ବନ୍ଦ ରହିଲା ଘରୋଇ ହସ୍ପିଟାଲ, ସରକାରଙ୍କୁ ୩୦ ଦିନର ମହଲତ
ଭୁବନେଶ୍ୱର: ପୂର୍ବ ଘୋଷଣା ଅନୁସାରେ ଅଲ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ପକ୍ଷରୁ ରାଜ୍ୟବ୍ୟାପୀ ସମସ୍ତ ଘରୋଇ ହସ୍ପିଟାଲ ଶୁକ୍ରବାର ବନ୍ଦ ରହିଥିଲା। ୨୪ଘଣ୍ଟା କାଳ ଘରୋଇ ହସ୍ପିଟାଲ ବନ୍ଦ ରହିବା ଫଳରେ ରାଜ୍ୟର ପ୍ରମୁଖ ସହରମାନଙ୍କରେ ସ୍ୱାସ୍ଥ୍ୟସେବା କିଛିଟା ପ୍ରଭାବିତ ହୋଇଥିଲା। କେବଳ ପୂର୍ବରୁ ବେଡ୍ରେ ଥିବା ରୋଗୀଙ୍କ ବ୍ୟତୀତ ଅନ୍ୟ କୌଣସି ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଇନଥିଲା । ଅନ୍ୟପକ୍ଷରେ ଏହାକୁ ଦୃଷ୍ଟିରେ ରଖି ସରକାର ସବୁ ହସ୍ପିଟାଲକୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଥିଲେ। କଟକ ବଡ ମେଡିକାଲ ସହିତ କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କ ଲମ୍ବାଲାଇନ ଲାଗିଥିଲା । ଏମିତିକି ଓପିଡି ଏବଂ ଆଇପିଡିରେ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସିତ ହୋଇଥିଲେ।
କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ସହିତ ୧୦ ଦଫା ଦାବି ନେଇ ରାଜ୍ୟର ୪୦୦ରୁ ଊଦ୍ଧ୍ୱର୍ ଘରୋଇ ହସ୍ପିଟାଲ ପକ୍ଷରୁ କର୍ମକର୍ତ୍ତାମାନେ ଯୋଗଦେଇ ଭୁବନେଶ୍ୱରରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ପାତରଅନ୍ତର ନୀତିକୁ ବିରୋଧ କରିଥିଲେ । ମାଷ୍ଟରକ୍ୟାଣ୍ଟିନ ଛକରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍ଜିଠାରେ ଏକ ପ୍ରତିବାଦ ସଭା କରିବା ସହିତ ସେମାନଙ୍କ ଯୁକ୍ତିଯୁକ୍ତ ଦାବିନେଇ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଯଦି ସରକାର ୩୦ଦିନ ମଧ୍ୟରେ କୌଣସି ନିଷ୍ପତ୍ତି ନ ନିଅନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଫୋରମ ପକ୍ଷରୁ ସୂଚନା ଦିଆଯାଇଛି। ସରକାର ଘରୋଇ ହସ୍ପିଟାଲ୍ ପାଇଁ ଭିନ୍ନ ନିୟମ ପ୍ରଣୟନ କରି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଛନ୍ତି। ସରକାରୀ ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲ ପାଇଁ ଅଲଗା ଅଲଗା ନିୟମ କାହିଁକି ବୋଲି ପ୍ରଶ୍ନ କରିଛି ଅଲ ଓଡିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ।
ଅପରପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ବ୍ରଜକିଶୋର ବ୍ରହ୍ମା କହିଛନ୍ତି ଯେ ଘରୋଇ ହସ୍ପିଟାଲ ବନ୍ଦର କୌଣସି ପ୍ରଭାବ ରୋଗୀ ସେବା ଉପରେ ପଡିନାହିଁ। ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ତେବେ ରାଜଧାନୀ ଭୁବନେଶ୍ୱର ସମେତ ପ୍ରମୁଖ ସହରରେ ଥିବା ସରକାରୀ ହସ୍ପିଟାଲ, ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ୟ ଦିନ ଅପେକ୍ଷା ଆଜି ରୋଗୀ ସଂଖ୍ୟା ଅଧିକ ରହିଥିଲା। ଫୋରମର ଦାବି ସମ୍ପର୍କରେ ସରକାର ଅବଗତ ଅଛନ୍ତି। ଆଗାମୀ ଦିନରେ ଫୋରମର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ବ୍ରହ୍ମା ସୂଚନା ଦେଇଛନ୍ତି।