ରାସ୍ତାକୁ ଗାଈଗୋରୁ ଛାଡ଼ିଲେ ଜୋରିମାନା
ପୁରୀ: ରାସ୍ତାକୁ ଗୋରୁଗାଈ ଛାଡିଲେ ଏଣିକି ଜୋରିମାନା ଦେବାକୁ ପଡିବ। ପୌରସଂସ୍ଥା ପକ୍ଷରୁ ସୋମବାର ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସହରର କେତେକ ବ୍ୟକ୍ତି ଗୋପାଳନ କରୁଥିଲେ ମଧ୍ୟ ସେମାନଙ୍କୁ ରାସ୍ତାକୁ ଛାଡି ଦେଉଛନ୍ତି। ଏଥିଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଛି। ଗୋପାଳକମାନେ ଗୋରୁଗାଈଙ୍କୁ ବାହାରକୁ ନଛାଡିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ପରାମର୍ଶ ଦେଇଛନ୍ତି। ରାସ୍ତାରେ ବୁଲୁଥିବା ଗୋରୁଗାଈଙ୍କୁ ପୌରସଂସ୍ଥା ଧରିନେଇ ଅସ୍ଥାୟୀ ଗୋଶାଳାରେ ରଖିବାକୁ ସ୍ଥିର ହୋଇଛି। ଗୋରୁ ମାଲିକଙ୍କଠାରୁ ଜୋରିମାନା ଆଦାୟ ପରେ ଗୋରୁଙ୍କୁ ଛଡାଯିବ। ପୁରୀ-କୋଣାର୍କ ବେଳାଭୂମି ମାର୍ଗ ନିକଟରେ ସ୍ଥାୟୀ ଗୋଶାଳା ନିର୍ମାଣ ନିମନ୍ତେ ଜିଲା ପ୍ରଶାସନ ସ୍ଥିର କରିଛି। ଏଥିପାଇଁ ୧୦ଏକର ଜମି ଚିହ୍ନଟ କରାଯାଇଛି। ଖୁବ୍ଶୀଘ୍ର ଗୋଶାଳା ନିର୍ମାଣ ଆରମ୍ଭ କରାଯିବ ବୋଲି ପୌର ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି। ପୁରୀ ସହରରେ ଗୋପାଳନ କରୁଥିବା ବ୍ୟକ୍ତି ଏବଂ ସଂସ୍ଥା ଗୁଡିକର ତାଲିକା ପ୍ରସ୍ତୁତ ନିମନ୍ତେ ବୈଠକରେ ସ୍ଥିର କରାଯାଇଛି। ଜିଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରତାପ କିଶୋର ଖମାରି, ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ଦାଶ, ପଶୁ ଚିକିତ୍ସାଳୟ ଉପନିର୍ଦେଶକ ଡାକ୍ତର ପ୍ରଶାନ୍ତ କୁମାର ସ୍ବାଇଁ, ନୋଡାଲ ଅଫିସର ଆଲୋକ କୁମାର ମିଶ୍ର ସେଥିରେ ଉପସ୍ଥିତ ଥିଲେ।