ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ; ନବୀନ-ଜଗନ ନିର୍ଣ୍ଣାୟକ

ନୂଆଦିଲ୍ଲୀ : ଦେଶର ଷୋଡ଼ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଗୁରୁବାର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ରାମନାଥ କୋବିନ୍ଦଙ୍କ ପାଞ୍ଚ ବର୍ଷିୟା କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ରେ ଶେଷ ହେଉଥିବାରୁ ତାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଜୁଲାଇ ୧୮ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୨୧ରେ ଫଳାଫଳ ପ୍ରକାଶ ପାଇବ। ସମ୍ବିଧାନର ଧାରା ୬୨ ଆଧାରରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ଏହି ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ କରାଯିବ। ନିର୍ବାଚନ ପାଇଁ ଜୁନ୍‌ ୧୫ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ୍‌ ୨୯ ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୩ ମଧ୍ୟରେ ମନୋନୟନ ପତ୍ର ଦାଖଲ ହେବ। ଆଶାୟୀ ପାର୍ଥୀମାନେ କେବଳ ନୂଆଦିଲ୍ଲୀରେ ହିଁ ମନୋନୟନ ପତ୍ର ଦାଖଲ କରିବେ। ଦିନକ ପରେ, ୩୦ରେ ଏଗୁଡ଼ିକର ଯାଞ୍ଚ କରାଯିବ। ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ସମଗ୍ର ପ୍ରକ୍ରିୟାରେ କରୋନା ମାର୍ଗଦର୍ଶିକା ଅନୁପାଳନ କରାଯିବ। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ପକ୍ଷରୁ ଏ ନେଇ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି।
୨୦୧୭ ଜୁଲାଇ ୧୭ରେ ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ଏବଂ ଜୁଲାଇ ୨୦​‌ରେ ଫଳାଫଳ ଘୋଷଣା କରାଯାଇଥିଲା। ଶାସକ ଏନ୍‌ଡିଏ ପ୍ରାର୍ଥୀ ଥିବା ବିହାରର ତତ୍କାଳୀନ ରାଜ୍ୟପାଳ ରାମନାଥ କୋବିନ୍ଦ ୟୁପିଏ ପ୍ରାର୍ଥୀ ମୀରା କୁମାରଙ୍କୁ ପରାଜିତ କରି ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ନିର୍ବାଚନ ଫଳାଫଳ କେନ୍ଦ୍ରର ଶାସକ ଦଳ ସମପକ୍ଷରେ ଯିବା ସ୍ପଷ୍ଟ। କେନ୍ଦ୍ରରେ ବିପୁଳ ସଂଖ୍ୟାଗରିଷ୍ଠତା ସହିତ ଅଧିକାଂଶ ରାଜ୍ୟରେ ଏନ୍‌ଡିଏ କ୍ଷମତାରେ ଥିବାରୁ ଏହାର ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ।

ନବୀନ-ଜଗନ ନିର୍ଣ୍ଣାୟକ
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ। ଗୁରୁବାର ନିର୍ବାଚନ ତାରିଖ ସଂପର୍କରେ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ତାରିଖ ଘୋଷଣା ପରେ ଦେଶର ୧୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଶାସକ ଏନଡିଏ ଓ ବିରୋଧୀ ମେଣ୍ଟ ଚଳଚଞ୍ଚଳ ହୋଇଉଠିଛି। ଅବଶ୍ୟ ଏକ୍ଷେତ୍ରରେ ଆଗରେ ରହିଛି ଶାସକ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ। ତାରିଖ ଘୋଷଣା ପୂର୍ବରୁ ଏନ୍‌ଡିଏ ତା’ର ପ୍ରସ୍ତୁତି ଓ ଗୋଟିଚାଳନା ଆରମ୍ଭ କରିସାରିଛି। ବିଜେପି ତା’ର ସହଯୋଗୀ ଦଳଙ୍କ ସହ ଆଲୋଚନା କରିସାରିଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ସମର୍ଥନ କରୁଥିବା ବିଜେଡି, ୱାଇଏସ୍‌ଆର କଂଗ୍ରେସ ଭଳି କେତେକ ଦଳର ମୁଖିଆଙ୍କ ସହ ମଧ୍ୟ ଏନେଇ ଭିତିରି କଥାବାର୍ତ୍ତା କରିଥିବା ସୂଚନା ମିଳୁଛି। ବିଜେପି ପାଇଁ ୨୦୧୭ର ରାଷ୍ଟ୍ରପତି ନିର୍ବାଚନ ପରିସ୍ଥିତି ୨୦୨୨ରେ
ନାହିଁ। କାରଣ ସେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଏନଡିଏ ପାଇଁ ମାତ୍ର ୦.୦୫ ପ୍ରତିଶତ ଭୋଟ ନିଅଣ୍ଟ ଥିବାବେଳେ ଏଥର ୧.୨ ପ୍ରତିଶତ ଅଭାବ ପଡୁଛି। କାରଣ ଏଥର ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ଜିତିଥିଲେ ମଧ୍ୟ ଆସନ ସଂଖ୍ୟା ପୂର୍ବାପେକ୍ଷା କମିଛି। ନିର୍ବାଚନ ଗଣିତ କହୁଛି ରାଷ୍ଟ୍ରପତି ନିର୍ବାଚନ ଲାଗି ଇଲେକ୍‌ଟ୍ରୋରାଲ କଲେଜରେ ୨୩୩ ରାଜ୍ୟସଭା, ୫୪୩ ଲୋକସଭା ଓ ୪୧୨୦ ବିଧାୟକଙ୍କୁ ନେଇ ମୋଟ ଭୋଟ ସଂଖ୍ୟା ୧୦ ଲକ୍ଷ ୯୮ ହଜାର ୯୦୩ ରହିଛି। ୫୦ ପ୍ରତିଶତରୁ ଗୋଟିଏ ଭୋଟ ଅଧିକ ପାଇଲେ ହିଁ ରାଷ୍ଟ୍ରପତି ନିର୍ବାଚନ ବାଜି ଜିତିହେବ। ଏଭଳି କ୍ଷେତ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ହାତରେ ରହିଛି ୪୮.୮ ପ୍ରତିଶତ ଭୋଟ। ଜିତିବା ପାଇଁ ଲୋଡା ୧୩ ହଜାର ଭୋଟ (୧.୨%)। ସେହିଦୃଷ୍ଟିରୁ ଏନଡିଏକୁ ଏଥର ରାଷ୍ଟ୍ରପତି ନିର୍ବାଚନ ବୈତରଣୀ ପାର ହେବା ଲାଗି ୧ ଦଶମିକ ୨ ପ୍ରତିଶତ ଭୋଟ ଅଭାବକୁ ବିଜେପି ଦୁଇ ଆଞ୍ଚଳିକ ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ସମର୍ଥନରେ ଭରଣା କରିବାକୁ ପ୍ରୟାସରତ। କାରଣ ଉଭୟ ଦଳ କେନ୍ଦ୍ରର ଏନଡିଏ ସରକାରଙ୍କୁ ନାଗରିକ ସଂଶୋଧନ ଆଇନଠାରୁ ଧାରା ୩୭୦ ଧାରା ଓ କୃଷି ଆଇନ ଭଳି ଗୁରୁତ୍ବପୂର୍ଣ୍ଣ ବିଧେୟକରେ ସମର୍ଥନ କରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି କେନ୍ଦ୍ରୀୟ ନେତୃତ୍ବର ଭଲ ସଂପର୍କ ମଧ୍ୟ ରହିଛି। ଏବେ ଇଲେକ୍‌ଟ୍ରୋରାଲ କଲେଜରେ ବିଜେଡିର ପାଖାପାଖି ୩ ପ୍ରତିଶତ ଓ ୱାଇଏସଆର କଂଗ୍ରେସର ୪ ପ୍ରତିଶତ ଭୋଟହାର ରହିଛି। କୌଣସି ଗୋଟିଏ ଦଳର ସମର୍ଥନ ବିଜେପିକୁ ରାଷ୍ଟ୍ରପତି ନିର୍ବାଚନ ଜିତାଇବା ପାଇଁ ଯଥେଷ୍ଟ। ତଥାପି ଯଦି ଆଞ୍ଚଳିକବାଦ ପ୍ରାର୍ଥୀତ୍ବ କାର୍ଡ ଖେଳି ବିରୋଧୀ ପକ୍ଷ ଏନଡିଏରେ ଅସୁଖୀ ଥିବା ନୀତୀଶ କିମ୍ବା ଅନ୍ୟ କୌଣସି ସହଯୋଗୀଙ୍କୁ ଭିଡ଼ନ୍ତି ସେକ୍ଷେତ୍ରରେ ବିଜେଡି ଓ ୱାଇଏସଆର କଂଗ୍ରେସ ଏନଡିଏ ପାଇଁ ସଞ୍ଜୀବନୀ ହେବେ।
ଅନ୍ୟପକ୍ଷରେ କଂଗ୍ରେସରେ ଏବେ ନେତୃତ୍ବକୁ ନେଇ ସଙ୍କଟ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ମମତା, କେଜରିୱାଲ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ରାଷ୍ଟ୍ରୀୟ ମଞ୍ଚରେ ବଡ଼ ଖେଳୁଆଡ଼୍‌ ରହିଛନ୍ତି। କଂଗ୍ରେସ ସ୍ଥାନରେ ଏବେ ଏମାନେ ବିରୋଧୀ ମୋର୍ଚ୍ଚା ସମ୍ଭାଳିବାକୁ ଆଗକୁ ଆସିଛନ୍ତି। ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଶାଣିତ ଆକ୍ରମଣ ଅବ୍ୟାହତ ରଖିଛନ୍ତି। ତେଣୁ ରାଷ୍ଟ୍ରପତି ନିର୍ବାଚନକୁ ଏକ ସୁଯୋଗ ଭାବି ଏନଡିଏ ପାଇଁ ଅଡୁଆ ସୃଷ୍ଟି କରିବାକୁ ଏକ ସର୍ବଗ୍ରାହ୍ୟ ତଥା ଶକ୍ତିଶାଳୀ ପ୍ରାର୍ଥୀ ହୁଏତ ବିରୋଧୀ ଦେଇପାରନ୍ତି। ତୃତୀୟ ମେଣ୍ଟ ଦାନା ଧରୁ ନ ଥିବା ଏବଂ ଏଥିପ୍ରତି ଉଭୟ ନବୀନ ଓ ଜଗନ ବିଶେଷ ଆଗ୍ରହୀ ନ ଥିବାରୁ ମମତା, ଚନ୍ଦ୍ରଶେଖର କିମ୍ବା କେଜରିୱାଲଙ୍କ କଂଗ୍ରେସ ସମର୍ଥିତ ମିଳିତ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ହୁଏତ ସମର୍ଥନ ମିଳି ନ ପାରେ। ଏକ୍ଷେତ୍ରରେ ଏନଡିଏର ବିଜୟ ସମ୍ଭାବନା ସର୍ବାଧିକ ଓ ସହଜ ହୋଇପାରେ। ଏହାସତ୍ତ୍ବେ ସବୁକିଛି ନଜର ନବୀନ ଓ ଜଗନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।

Comments are closed.