ରାଞ୍ଚିରେ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କଲେ ମୋଦୀ; କହିଲେ ଏହା ଟ୍ରେଲର, ଫିଲ୍ମ ବାକି ଅଛି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ କୃଷକଙ୍କ ପେନସନ ପାଇଁ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଏବଂ ସାହିବଗଂଜରେ ମଲ୍ଟି ମୋଡାଲ ଟର୍ମିନାଲ ଅନ୍ତର୍ଭୁକ୍ତ ରହିଛି। ଏହି ଅବସରରେ ମୋଦୀ କହିଥିଲେ ଯେ ଦେଶବାସୀ ସରକାରଙ୍କ ଦମଦାର ଟ୍ରେଲର ଦେଖିଲେ, ହେଲେ ଏବେ ପୂରା ପିଲ୍ମ ବାକି ଅଛି।
ମୋଦୀଙ୍କ କହିବା ଅନୁସାରେ ଏବେ ତ ଆରମ୍ଭ ମାତ୍ର ଆହୁରି ୫ ବର୍ଷ ବାବି ଅଛି। ମୋଦୀ ନିଜ ଅଭିଭାଷଣରେ କହିଥିଲେ ଯେ ଏଠାରୁ ଆମେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିଲୁ। ଏବେ ଝାଡ଼ଖଣ୍ଡର ପରିଚୟରେ ଆଉ ଏକ କଥା ଯୋଡ଼ିବାକୁ ମୋତେ ସୋଭାଗ୍ୟ ମିଳିଛି। ଝାଡ଼ଖଣ୍ଡକୁ ଏବେ ଏକ ନୂଆ ପରିଚୟ ମିଳିବ। ଏଠାରେ ଗରିବ ଏବଂ ଆଦିବାସୀଙ୍କ ହିତ ପାଇଁ ବଡ଼ ବଡ଼ ଯୋଜନାର ଶୁଭାରମ୍ଭ କରାଯିବ। ଏବେ ଭଗବାନ ବିର୍ସା ମୁଣ୍ଡାଙ୍କ ମହାନ ଭୂମିକରେ ଦେଶର କୋଟି କୋଟି କୃଷକଙ୍କ ପାଇଁ ପେନସନ ସୁନିଶ୍ଚିତ କରୁଥିବା ‘ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା’ର ଶୁଭାରମ୍ଭ ହେଉଛି। ଦେଶର କୋଟି କୋଟି ବେପାରୀ ଏବଂ ସ୍ୱରୋଜଗାରୀଙ୍କ ପାଇଁ ରାଷ୍ଟ୍ରୀୟ ପେସନସ ଯୋଜନାର ଶୁଭାରମ୍ଭ ମଧ୍ୟ ଏଠାରୁ ହେଉଛି। ସାହିବଗଂଜରେ ମଲ୍ଟି ମୋଡାଲ ଟର୍ମିନାଲ ସ୍ଥାନୀୟ ଅଞ୍ଚଳରେ ପରିବହନ ପାଇଁ ନୂଆ ବିକଳ୍ପ ଦେଇଛି। ଏହି ଜଳ ମାର୍ଗ ଝାଡ଼ଖଣ୍ଡକୁ ପୂରା ଦେଶ ଓ ବିଦେଶ ସହ ଯୋଡ଼ିବାର କାର୍ଯ୍ୟ କରିବ। ଝାଡ଼ଖଣ୍ଡର ଆଦିବାସୀ ଭାଇ-ଭଉଣୀ ନିଜ ଉତ୍ପାଦ ଦେଶର କୌଣସି କୋଣକୁ ପଠାଇ ପାରିବେ।