ଆଜି ଗୁରୁଦିବସ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ଆଜି ଗୁରୁଦିବସ ପାଳନ କରାଯାଉଛି। ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌‌ଙ୍କ ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ଡକ୍ଟର ରାଧାକ୍ରିଷ୍ଣନ୍‌‌ ୧୮୮୮ ମସିହା ସେପ୍ଟେମ୍ବର ୫ରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୨ରୁ ୧୯୬୭ ପର୍ଯ୍ୟନ୍ତ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁଦିବସ ଅବସରରେ ଶିକ୍ଷକ ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ଦିବସ ଶିକ୍ଷକମାନଙ୍କ ବୃତ୍ତି ଏବଂ ସେମାନଙ୍କ ସେବାକୁ ସମ୍ମାନ ଜଣାଇବାର ଦିନ। ସେ କହିଛନ୍ତି, ଆଧୁନିକ ଜ୍ଞାନକୌଶଳ ଯୁଗରେ ଶିକ୍ଷକମାନଙ୍କ ଭୂମିକାରେ ପରିବର୍ତ୍ତନ ଘଟିଛି। ଭାରତକୁ ଜ୍ଞାନକୁମ୍ଭରେ ପରିଣତ କରିବା କ୍ଷେତ୍ରରେ ଶିକ୍ଷକମାନଙ୍କ ଭୂମିକାକୁ ରାଷ୍ଟ୍ରତି ପ୍ରଶଂସା କରିଛନ୍ତି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସ୍ୱତନ୍ତ୍ର ଉତ୍ସବରେ ୭୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରିବେ।

Comments are closed.