ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସାରା ବିଶ୍ୱ ଆମ ପାଇଁ ଏକ ପରିବାର। ଆଜି ସନ୍ଧ୍ୟାରେ ମିଳିତ ଜାତିସଂଘର ୭୫ତମ ସାଧାରଣ ସଭା ଅଧିବେଶନକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ମିଳିତ ଜାତିସଂଘରେ ସଂସ୍କାର। ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଶ୍ନ କରିଛନ୍ତି ଯେ ଜାତିସଂଘର ନିଷ୍ପତ୍ତି ନେବା ପ୍ରକ୍ରିୟାରୁ ଭାରତକୁ କେତେ ଦିନ ଦୂରରେ ରଖାଯିବ? ସେ କହିଛନ୍ତି, ବିଶ୍ୱରେ ବୈପ୍ଲବିକ ପରିବର୍ତ୍ତନ ଆସିଛି ଏବଂ ଏହା ୧୯୪୫ ମସିହାରେ ପ୍ରଚଳିତ ସମୟଠାରୁ ବହୁତ ଅଲଗା ଅଟେ। ସେ ଦର୍ଶାଇଛନ୍ତି ଯେ ଯେତେବେଳେ ତୃତୀୟ ବିଶ୍ୱଯୁଦ୍ଧ ହୋଇନାହିଁ, ସେତେବେଳେ ଅନେକ ଯୁଦ୍ଧ, ଗୃହଯୁଦ୍ଧ ଏବଂ ଆତଙ୍କବାଦୀ ଆକ୍ରମଣ ବିଶ୍ୱର ଛାତି ଥରାଇ ଦେଇଛି।
ମିଳିତ ଜାତିସଂଘ କରୋନା ଭାଇରସ୍ ମହାମାରୀ ବିରୋଧରେ ମିଳିତ ସଂଗ୍ରାମରେ କେଉଁଠାରେ ଅଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନ କରିଛନ୍ତି। ଏହାର ପ୍ରଭାବଶାଳୀ ପ୍ରତିକ୍ରିୟା କେଉଁଠି ଅଛି ସେ ଜାଣିବାକୁ ଚାହିଁଛନ୍ତି। ସେ କହିଛନ୍ତି, ଗତ ୭୫ ବର୍ଷ ମଧ୍ୟରେ ଜାତିସଂଘ ଅନେକ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛୁ, କିନ୍ତୁ ଏଭଳି ଅନେକ ଉଦାହରଣ ଅଛି ଯାହା ମିଳିତ ଜାତିସଂଘର କାର୍ଯ୍ୟଧାରାର ସମୀକ୍ଷା ଆବଶ୍ୟକ କରୁଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତିସଂଘର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରେ ଜଣେ ହୋଇଥିବାରୁ ଭାରତ ଗର୍ବିତ। ସେ କହିଛନ୍ତି, ଜାତିସଂଘର ସଂସ୍କାର ପ୍ରକ୍ରିୟା ଶେଷ ହେବା ପାଇଁ ଭାରତର ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ଏହି ସଂସ୍କାର ପ୍ରକ୍ରିୟା କେବେ ତାର ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚିବ କି ନାହିଁ ସେ ଭାରତୀୟ ଲୋକଙ୍କ ଚିନ୍ତା ବ୍ୟକ୍ତ କରିଛନ୍ତି।
ମୋଦୀ କହିଛନ୍ତି, ଶାନ୍ତି ବଜାୟ ରଖିବାରେ ଭାରତ ସର୍ବାଧିକ ସୈନିକ ହରାଇଛି। ସେ କହିଛନ୍ତି, ଜାତିସଂଘରେ ଭାରତର ବିସ୍ତାରିତ ଭୂମିକା ପାଇଁ ପ୍ରତ୍ୟେକ ଭାରତୀୟ ଆଗ୍ରହ ପ୍ରକାଶ କରନ୍ତି | ସେ କହିଛନ୍ତି ଯେ ଭାରତ ସର୍ବଦା ମାନବଜାତିର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛି ଏବଂ ନିଜ ସ୍ୱାର୍ଥ ଦ୍ୱାରା ପରିଚାଳିତ ହେଉନାହିଁ। ଭାରତର ପଡ଼ୋଶୀ ପ୍ରଥମ ନୀତି ଠାରୁ ଆରମ୍ଭ କରି ପୂର୍ବ ନୀତି କିମ୍ବା ଭାରତ ପ୍ରଶାନ୍ତ ମହାସାଗର ଅଂଚଳ ପ୍ରତି ଥିବା ଦୃଷ୍ଟିକୋଣରୁ ଭାରତ ସର୍ବଦା ମାନବଜାତିର ଉନ୍ନତି ଦିଗରେ କାର୍ଯ୍ୟ କରିଆସୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ସହଭାଗୀତା ସର୍ବଦା ଏହି ନୀତି ଦ୍ୱାରା ପରିଚାଳିତ ହୋଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ଦେଶ ପ୍ରତି ଭାରତର ବନ୍ଧୁତ୍ୱ କୌଣସି ତୃତୀୟ ଦେଶ ବିରୁଦ୍ଧରେ ଅଭିପ୍ରେତ ନୁହେଁ।
ଆଜିର ଉଦବୋଧନରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କରନା ମହାମାରୀ ଭଳି କଠିନ ସମୟରେ ମଧ୍ୟ ଭାରତୀୟ ଔଷଧ ଶିଳ୍ପ ୧୫୦ରୁ ଅଧିକ ଦେଶକୁ ଅତ୍ୟାବଶ୍ୟକ ଔଷଧ ପଠାଇଛି। ସେ ନିଶ୍ଚିତ କରିଛନ୍ତି ଯେ ସବୁଠାରୁ ବଡ ଟିକା ଉତ୍ପାଦନକାରୀ ଦେଶ ଭାବରେ ଭାରତର ଟିକା ଉତ୍ପାଦନ ଏବଂ ବିତରଣ କ୍ଷମତା ସମସ୍ତ ସମାଜକୁ କରନା ମହାମାରୀ ସହିତ ମୁକାବିଲା କରିବାରେ ସାହାଯ୍ୟ କରିବ। ଆସନ୍ତା ବର୍ଷ ଜାନୁଆରୀରୁ ଭାରତ ସୁରକ୍ଷା ପରିଷଦର ଜଣେ ସ୍ଥାୟୀ ସଦସ୍ୟ ଭାବରେ ମଧ୍ୟ ନିଜର ଦାଇତ୍ୱ ନିର୍ବାହ କରିବ ବୋଲି ମୋଦୀ କହିଛନ୍ତି। ଭାରତ ସର୍ବଦା ଶାନ୍ତି, ନିରାପତ୍ତା ଏବଂ ସମୃଦ୍ଧିର ସମର୍ଥନରେ କହିବ ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହ କହିଛନ୍ତି। ଆତଙ୍କବାଦ ଭଳି ମାନବିକତାର ଶତ୍ରୁ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ଭାରତ ଦ୍ୱିଧା କରିବ ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ‘ଆତ୍ମ ନିର୍ଭର ଭାରତ’ ଦୃଷ୍ଟିକୋଣ ସହିତ ଆଗକୁ ବଢୁଛି। ସେ କହିଛନ୍ତି ଯେ ଏକ ଆତ୍ମନିର୍ଭରଶୀଳ ଭାରତ ମଧ୍ୟ ବିଶ୍ୱ ଅର୍ଥବ୍ୟବସ୍ଥା ପାଇଁ ଏକ ଶକ୍ତି ଭାବେ ଉଭା ହେବ। ମହିଳା ଉଦ୍ୟୋଗ ଏବଂ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ଭାରତୀୟ ମହିଳାମାନେ ଆଜି ବିଶ୍ୱର ବୃହତ୍ତମ ମାଇକ୍ରୋ ଫାଇନାନ୍ସ ଯୋଜନାର ସବୁଠାରୁ ବଡ ହିତାଧିକାରୀ ଅଟନ୍ତି। ସେ କହିଛନ୍ତି ଯେ ଆବଶ୍ୟକ ଆଇନଗତ ସଂସ୍କାର ମାଧ୍ୟମରେ ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ମଧ୍ୟ ସୁରକ୍ଷିତ ରହିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସର୍ବଦା ମାନବିକତା, ମାନବ ଜାତି ଏବଂ ମାନବିକ ମୂଲ୍ୟବୋଧର ଶତ୍ରୁ ବିରୁଦ୍ଧରେ ଏବଂ ଆତଙ୍କବାଦ, ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ଡ୍ରଗ୍ସ, ଅର୍ଥ ହେରଫେର ବିରୋଧରେ ସ୍ୱର ଉତ୍ତୋଳନ କରିଛି। ସେ କହିଛନ୍ତି, ଭାରତର ସାଂସ୍କୃତିକ ଐତିହ୍ୟ ଓ ହଜାର ହଜାର ବର୍ଷର ଅଭିଜ୍ଞତା ବିକାଶଶୀଳ ଦେଶମାନଙ୍କୁ ସର୍ବଦା ଶକ୍ତି ଯୋଗାଇବ।
ବିଗତ କିଛି ବର୍ଷ ମଧ୍ୟରେ ସଂସ୍କାର-ପ୍ରଦର୍ଶନ-ରୂପାନ୍ତରର ମନ୍ତ୍ର ସହିତ ଭାରତ କୋଟି କୋଟି ଭାରତୀୟଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି ଏବଂ ଏହି ଅନୁଭୂତି ବିଶ୍ୱର ଅନେକ ଦେଶ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, କେବଳ ୪-୫ ବର୍ଷ ମଧ୍ୟରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ୪୦୦ ମିଲିୟନରୁ ଅଧିକ ଲୋକଙ୍କୁ ସଂଯୋଗ କରିବା ସହଜ ନଥିଲା, କିନ୍ତୁ ଭାରତ ଏହା କରିପାରିଛି। କେବଳ ୪-୫ ବର୍ଷ ମଧ୍ୟରେ ୬୦୦ ନିୟୁତ ଲୋକଙ୍କୁ ବାହ୍ୟ ମଳତ୍ୟାଗରୁ ମୁକ୍ତ କରିବା ସହଜ ନଥିଲା କିନ୍ତୁ ଭାରତ ମଧ୍ୟ ଏହା କରିଛି ବୋଲି ମୋଦୀ ଜାତିସଂଘର କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଡିଜିଟାଲ୍ କାରବାର ଦୃଷ୍ଟିରୁ ଭାରତ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ରହିଛି ଓ|ଭାରତ ନିଜର ଲକ୍ଷ ଲକ୍ଷ ନାଗରିକଙ୍କୁ ଡିଜିଟାଲ ମାଧ୍ୟମରେ ସଶକ୍ତ କରିବା ସହ ସ୍ୱଚ୍ଛତା ସୁନିଶ୍ଚିତ କରିଛି। ଦେଶର ୧୫୦ ନିୟୁତ ଗ୍ରାମାଞ୍ଚଳରେ ଘରକୁ ଘର ପାନୀୟ ଜଳ ଯୋଗାଇବା ପାଇଁ ଭାରତ ଏକ ଅଭିଯାନ ଆରମ୍ଭ କରିଛି ଏବଂ କିଛି ଦିନ ପୂର୍ବରୁ ଭାରତ ଏହାର ୬ ଲକ୍ଷ ଗ୍ରାମକୁ ବ୍ରଡବ୍ୟାଣ୍ଡ ଅପ୍ଟିକାଲ ଫାଇବର ସହିତ ସଂଯୋଗ କରିବା ପାଇଁ ଏକ ବହୁତ ବଡ ଯୋଜନା ଆରମ୍ଭ କରିଥିବା ସେ କହିଛନ୍ତି।



