରିବେ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ମେଘନାଦ ପ୍ରାଚୀର ନିକଟରୁ କୋଠା ଭାଙ୍ଗିବା ପାଇଁ ଓଡ଼ିଶା ହାଇକୋର୍ଟ ତିନିଟି ମାମଲାରେ ପୂର୍ବରୁ ଦେଇଥିବା ନିର୍ଦେଶକୁ ପ୍ରଶାସନ ପକ୍ଷରୁ ତର୍ଜମା କରାଯାଉଛି। ଜିଲାପାଳ ବଲୱନ୍ତ ସିଂହ ଏଥିନେଇ ଶ୍ରୀମନ୍ଦିର ପ୍ରଶାସନଠାରୁ ବିସ୍ତୃତ ତଥ୍ୟ ମାଗିଛନ୍ତି। ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଆଇନ ଉଲ୍ଲଙ୍ଘନ କରି ସେସବୁ କୋଠା ନିର୍ମାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସିଂହଦ୍ବାର ନିକଟରେ ଥିବା ୨ଟି ପ୍ରାଚୀନ ମଠକୁ ସୁରକ୍ଷିତ ରଖାଯିବ। ଆବଶ୍ୟକ ପଡ଼ିଲେ ପ୍ରଶାସନ ଏହି ମଠର ସୌନ୍ଦର୍ଯ୍ୟକରଣ ଦାୟିତ୍ବ ହାତକୁ ନେବ। ଶ୍ରୀମନ୍ଦିର ସିଂହଦ୍ବାରଠାରୁ ଲକ୍ଷ୍ମୀବଜାର ମଧ୍ୟରେ ରହିଥିବା ପ୍ରତିହାରୀ ନିଯୋଗ କୋଠା, ରାମଦୟା ପରିଷଦ, ସିଂହଦ୍ବାର ଫାଣ୍ଡି, ସ୍ଥାୟୀ ଜୋତାଷ୍ଟାଣ୍ଡ ଏବଂ ସୂଚନା କେନ୍ଦ୍ର ଭଙ୍ଗାଯିବା ସମ୍ଭାବନା ରହିଛି।
ସେହିପରି ଦକ୍ଷିଣଦ୍ବାର ନିକଟରେ ଥିବା ଜିନିଷ ରଖିବା ଘର (କ୍ଲକରୁମ୍‌), ଶୌଚାଳୟ ସମେତ ୨ଟି ଖଜା ଦୋକାନ ଭଙ୍ଗାଯିବାକୁ ପ୍ରସ୍ତାବ ରହିଛି। ପଶ୍ଚିମଦ୍ବାର ନିକଟସ୍ଥ ମେଘନାଦ ପ୍ରାଚୀରକୁ ଲାଗି ରହିଥିବା ସେସୁର ଫ୍ୟୁଜ୍‌ କଲ୍‌ କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର କରାଯିବ ଏବଂ ମେଘନାଦ ପ୍ରାଚୀରକୁ ସମ୍ପୂର୍ଣ୍ଣ ଅବରୋଧମୁକ୍ତ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ଜାତୀୟ କୀର୍ତ୍ତିଭାବେ ସ୍ବୀକୃତି ପାଇଥିବାରୁ ଏହାର ୧୦୦ମିଟର ମଧ୍ୟରେ କୌଣସି କୋଠାବାଡ଼ି ନିର୍ମାଣ କରାଯାଇ ପାରିବ ନାହିଁ। ଏହାଦ୍ବାରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ମେଘନାଦ ପ୍ରାଚୀରକୁ ଭକ୍ତମାନେ ଅବାଧରେ ଦେଖିପାରିବେ ବୋଲି ଜିଲାପାଳ ଶ୍ରୀ ସିଂହ କହିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories