‘ପ୍ରୋମିଜ୍’ ଆରମ୍ଭ, ୱାଟର ଇଆର୍‌ପି ଖୁବ୍‌ଶୀଘ୍ର

ଜଳସମ୍ପଦ ବିଭାଗରେ ଯୋଗଦେଲେ ୨୫୭ ଯନ୍ତ୍ରୀ, ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ପାଇଁ ୧୨ ହଜାର କୋଟି

ଭୁବ‌େ‌ନଶ୍ବର : ରାଜ୍ୟ ଜଳସମ୍ପଦ ବିଭାଗରେ ବୁଧବାର ୮୭ ଜଣ ମହିଳା ଯନ୍ତ୍ରୀଙ୍କ ସମେତ ମୋଟ ୨୫୭ କନିଷ୍ଠ ଯନ୍ତ୍ରୀ(ସିଭିଲ) ଯୋଗଦାନ କରିଛନ୍ତି। ଏହି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମକୁ ଆଭାସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନବନିଯୁକ୍ତ ଯନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସଚ୍ଚୋଟ ଏବଂ ସମ୍ବେଦନଶୀଳ ହୋଇ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟରେ ୨୫୦୦ରୁ ଅଧିକ ଡ୍ୟାମ୍ ରହିଛି । ଲୋୟର ସୁକତେଲ, କାନପୁର ଏବଂ ଘଟକେଶ୍ବର ଭଳି ପ୍ରମୁଖ ଡ୍ୟାମର କାର୍ଯ୍ୟ ଜାରି ରହିଛି। ଏହାସହିତ ଜଳସମ୍ପଦ ବିଭାଗ ୩୦ଟି ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ନିର୍ମାଣ କରୁଥିବାବେଳେ ଆଉ ୧୬ରୁ ଅଧିକ ଯୋଜନାରେ ରହିଛି। ଏଥିପାଇଁ ୧୨ ହଜାର କୋଟି ଟଙ୍କାର ବଜେଟ୍ ଅଟକଳ କରାଯାଇଛି। ଏହି ଷ୍ଟ୍ରକ୍‌ଚରଗୁଡ଼ିକ ଭୂତଳ ଜଳ ସ୍ତର ବୃଦ୍ଧି ଏବଂ ଭୂପୃଷ୍ଠ ଜଳ ସଂରକ୍ଷଣ ଭଳି ସୁବିଧା ପ୍ରଦାନ କରିବ। ନୂତନ ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ ତଦାରଖରେ କନିଷ୍ଠ ଯନ୍ତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହାସହ ଶେଷ ହୋଇଥିବା ପ୍ରକଳ୍ପଗୁଡ଼ିକର ପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଚାଷଜମିକୁ ଜଳସେଚନ ସୁନିଶ୍ଚିତ କରିବାରେ କନିଷ୍ଠ ଯନ୍ତ୍ରୀଙ୍କ ଗୁରୁଦାୟିତ୍ବ ରହିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରୋକିଓରମେଣ୍ଟ ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମ୍ (ପ୍ରୋମିଜ୍) ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହାସହ ୫-ଟି ଉପକ୍ରମ ଅଧିନରେ ଏକ କମ୍ପ୍ୟୁଟର ଆପ୍ଲିକେସନ ‘ୱାଟର ଇଆର୍‌ପି’ ଖୁବଶୀଘ୍ର ଆରମ୍ଭ ହେବା ସମ୍ପର୍କରେ ସେ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଦାୟିତ୍ବପୂର୍ଣ୍ଣ ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ନୂଆ ଯନ୍ତ୍ରୀଙ୍କୁ ଆହ୍ବାନ କରିଥିଲେ। ତିନିଜଣ ନୂଆ ଯନ୍ତ୍ରୀ ସ୍ଥିତିପ୍ରଜ୍ଞାନ ବିଶ୍ବାଳ, ଲୋକେଶ ବଳ ଏବଂ ନିକିତା ମାଝୀ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଏବଂ ସମୟାନୁବର୍ତ୍ତିତା ସମ୍ପର୍କରେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା, ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ପ୍ରଦାନ ଓ ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.