ପ୍ରଣବଙ୍କ ଭାଷଣ ପରେ ଆରଏସଏସ୍ ପ୍ରତି ଅଧିକ ଲୋକ ଆକୃଷ୍ଟ ହେଉଛନ୍ତି
କଲକାତା : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍) ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗଦେବା ପରେ ସଂଘ ପ୍ରତି ଅଧିକରୁ ଅଧିକ ଲୋକ ଆକୃଷ୍ଟ ହେଉଥିବା ଜଣାଯାଇଛି। ବିଶେଷକରି ପ୍ରଣବଙ୍କ ଘରୋଇ ରାଜ୍ୟ ପଶ୍ଚିମବଙ୍ଗରେ ଅଧିକ ଲୋକ ଆରଏସଏସରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପଶ୍ଚିମବଙ୍ଗର ଆରଏସଏସ୍ର ବରିଷ୍ଠ ଅଧିକାରୀ ବିପ୍ଳବ ରାୟଙ୍କ କହିବା ଅନୁଯାୟୀ ସଂଘରେ ସାମିଲ ହେବା ଲାଗି ଆବେଦନକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୂର୍ବ ଅପେକ୍ଷା ଆବେଦନକାରୀଙ୍କ ସଂଖ୍ୟା ପ୍ରାୟ ୫ଗୁଣ ବୃଦ୍ଧି ପାଇଛି। ଜୁନ ୧ରୁ ୬ ତାରିଖ ପର୍ଯ୍ୟନ୍ତ ଦୈନିକ ପ୍ରାୟ ୩୭୮ଜଣ ଆବେଦନକାରୀ ଆରଏସଏସ୍ରେ ସାମିଲ ହେବାକୁ ଅନୁରୋଧ କରିଥିଲେ। ୱେବସାଇଟ୍ ଜଏନ ଆରଏସଏସ ମାଧ୍ୟମରେ ଜଣେ ବ୍ୟକ୍ତି ନିଜର ଅନୁରୋଧ ପଠାଇ ପାରିବେ। ଜୁନ୍ ୭ରେ ପ୍ରଣବ ଆରଏସଏସ୍ ଉତ୍ସବରେ ଯୋଗଦେବା ଦିନ ଏହି ଆବେଦନକାରୀଙ୍କ ସଂଖ୍ୟା ୧୭୭୯କୁ ବୃଦ୍ଧି ପାଇଥିଲା। ଏହା ପରଠାରୁ ଦୈନିକ ହାରହାରି ଆବେଦନକାରୀଙ୍କ ସଂଖ୍ୟା ୧୨୦୦ରୁ ୧୩୦୦ ରହିଛି। ଏଥିରୁ ୪୦% ଆବେଦନକାରୀ ପଶ୍ଚିବଙ୍ଗର ବୋଲି ବିପ୍ଳବ ରାୟ କହିଛନ୍ତି। ମୁଖାର୍ଜୀଙ୍କ ଭାଷଣ ହିଁ ଲୋକମାନଙ୍କୁ ଆରଏସଏସରେ ଯୋଗଦେବା ଲାଗି ପ୍ରେରଣା ଦେଇଥିବା ସେ କହିଛନ୍ତି। ଜୁନ୍ ୭ରେ ପ୍ରଣବ ଆରଏସଏସ୍ ଶିକ୍ଷା ବର୍ଗର ଉଦ୍ଯାପନୀ ଉତ୍ସବରେ ଉଦ୍ବୋଧନ ଦେଇଥିଲେ।