୧୩ ପାର୍ଶ୍ବ ମନ୍ଦିରର ମରାମତି ଆବଶ୍ୟକ

0

ଜୁଲାଇ ୫ରେ ପରବର୍ତ୍ତୀ ଶୁଣାଣି

କଟକ : ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଛି। ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୁପରଟେଣ୍ଡେଡିଂଙ୍ଗ ଏଚ. କେ ନାୟକଙ୍କ ପକ୍ଷରୁ ଖଣ୍ଡପୀଠରେ ସତ୍ୟପାଠ ଦାଖଲ କରାଯାଇ ମନ୍ଦିର ମରାମତି କାମର ଅଗ୍ରଗତି ସଂପର୍କରେ କୋର୍ଟଙ୍କୁ ଅବଗତ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମେ ୧୨ ରୁ ଜୟ ବିଜୟ ଦ୍ୱାରର ମରାମତି ଆରମ୍ଭ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଇଛି ଏଏସଆଇ। ଏହି କାମ ଦୁଇ ଓଳି ଚାଲୁଥିବା ଏଏସଆଇ ଦର୍ଶାଇ ସକାଳ ଓ ଅପରାହ୍ଣରେ ହେଉଛି ବୋଲି ଉଲ୍ଲେଖ କରିଛି। କାମ ସମୟରେ ଭକ୍ତଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଆବଶ୍ୟକ ବୋଲି ଦର୍ଶାଯାଇଛି। ଜଗନ୍ନାଥ ମନ୍ଦିର ପରିସରରେ ଥିବା ସମସ୍ତ ପାର୍ଶ୍ବ ଦେବାଦେବୀ ମନ୍ଦିରର ସ୍ଥିତି ସଂପର୍କରେ ଯାଞ୍ଚ କରି ସ୍ଥିତି ସଂପର୍କରେ ତଥ୍ୟ ରଖିବା ପାଇଁ କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ମନ୍ଦିର ବେଢା ମଧ୍ୟରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ସେଥିମଧ୍ୟରେ ଜଳକ୍ରୀଡା ମଣ୍ଡପ, ଝୁଲଣ ମଣ୍ଡପ ସମେତ ମୁକ୍ତି ମଣ୍ଡପ, ମା ସର୍ବମଙ୍ଗଳା ମନ୍ଦିର, ଆଦି ନରସିଂହ, ମା ଲକ୍ଷ୍ମୀ, ସୂର୍ଯ୍ୟ ମନ୍ଦିର, ପାତଳେଶ୍ୱର, ବୈକୁଣ୍ଠେଶ୍ୱର, ମା ଅର୍ଣ୍ଣପୂର୍ଣ୍ଣା, ରାମ ମନ୍ଦିର, ବରଭେ ହନୁମାନ ମନ୍ଦିର, ପଶ୍ଚିମ ଦ୍ୱାର ଓ ସିଂହଦ୍ୱାର, ରାଧାକୃଷ୍ଣ ମନ୍ଦିରର କାମ ନିହାତି ଆବଶ୍ୟକ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଏହି ୧୩ମନ୍ଦିରରୁ ୬ଟି ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବା ଏଏସଆଇ ଦର୍ଶାଇଥିବାବେଳେ ଏହାର କାମ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୫ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ଜୟ ବିଜୟ ଦ୍ୱାର କାମ ଧାର୍ଯ୍ୟ ସମୟସୀମାରେ ସମାପ୍ତ ହେବ ବୋଲି କୋର୍ଟ ଆଶା ରଖିଛନ୍ତି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର, ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

Leave A Reply