www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରାକ୍‍ ମୌସୁମୀ ବାତ୍ୟା ପ୍ରସ୍ତୁତି : ଏସନ ୯୭ ପ୍ରତିଶତ ବର୍ଷା

-ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ପ୍ରସ୍ତୁତ ରହିବାକୁ ନିର୍ଦେଶ , -ବନ୍ୟା ପାଇଁ ୩୦୦ ପାୱାର ବୋଟ୍‍, ଜୁନ ୧୯ରେ ମକ୍‍ ଡ୍ରିଲ , – ସମ୍ବଲପୁର, ବାଲେଶ୍ୱରରେ ଲାଗିବ ଡପଲର ରାଡର

ଭୁବନେଶ୍ୱର : ଚଳିତବର୍ଷ ମୌସୁମି ବର୍ଷା ସ୍ୱାଭାବିକ ହେବ ଏବଂ ୯୭ ପ୍ରତିଶତ ବର୍ଷିବ ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା ଲାଗି ଗୁରୁବାର ସଚିବାଳୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସବୁ ବିଭାଗ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ଉଦ୍ଧାର ଓ ସହାୟତା ପାଇଁ ୨୦ ଓଡ୍ରାଫ ୟୁନିଟ ନିୟୋଜିତ କରାଯିବା ସହ ୩୧୭ ଅଗ୍ନିଶମ ସେବା କେନ୍ଦ୍ରକୁ ସଜାଗ ରଖାଯାଇଛି। ଏହାଛଡ଼ା ଏନଡ଼ିଆରଏଫର ୧୧ ଟିମ୍‍୍‍ ମୁଣ୍ଡଳିରେ ରହିଛନ୍ତି। ରିଲିଫ ପରିଚାଳନା ପାଇଁ ୩୦୦ ପାୱାର ବୋଟକୁ ରଖାଯାଇଛି।
ସମସ୍ତ ୮୭୯ ବହୁମୁଖୀ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ସହ ଆଗାମୀ ଜୁନ ୧୯ରେ ସମସ୍ତ ଜିଲାରେ ହେବ ମକ୍‍ ଡ୍ରିଲ। ଆଞ୍ଚଳିକ ପାଣିପାଗ ନିର୍ଦେଶକ ଡ. ଶରତଚନ୍ଦ୍ର ସାହୁ କହିଥିଲେ ଯେ ଚଳିତବର୍ଷ ରାଜ୍ୟରେ ମୌସୁମି ପ୍ରଭାବରେ ୯୭ ପ୍ରତିଶତ ବର୍ଷା ହେବ। ପାଣିପାଗ ବିଭାଗ ଆଗୁଆ ପାଣିପାଗ ଆକଳନ ସହ ସରକାରୀ କର୍ତ୍ତୃପକ୍ଷ ଓ ଗଣମାଧ୍ୟମକୁ ପାଞ୍ଚ ଦିନ ପୂର୍ବରୁ ତଥ୍ୟ ପ୍ରଦାନ କରୁଛି। ପାରାଦ୍ୱୀପ ଓ ଗୋପାଳପୁରଠାରେ ଡ଼ପଲର ପାଣିପାଗ ରାଡ଼ର କାର୍ଯ୍ୟକାରୀ ହେବା ଦ୍ୱାରା ପ୍ରାକ୍‍ ବାତ୍ୟା ସୂଚନା ପ୍ରଦାନ ସମ୍ଭବ ହେବ। ବର୍ତ୍ତମାନ ଥିବା ୩୫ଟି ବାତ୍ୟା ସତର୍କତା ସୂଚନା ଡିଜିଟାଲ ଉପାୟରେ କରାଯିବା ସହିତ ୨୧ଟି ଏସବୁକୁ ଉପକୂଳ ଜିଲାଗୁଡ଼ିକରେ ସ୍ଥାପନ କରାଯାଇଛି। ୧୭୭ଟି ସ୍ୱୟଂଚାଳିତ ରେନ ଗଜ ଷ୍ଟେସନ ଓ ୩୭ଟି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ରାଜ୍ୟରେ ସ୍ଥାପନ କରାଯାଇଛି।
ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ଭିତ୍ତିରେ ବୃଷ୍ଟିପାତ ତଥ୍ୟ ଯୋଗାଇଦେବାକୁ ସେ ପରାମର୍ଶ ଦେଇଥିଲେ। ସମ୍ବଲପୁର ଓ ବାଲେଶ୍ୱରରେ ତୁରନ୍ତ ଡପଲର ରାଡ଼ର ସ୍ଥାପନ ପାଇଁ ଭାରତ ସରକାର ଓ ନୂଆଦିଲ୍ଲୀସ୍ଥିତ ଆଇଏମଡ଼ି ସହିତ କଥାବାର୍ତ୍ତା କରିବାକୁ ସେ ପରାମର୍ଶ ଦେଇଥିଲେ।ବାତ୍ୟା ପରିସ୍ଥିତିରେ ନିରବଚ୍ଛିନ୍ନ ଟେଲିଯୋଗାଯୋଗ ବ୍ୟବସ୍ଥା ଜାରି ରଖିବା ଦିଗରେ ବିଏସଏନଏଲ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଆଞ୍ଚଳିକ ଟେଲିକମ ସେବା ଯୋଗାଣକାରୀ ସଂସ୍ଥାଗୁଡ଼ିକ ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳର ସମସ୍ତ ସେଲ୍‍ଫୋନ ଗ୍ରାହକଙ୍କୁ ଏସଏମଏସ ଆଲର୍ଟ ପଠାଇବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଥିଲେ। ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜରୁରୀ ସହାୟତା ପାଇଁ ଓଡ୍ରାଫ ୟୁନିଟ ସଂଖ୍ୟା ୧୦ରୁ ୨୦କୁ ବୃଦ୍ଧି କରାଯାଇଛି। ଜିଲାପାଳ, ଓଡ୍ରାଫ ୟୁନିଟ ଏବଂ ପ୍ରମୁଖ ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ଯୋଗାଇଦିଆଯାଇଥିବା ସାଟେଲାଇଟ୍‍ ଫୋନ ସକ୍ରିୟ ରଖାଯିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁଳ୍କମୁକ୍ତ ଟେଲିଫୋନ ନମ୍ବର ୧୦୭୦ ଓ ୧୦୭୭ ରାଜ୍ୟ ଓ ଜିଲା ସ୍ତରରେ କ୍ରିୟାଶୀଳ ଅଛି। ଅଗମ୍ୟ, ଯୋଗାଯୋଗ ସୁବିଧା ନଥିବା ଅଞ୍ଚଳରେ ଅସ୍ଥାୟୀ ଭାବେ ପୁଲିସ ଭିଏଚଏଫ ସ୍ଥାପନ କରାଯିବ। ବନ୍ୟାପ୍ରବଣ ଅଞ୍ଚଳରୁ ଆସନ୍ନ ପ୍ରସବାଙ୍କୁ ବନ୍ୟା ସତର୍କ ସୂଚନା ପାଇବାର ୪୮ଘଣ୍ଟା ଭିତରେ ମା’ ଗୃହକୁ ସ୍ଥାନାନ୍ତର କରାଯିବ।
ଏହି ବୈଠକରେ ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ, ସ୍ୱତନ୍ତ୍ର ରିଲିଫ କମିଶନର, ଜଳସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ(ଏନଡ଼ିଆରଏଫ) ବରିଷ୍ଠ କମାଣ୍ଡାଣ୍ଟ, ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦେଶକ ଓ ଅନ୍ୟ ଅଧିକାରୀ ଯୋଗଦେଇଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories