ଶ୍ରୀମନ୍ଦିର ସରଘରେ ନିଆଁ

ପୁରୀ: ଶ୍ରୀମନ୍ଦିର ସରଘରେ ଶନିବାର ରାତିରେ ଅଗ୍ନିକାଣ୍ଡ ହୋଇଛି। ସେଥିରେ ଥିବା କିଛି ଚାଉଳ ଓ ଡାଲି ସମେତ ରୋଷେଇ ଉପକରଣ ପୋଡ଼ିଯାଇଛି। ସେବାୟତମାନେ ପାଣିଢାଳି ନିଆଁକୁ ଆୟତ୍ତ କରିଛନ୍ତି। ଏହି ସରଘର ଜଣେ ସୁଆର ସେବକଙ୍କ ଦଖଲ‌େ‌ର ଥିବା ଜଣାପଡ଼ିଛି । ଘର ଭିତରେ ସେ ରୋଷ ସାମଗ୍ରୀ ରଖି ବାହାରୁ ତାଲା ପକାଇଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଘର ଭିତରୁ ଧୂଆଁ ବାହାରିଥିଲା । ଘର ଭିତରେ କିଛି ଅଧାପୋଡ଼ା କାଠ ରଖାଯାଇଥିବାରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ଏ ସମ୍ପର୍କରେ ମନ୍ଦିର ପ୍ରଶାସନର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଶ୍ରୀମନ୍ଦିର ଭିତର ସରଘରେ ନିଆଁ ଲାଗିବା ଘଟଣା ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ସିଂହଦ୍ବାର ଥାନା ପୁଲିସ ଏବଂ ଜେଟିପି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏଥିନେଇ ଥାନାରେ ଅଭିଯୋଗ ହୋଇନଥିବା ଇନ୍ସପେକ୍ଟର ସୁନିଲ କୁମାର ପ୍ରଧାନ କହିଛନ୍ତି।

Comments are closed.