ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଦିବ୍ୟାଙ୍ଗ ଭକ୍ତଙ୍କୁ ଦିଆଯିବ ଅନୁମତି, ଦର୍ଶନ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବାକୁ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। ଉତ୍ତର ଦ୍ୱାର ସମ୍ମୁଖରେ ସେମାନଙ୍କ ପାଇଁ ଅସ୍ଥାୟୀ ବିଶ୍ରାମ ଗୃହ ନିର୍ମାଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପରିକ୍ରମା ମାର୍ଗ ଲୋକାର୍ପଣ ପରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗ ଭକ୍ତମାନେ ହୁଇଲ୍‌ ଚେୟାର ଯୋଗେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଏବଂ ଶ୍ରୀଜୀଉଙ୍କ ଦର୍ଶନ ପରେ ସେହି ରାସ୍ତା ଦେଇ ପ୍ରସ୍ଥାନ କରିବେ। ଏଥିପାଇଁ ଖୁବ୍‌ଶୀଘ୍ର ଏକ ମାର୍ଗଦର୍ଶିକା ଜାରି କରାଯିବ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବାକୁ ଦୀର୍ଘଦିନ ହେବ ଦାବି ହୋଇ ଆସୁଛି।

ଏଥିନେଇ ଏକ ମାମଲାର ବିଚାର କରି ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ତାହାକୁ ଭିତ୍ତିକରି ଶ୍ରୀମନ୍ଦିର ଉତ୍ତର ପାର୍ଶ୍ବ ପାହାଚରେ ଖସଡ଼ା ନିର୍ମାଣ କରାଯାଇଛି। ଆନନ୍ଦ ବଜାର ଭିତର ଦେଇ ଦିବ୍ୟାଙ୍ଗ ଭକ୍ତମାନେ ସାତ ପାହାଚ ଦେଇ ନାଟ ମଣ୍ଡପରେ ପ୍ରବେଶ କରିବା ପ୍ରସ୍ତାବ ରହିଛି। ତେବେ ଆନନ୍ଦ ବଜାର ଦେଇ ଦିବ୍ୟାଙ୍ଗ ଭକ୍ତଙ୍କ ଯାତାୟାତ ପ୍ରସ୍ତାବକୁ କେତେକ ସେବକ ବିରୋଧ କରିଛନ୍ତି। ତେଣୁ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନାହିଁ। ଶ୍ରୀମନ୍ଦିର ପ୍ରଶାସନର ଏଭଳି ଅବହେଳାକୁ ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସଂଘ ପ୍ରତିବାଦ କରିଛି। ସଭାପତି ଗଜଲକ୍ଷ୍ମୀ ରାୟଙ୍କ ନେତୃତ୍ୱରେ ବହୁ ଦିବ୍ୟାଙ୍ଗ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣା ଦେଇଥିଲେ।

ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ସେମାନଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ଜାନୁଆରୀ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ମାର୍ଗ ତଥା ଐତିହ୍ୟ କରିଡର ଉଦ୍‌ଘାଟନ ପ୍ରସ୍ତାବ ରହିଛି। ଏହାପରେ ଉତ୍ତର ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଦିବ୍ୟାଙ୍ଗ ଭକ୍ତଙ୍କୁ ଅନୁମତି ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।

Comments are closed.