ସୋମବାର ପ୍ରସ୍ତୁତ ହେବ ରଥଯାତ୍ରା ନୀତିନିର୍ଘଣ୍ଟ
ପୁରୀ : ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକ ସୋମବାର ଅନୁଷ୍ଠିତ ହେବ। ସେଥିରେ ରଥଯାତ୍ରା ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବ। ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଚଳିତବର୍ଷ ହେବ କି ନାହିଁ ସେଥିନେଇ ଛତିଶା ନିଯୋଗ ନିଷ୍ପତ୍ତି ନେବ। ଜୁଲାଇ ୧୪ରେ ଶ୍ରୀଗୁଣ୍ଡିଚା, ୨୧ରେ ସନ୍ଧ୍ୟାଦର୍ଶନ, ୨୨ରେ ବାହୁଡା, ୨୩ରେ ସୁନାବେଶ, ୨୪ରେ ଅଧରପଣା ଏବଂ ୨୫ତାରିଖରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ଏହିସବୁ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ସମୟ ନିର୍ଦ୍ଧାରଣ କରାଯିବ। ଏହାଛଡା ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଆଡପ ମଣ୍ଡପରେ ବିଜେ କରିବା ବେଳେ ଦୈନନ୍ଦିନ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବ ବୋଲି ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ବୈଠକରେ ଅଧ୍ୟକ୍ଷତା କରିବେ। ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ସବୁ ସେବକ ନିଯୋଗ ସଭାପତି ଓ ସମ୍ପାଦକଙ୍କୁ ସେଥିରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଆଲୋଚନା ନିମନ୍ତେ ୩ଟି ଏଜେଣ୍ଡା ରହିଛି। ଶ୍ରୀଜୀଉଙ୍କ ଆଗାମୀ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନୀତିନିର୍ଘଣ୍ଟ ପ୍ରସ୍ତୁତ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କାର୍ଯ୍ୟକାରୀ ସେଥିରେ ମୁଖ୍ୟ ପ୍ରସଙ୍ଗ ରହିଛି।
ଏହାପରେ ପରିଚାଳନା କମିଟି ବୈଠକ ଡକାଯାଇ ଛତିଶା ନିଯୋଗ ଦ୍ୱାରା ପ୍ରସ୍ତୁତ ନୀତିନିର୍ଘଣ୍ଟ ଅନୁମୋଦନ କରାଯିବ। ଶ୍ରୀମନ୍ଦିର ଭିତରେ କୌଣସି ସେବକ ଭକ୍ତଙ୍କଠାରୁ ଦାନ, ଦକ୍ଷିଣା ଏବଂ ଅଳଙ୍କାର ଗ୍ରହଣ କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଗତ ୮ତାରିଖ ଦିନ ନିର୍ଦେଶ ଦେଇଥିଲେ। ତାହାକୁ ଭିତ୍ତିକରି ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ସୂଚନା ଫଳକ (ହୋର୍ଡିଂ) ଲଗାଯାଇଛି। ସେବକଙ୍କ ପରିବର୍ତ୍ତେ ହୁଣ୍ଡିବାକ୍ସରେ ଦାନଦକ୍ଷିଣା ଦେବାକୁ ଭକ୍ତଙ୍କୁ ପରାମର୍ଶ ଦିଆଯାଇଛି। ଛତିଶା ନିଯୋଗ ବୈଠକରେ କେତେକ ସେବକ ନିଯୋଗ ଏହି ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି।