ଏମର୍ଜେନ୍ସି ଚଳଚ୍ଚିତ୍ରକୁ ବ୍ରିଟେନରେ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିଦେଶ ମନ୍ତ୍ରଣାଳୟ

ସମାଜ ଡିଜିଟାଲ ଡେସ୍କ: ବ୍ରିଟେନରେ ବଲିଉଡ ଚଳଚ୍ଚିତ୍ର ‘ଏମର୍ଜେନ୍ସି’କୁ ବିରୋଧ କରାଯାଇଛି। ବିଭିନ୍ନ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଚାଲୁଥିବାବେଳେ ବିଚ୍ଛିନ୍ନତାବାଦୀମାନେ ଏହାକୁ ବନ୍ଦ କରିବା ଦାବିରେ ଆନ୍ଦୋଳନ ଚଳାଇଛନ୍ତି। ଏପରି କି ପ୍ରେକ୍ଷାଳୟଗୁଡ଼ିକରେ ପଶି ବଳପୂର୍ବକ ଚଳଚ୍ଚିତ୍ର ପ୍ରଦର୍ଶନକୁ ଅଟକାଇଛନ୍ତି। ଏହାକୁ ନେଇ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଚିନ୍ତାବ୍ୟକ୍ତ କରିଛି। ଆଇନ ବିରୋଧୀ କାର୍ଯ୍ୟକଳାପକୁ ଦମନ କରିବା ଲାଗି ଭାରତ ପକ୍ଷରୁ ବ୍ରିଟେନ ସରକାରଙ୍କ ନିକଟରେ ଦାବି କରାଯାଇଛି।

ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି, ବ୍ରିଟେନରେ ଏକାଧିକ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଚାଲୁଥିବାବେଳେ ତାହାକୁ ବନ୍ଦ କରାଯିବା ନେଇ ବିଭିନ୍ନ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଭଳି ବେଆଇନ କାର୍ଯ୍ୟ କରୁଥିବା ଭାରତ ବିରୋଧୀ ତତ୍ତ୍ଵ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ବ୍ରିଟେନ ସରକାରଙ୍କୁ ଅବଗତ କରାଯାଇଛି। ବାକ୍ ସ୍ଵାଧୀନତା ଚୟନମୂଳକ ଭାବେ ଲାଗୁ କରାଯାଇପାରିବ ନାହିଁ। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ। ଏ ଦିଗରେ ବ୍ରିଟେନ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ଥିବା ସେ କହିଛନ୍ତି।

Comments are closed.