ଆଜି ଆସୁଛନ୍ତି ରାଷ୍ଟ୍ରପତି
ଭୁବନେଶ୍ବର ଓ ପୁରୀରେ ତ୍ରିସ୍ତରୀୟ ସୁରକ୍ଷା, ଅପରାହ୍ଣ ଗୋଟାଏରୁ ସରକାରୀ ଦପ୍ତର ଓ ଶିକ୍ଷାନୁଷ୍ଠାନ ଛୁଟି
ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଗୁରୁବାର ସକାଳ ୧୦.୫୦ରେ ସେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ। ଏଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ବାୟୁସେନା ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରିବେ। ସେଠାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ଅପରାହ୍ନ ୩.୫୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ।
ଏହାପରେ ରାଜଧାନୀ ଭୁବନେଶ୍ବରର ୬ଟି ବିଭିନ୍ନ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ପ୍ରଥମେ କଳ୍ପନା ଛକରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ରାଜଭବନ ଛକରେ ଥିବା ମଧୁସୂଦନ ଦାସ, ଗୋପବନ୍ଧୁ ଛକରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଓ ପାୱାର ହାଉସ ଛକରେ ଥିବା ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ନାଲକୋ ଛକରେ ଥିବା ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ସହ ଉତ୍କଳ ହସ୍ପିଟାଲ ନିକଟ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ରାଜଭବନରେ ତାଙ୍କ ସମ୍ମାନାର୍ଥେ ସନ୍ଧ୍ୟାରେ ନାଗରିକ ସମ୍ବର୍ଦ୍ଧନାର ବ୍ୟବସ୍ଥା ହୋଇଛି। ଶ୍ରୀମତୀ ମୁର୍ମୁ ରାଜଭବନରେ ରାତ୍ରିଯାପନ କରିବେ। ୧୧ ତାରିଖରେ ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ-୨ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରୀନିବାସ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମତ ବିନିମୟ କରିବେ। ସେହି ଦିନ ଜୟଦେବ ଭବନରେକେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ।
ରାଷ୍ଟ୍ରପତିଙ୍କ ସୁରକ୍ଷା ନିମନ୍ତେ ଭୁବନେଶ୍ୱରରେ ୫୫ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଗୋଟିଏ ପ୍ଲାଟୁନରେ ୨୫ ରୁ ୩୦ ଯବାନ ରହିବେ। ଏହାସହ ୨୨ ଅତିରିକ୍ତ ଡିସିପି ସହ ୫୬ ଡିଏସପି, ୬୨ଜଣ ଇନସ୍ପେକ୍ଟର ଓ ୨୦୦ଜଣ ଏସଆଇ ଓ ଏଏସଆଇ ମୁତୟନ ରହିବେ। ସୁରକ୍ଷା ଦୃଷ୍ଟିରୁ ଡଗ ସ୍କ୍ବାଡ, ବମ ସ୍କ୍ବାଡ, ଆମ୍ବୁଲାନ୍ସ, ଫାୟାର ସର୍ଭିସ୍ ମଧ୍ୟ ସାମିଲ ହେବେ। ବୁଧବାର ଏ ନେଇ ଫୁଲଡ୍ରେସ ରିହର୍ସଲ ହୋଇଛି। ରାଷ୍ଟ୍ରପତିଙ୍କ ମାଲ୍ୟାର୍ପଣ କାର୍ଯ୍ୟକ୍ରମ େବଳେ ବିଭିନ୍ନ ଛକରେ ଟ୍ରାଫିକ ନିୟନ୍ତ୍ରଣ କରିବା ଲାଗି କମିସନରେଟ ପୁଲିସ ପକ୍ଷରୁ ଅତିରିକ୍ତ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି।
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ସରକାରୀ ଦପ୍ତର ଓ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ଆସନ୍ତାକାଲି ଦିନ ୧ଟାରୁ ଛୁଟି ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ସଫଳତାକୁ ନଜରରେ ରଖି ତାଙ୍କ ସମ୍ମାନାର୍ଥେ ଏହି ନିଷ୍ପତ୍ତି ନିଆଯାଇଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି।
Comments are closed.