କଲେଜଗୁଡିକୁ ଅନୁଦାନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଆଠଗଡ :  ଆଠଗଡ ଓ ତିଗିରିଆ ବ୍ଲକର ୧୨ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୬.୫୦କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବାରୁ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ମଙ୍ଗଳବାର ୫-ଟି ସଚିବ ଭିକେ ପାଣ୍ଡିଆନ୍‌‌ଙ୍କ ଆଠଗଡ ଗସ୍ତ ଅବସରରେ ମହାବିଦ୍ୟାଳୟଗୁଡିକର ଭିତ୍ତିଭୂମି ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଆର୍ଥିକ ଅନୁଦାନ ମଞ୍ଜୁର କରିଥିବା ପ୍ରକାଶ କରିଥିଲେ । ସେହି ଅନୁଯାୟୀ ଆଠଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୧୨ଟି କଲେଜକୁ ପ୍ରଥମ ପର୍ଯ୍ୟାୟରେ ମୋଟ ୬କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ଅନୁଦାନ ଅର୍ଥରେ ମହାବିଦ୍ୟାଳୟ ଗୁଡିକରେ ଶ୍ରେଣୀକକ୍ଷ, ସ୍ମାର୍ଟ ଶ୍ରେଣୀକକ୍ଷ, ଇ-ଗ୍ରନ୍ଥାଗାର, ବିଜ୍ଞାନାଗାର, ପାନୀୟ ଜଳ ଯୋଗାଣ ଓ ଖେଳପଡିଆ ଉନ୍ନତୀକରଣ କରାଯିବ। ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ଯୁବ ବିଜେଡି ସଭାପତି ଶିବବଶଙ୍କର ଜେନା, ବ୍ଲକ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଛାତ୍ରନେତା ମହମ୍ମଦ ଖଲିଦ୍‌‌ ଓ ପ୍ରଜ୍ଞାରାଣୀ ପରିଡା ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥି ସହିତ ଆଠଗଡବାସୀଙ୍କ ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଆଠଗଡର ଗୋପବନ୍ଧୁ ବିଜ୍ଞାନ କଲେଜକୁ ୧କୋଟି ଟଙ୍କା, ଗୋପବନ୍ଧୁ କନିଷ୍ଠ ମହିଳା କଲେଜକୁ ୨୫ଲକ୍ଷ, ମହିଳା ସ୍ନାତକ କଲେଜକୁ ୨୫ଲକ୍ଷ, ଖୁଣ୍ଟୁଣୀର ରାଧାନାଥ ରଥ ବିଜ୍ଞାନ ସ୍ନାତକ କଲେଜକୁ ୫୦ଲକ୍ଷ, ରାଧାନାଥ ରଥ କନିଷ୍ଠ କଲେଜକୁ ୫୦ଲକ୍ଷ, କଖଡି କନିଷ୍ଠ କଲେଜକୁ ୫୦ଲକ୍ଷ, ନୂଆପାଟଣାସ୍ଥିତ ଚୈତନ୍ୟ ସାହୁ ମହାବିଦ୍ୟାଳୟ ପାଇଁ ୫୦ଲକ୍ଷ, ବାଳି କଲେଜକୁ ୨୫ଲକ୍ଷ, ଗୁରୁଡିଝାଟିଆ କଲେଜକୁ ୫୦ଲକ୍ଷ, ତିଗିରିଆର ପି ପି ଦେବ କଲେଜକୁ ୨୫ଲକ୍ଷ ଓ କଳିଙ୍ଗ ମହିଳା କନିଷ୍ଠ କଲେଜକୁ ୨୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି।

Comments are closed.