ବିଜେପି ରଣନୀତିରେ ନବୀନ
ନୂଆଦିଲ୍ଲୀ : ଚଳିତ ମାସ ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ସମ୍ଭାବନା ରହିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ସମ୍ଭବତଃ ମେ ୨୧ରେ ପାରାଦ୍ୱୀପ ଗସ୍ତ କରି ରେଳ ଓ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ କରିବେ।
ପାରାଦ୍ୱୀପ-ହରିଦାସପୁର ୮୨ କିଲୋମିଟର ନୂତନ ରେଳପଥ, ପାରାଦ୍ୱୀପ ବନ୍ଦରର ଏକ ଅତ୍ୟାଧୁନିକ ବର୍ଥ ଏବଂ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ଲୋକାର୍ପଣ ତାଲିକାରେ ରହିଛି। ଯଦିଓ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇନାହିଁ; ତଥାପି ରାଜ୍ୟର କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୋଦୀ ଲୋକାର୍ପଣ କରିବେ ପିଏମଓ ତରଫରୁ ବିଭିନ୍ନ ମନ୍ତ୍ରାଳୟକୁ ତାଲିକା ମଗାଯାଇଛି। ପୂର୍ବୋଦୟରୁ ପୂର୍ବଭାରତର ବିକାଶ ମନ୍ତ୍ରକୁ ଆଧାର କରି ଅର୍ଥନୀତିକୁ ଗତିଶୀଳ କରିବା ଲାଗି କେନ୍ଦ୍ରର ମୋଦୀ ସରକାର ଉପକୂଳ ଓଡ଼ିଶାରେ ଅନେକ ଗୁଡ଼ିଏ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। ବିଶେଷ କରି ପାରାଦ୍ୱୀପ ବନ୍ଦରକୁ ବିଶ୍ୱସ୍ତରୀୟ ବନ୍ଦର ଭାବେ ଗଢ଼ିତୋଳିବା ଏବଂ ଏହାକୁ ଆଧାର କରି ରେଳପଥ, ତୈଳ ବିଶୋଧନାଗାର, ପେଟ୍ରୋକେମିକାଲ୍ସ ପ୍ରକଳ୍ପ, ଇସ୍ପାତ ପ୍ରକଳ୍ପ ନିର୍ମାଣ କେନ୍ଦ୍ର ସରକାରଙ୍କ ପ୍ରାଥମିକତା ରହିଛି। ପାରାଦ୍ୱୀପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟବାସୀଙ୍କୁ ବିକାଶର ବାର୍ତ୍ତା ଦେବାକୁ ଚେଷ୍ଟା କରିବେ। ଏଠାରେ ସୂଚନାଯୋଗ୍ୟ କି, ଆଜି ପିଏମଓର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଯାଇଛନ୍ତି। ସେମାନେ ପାରାଦ୍ବୀପରେ ଉଦ୍ଘାଟିତ ହେବାକୁ ଥିବା ୩ଟି ପ୍ରକଳ୍ପ ଅନୁଧ୍ୟାନ କରୁଥିବାର ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ଶେଷ ଆଡ଼କୁ ବିଦେଶ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଥିବାରୁ ପାରାଦ୍ୱୀପ କାର୍ଯ୍ୟକ୍ରମ ଲାଗି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତତ୍ପରତା ପ୍ରକାଶ କରିଛି। କାର୍ଯ୍ୟସୂଚୀ ଅନୁଯାୟୀ ବାୟୁସେନା ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବା ପରେ ହେଲିକପ୍ଟର ଯୋଗେ ଶ୍ରୀ ମୋଦୀ ପାରାଦ୍ୱୀପ ଗସ୍ତ କରିବେ। ପରମ୍ପରା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଠି ଯାତ୍ରା କରିବେ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏକାଠି ହେଲିକପ୍ଟର ଯାତ୍ରା ରାଜନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ। ଉଭୟ ନେତା ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିବାକୁ କିଛି ସମୟ ପାଇବେ ଏବଂ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ନାମ ଉପରେ ସହମତି ଆଣିବାକୁ ଚେଷ୍ଟା କରିପାରନ୍ତି। ଜାତୀୟ ରାଜନୈତିକ ଦୃଶ୍ୟପଟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ
ଶାସକ ଏନଡିଏକୁ ବିଜେଡିର ସମର୍ଥନ ନିହାତି ଆବଶ୍ୟକ। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଜୟ ପାଇଁ ୧.୨ ପ୍ରତିଶତ ଭୋଟ ନିଅଣ୍ଟ ପଡୁଥିବାରୁ ବିଜେଡି ସମର୍ଥନର ଗୁରୁତ୍ବ ବୃଦ୍ଧି ପାଇଛି। ବିଶେଷକରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଭୂମିକା ନେଇ ବିଜେପି ସନ୍ଦିହାନ ହୋଇ ପଡ଼ିଥିବାରୁ ମୋଦୀଙ୍କୁ ନିଜେ ଗୋଟି ଚଳାଇବାକୁ ପଡୁଛି।ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଆଲୋଚନା ପରେ ହୁଏତ ଜାତୀୟ ରାଜନୀତିରେ ବିଜେଡି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିପାରେ।
ରାଜନୈତିକ ଦୃଷ୍ଟିରୁ ବିଜେଡି ନିକଟରେ ତିନୋଟି ବିକଳ୍ପ ରହିଛି। ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ, କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଶିବିରରେ ଯୋଗଦେଇ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ ଅଥବା ସମଦୂରତ୍ୱ ଭଳି ନୀତି ଆପଣାଇ ପାରେ। କେନ୍ଦ୍ରରେ ମୋଦୀ ସରକାରର ଦ୍ୱିତୀୟ ପାଳିରେ ୧୭ତମ ଲୋକସଭା କାଳର ଇତିହାସକୁ ଦେଖିଲେ ତିନି ତଲାକ, ସୂଚନା ଅଧିକାର ଆଇନ ସଂଶୋଧନ ଓ ନାଗରିକତା ଆଇନ ସଂଶୋଧନ, ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ ହେବା ସମୟରେ ସଂସଦର ଉଭୟ ଗୃହରେ ବିଜେଡି କେନ୍ଦ୍ରର ଏନଡିଏ ସରକାରକୁ ସମର୍ଥନ ଜଣାଇଛି। ୧୬ଶ ଲୋକସଭା ଭଳି ବିଜେଡି ଏବେ କେନ୍ଦ୍ର ସରକାରଙ୍କୁ ପୂର୍ବଭଳି ଶାଣିତ ଆକ୍ରମଣ କରୁନାହିଁ। ଯଦି ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସନ୍ତି ତାହେଲେ ରାଜନୈତିକ ଘଟଣାକ୍ରମ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିପାରେ।
Comments are closed.