ବଡ଼ମ୍ବା : ୮ଟି ମୌଜାର ପ୍ରାୟ ୩ହଜାର ଏକର ଚାଷଜମି ଜଳମଗ୍ନ, ବୁଡ଼ିରହିଛି ଧାନ,ଆଖୁ,ପନିପରିବା ଫସଲ

ଚିନ୍ତାରେ ଚାଷୀକୂଳ ; ନାଳର ବଢିପାଣି ବୁଡ଼ାଇ ଦେଲାଣି ବିହନ

ସୁଧୁରିଲାନି ସମସ୍ୟା, ପୁଣିଥରେ ବର୍ଷାଜଳରେ ବୁଡ଼ି ରହିଛି ହଜାର ହଜାର ଏକର ଚାଷଜମି
ବର୍ଷାଜଳ ନିଷ୍କାସନ ପରିଚାଳନାରେ ଡ୍ରେନେଜ ଏବଂ ମଧ୍ୟମ ଜଳସେଚନ ବିଭାଗର ସମନ୍ୱୟ ଅଭାବ

ବଡ଼ମ୍ବା :  ଲଘୁଚାପ ଜନିତ ଲଗାଣ ବର୍ଷାଯୋଗୁଁ ପୁଣିଥରେ ବଡ଼ମ୍ବା ବ୍ଲକର କୃଷିକ୍ଷେତ୍ରରେ ସୃଷ୍ଟି ହୋଇଛି ସମସ୍ୟା। ସପ୍ତାହକ ମଧ୍ୟରେ ସମଗ୍ର ବ୍ଲକରେ ୧୨ ତାରିଖ ସୁଦ୍ଧା ସମୁଦାୟ ୧୬୧ମିଲିମିଟର ବର୍ଷା ହୋଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ହେଲେ ବର୍ଷାଜଳ ନିଷ୍କାସିତ ନହୋଇପାରି ବ୍ଲକ ଅନ୍ତର୍ଗତ ପ୍ରାୟ ୮ଟି ମୌଜାର ୩ ହଜାର ଏକର ପାଖାପାଖି ଚାଷଜମି ଏବେ ନାଳର ବଢିପାଣିରେ ଜଳମଗ୍ନ ହୋଇଛି । ଏଭଳି ସମସ୍ୟା ଗତ ୪ ବର୍ଷଧରି ଲଗାତର ଲାଗି ରହିଥିବାରୁ ପ୍ରଭାବିତ ମଙ୍ଗରାଜପୁର, ଶଂଖାମେରୀ, କନ୍ତପଡ଼ା, ଦେଉଳୀ, ଇଛାପୁର, ପରଜାପଡ଼ା, ଝାଜିଆ, ବାଦଭୂଇଁ ଆଦି ଗ୍ରାମର ଚାଷୀଙ୍କ ଦୁଃଖ କହିଲେ ନସରେ। ପ୍ରତିବର୍ଷ ଏଭଳି ସମସ୍ୟାର ସମ୍ମୁଖିନ ହେଉଥିବା ସ୍ଥାନୀୟ ଚାଷୀ କ୍ଷେତରେ ଖରିଫ ଧାନ ରୋଇବା ପରେ ଏଭଳି ବିପତ୍ତିର ସମ୍ମୁଖିନ ହେଉଥିବା ଦେଖାଯାଉଛି । ବର୍ଷାଜଳରେ ବହୁଦିନଧରି ଧାନଗଛ ସବୁ ବୁଡ଼ି ରହୁଥିବାରୁ ଗଛସବୁ ପଚି  ସଢି ଯାଉଛି । ଖାଲି ଧାନ କାହିଁକି ବିଭିନ୍ନ କିସମର ପନିପରିବା ଫସଲ ମଧ୍ୟ ଏଭଳି ପରିସ୍ଥିତି ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ବାରମ୍ବାର ଉପୁଜୁଥିବା ଏଭଳି ସମସ୍ୟା କାରଣରୁ ଚାଷୀକୁଳ ଏବେ ଚିନ୍ତାରେ। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାଇ ଏହି କାରଣରୁ ଅନେକ ପାରମ୍ପରିକ ଧାନବିହନ ଏବେ ବୁଡ଼ିଗଲାଣି। ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳର ଏଭଳି ନିୟମିତ ଦୁଃଖ ଦୁର୍ଦଶାକୁ ନେଇ ଅନେକଥର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବର୍ଷେ ନୁହେଁ ଲଗାତର ଗତ ୪ବର୍ଷଧରି ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ଏହାର ସ୍ଥାୟୀ ପ୍ରତିକାର ଦିଗରେ ସରକାର କିମ୍ବା ଜିଲା ପ୍ରଶାସନ ଦୃଷ୍ଟି ନଦେବା ବିଡ଼ମ୍ବନା ମନେ କରାଯାଉଛି । ମୁଖ୍ୟତଃ ସିଆରିଆ ଏବଂ ଅନେକ ସ୍ଥାନୀୟ ନାଳରେ ଦୂରଦୃଷ୍ଟିକୁ ବିଚାର କରାନଯାଇ ମାତ୍ରାଧିକ ଆଡ଼ିବନ୍ଧ(ଚେକଡ୍ୟାମ) ନିର୍ମାଣ କରାଯାଇଥିବାରୁ ଉପକାର ବଦଳରେ ତାହା ଆଜି ଚାଷଜମି ପାଇଁ ବିପଦର ପ୍ରମୁଖ କାରଣ ହୋଇଛି । ନାଳର ବଢିପାଣି ଖୋଲା ନିଷ୍କାସନ ଦିଗରେ ଅନେକ ଆଡ଼ିବନ୍ଧ ପ୍ରତିବନ୍ଧକ ହେଉଥିବାରୁ ଏହି ମନୁଷ୍ୟକୃତ ଜଳମଗ୍ନ ପରିସ୍ଥିତି ସୃଷ୍ଟିହେବା ଅନ୍ୟତମ କାରଣ ବୋଲି ସାଧାରଣରେ ଅନୁମେୟ ହୋଇଛି।

prayash

ଅପରପକ୍ଷରେ ବର୍ଷାଜଳ ନିଷ୍କାସନର ପରିଚାଳନା ଦିଗରେ କ୍ଷୁଦ୍ର ଜଳସେଚନ ବିଭାଗ ଏବଂ ଡ୍ରେନେଜ ବିଭାଗର ସମନ୍ୱୟ ଅଭାବକୁ ପ୍ରଭାବିତ ଅଞ୍ଚଳର ବୁଦ୍ଧିଜୀବୀ ଦାୟୀ କରିଛନ୍ତି । ଘଟଣା ସମ୍ପର୍କରେ ପ୍ରଭାବିତ ଅଞ୍ଚଳର ଜନସାଧାରଣ, ଚାଷୀ ତଥା ସରପଞ୍ଚ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତହସିଲଦାର ତପନକୁମାର ପରିଡ଼ାଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି । ବିଧାୟକ ଶ୍ରୀ ମିଶ୍ରଙ୍କ ହସ୍ତକ୍ଷେପ ପରେ ତହସିଲଦାର ଶ୍ରୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ମଣ୍ଡଳୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ସ୍ଥାନୀୟ ଜିଲାପରିଷଦ ସଦସ୍ୟ ରବିନ୍ଦ୍ରକୁମାର ସାହୁ, ଶଂଖାମେରୀ ସରପଞ୍ଚଙ୍କ ପ୍ରତିନିଧି ମାନସରଞ୍ଜନ ମୁଦୁଲି, ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ସୁଶାନ୍ତ କୁମାର ଜେନା, ସାମ୍ବାଦିକ ପ୍ରଦୀପକୁମାର ମହାପାତ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ଗୋପମଥୁରାର ପୂର୍ବତନ ସରପଞ୍ଚ ବିକ୍ରମକେଶରୀ ନାୟକ ପ୍ରମୁଖ ପ୍ରଭାବିତ କୃଷିକ୍ଷେତ୍ର ଏବଂ ସମସ୍ୟା ସୃଷ୍ଟି କରୁଥିବା ଆଡ଼ିବନ୍ଧ ବୁଲିଦେଖିଥିଲେ। ସେଚ ବିଭାଗକୁ ବର୍ଷାଜଳ ନିଷ୍କାସନନେଇ ସ୍ଥାୟୀ ପ୍ରତିକାର କରିବାକୁ ଚିଠି କରିଥିବା ବେଳେ ସମସ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଲଗାଣ ବର୍ଷାଜନିତ କ୍ଷୟକ୍ଷତି ଆକଳନ କରିବାକୁ ତହସିଲଦାର ଶ୍ରୀ ପରିଡ଼ା ନିର୍ଦେଶ ଦେଇଥିବା କହିଛନ୍ତି । ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପୁନର୍ବାର ଚାଷଲାଗି ଆବଶ୍ୟକ ତଳି, ସାର, ବିହନ ଆଦି ଯୋଗାଇ ଦେବା ସହିତ କ୍ଷତି ପୂରଣ ପ୍ରଦାନ କରିବା ଦିଗରେ ସରକାର ଗୁରୁତ୍ୱ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

kalyan agarbati

Comments are closed.