ହାଇକୋର୍ଟଙ୍କ ଆଦେଶ ସୁପ୍ରିମକୋର୍ଟରେ ରଦ୍ଦ

ଗୋପାଳପୁର ବିଧାୟକଙ୍କ ବିରୋଧରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦେଶନାମା କାଏମ

ନୂଆଦିଲ୍ଲୀ : ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଏବଂ ଅନୈତିକ ଉପାୟରେ ଅର୍ଥ ଉପାର୍ଜନ ଆଦି ଅଭିଯୋଗଗୁଡ଼ିକର ପ୍ରାଥମିକ ତଦନ୍ତ ଲାଗି ଓଡ଼ିଶା ଲୋକାୟୁକ୍ତଙ୍କ ନିର୍ଦେଶନାମାକୁ ସର୍ବୋଚ୍ଚ ନ୍ୟାୟାଳୟ କାଏମ ରଖିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଅଜୟ ରସ୍ତୋଗୀ ଏବଂ ବିଚାରପତି ବେଲା ଏମ ତ୍ରିବେଦୀଙ୍କ ଦୁଇଜଣିଆ ଖଣ୍ଡପୀଠ ଦ୍ୱାରା ଘୋଷିତ ୩୦ ପୃଷ୍ଠା ରାୟରେ ଏହି ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ଦ୍ୱାରା ଜାରି ୩ ଫେବୃଆରୀ ୨୦୨୧ ଆଦେଶନାମାକୁ ରଦ୍ଦ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ରାଜ୍ୟ ଲୋକାୟୁକ୍ତଙ୍କ ଦ୍ୱାରା ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ ଧାରା ୨୦ (୧) ଅନୁଯାୟୀ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଲାଗି ଜାରି ୧୧ ଡିସେମ୍ବର ୨୦୨୦ ନିର୍ଦେଶନାମାକୁ ବୈଧ ଦର୍ଶାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ଏଣିକି ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ ଧାରା ୨୦ (୧) ଅନୁଯାୟୀ ଯେକୌଣସି ବ୍ୟକ୍ତିବିଶେଷଙ୍କ ବିରୋଧରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଅଥବା ଅପରାଧ ନିୟନ୍ତ୍ରଣ ଶାଖା ଭଳି ତଦନ୍ତକାରୀ ସଂସ୍ଥା ଦ୍ୱାରା ପ୍ରାଥମିକ ତଦନ୍ତ ଲାଗି ଆଇନଗତ ପ୍ରତିବନ୍ଧକ ଦୂର ହୋଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦ୍ୱାରା ଆୟବର୍ହିଭୂତ ସମ୍ପତ୍ତି ଠୁଳ ଏବଂ ଅନୈତିକ ଉପାୟରେ ଅର୍ଥ ଉପାର୍ଜନ ଆଦି ବିଷୟରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଭୁବନେଶ୍ୱର ଡିଏସ୍‌ପି ରଞ୍ଜନ କୁମାର ଦାସ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ।
ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଲୋକାୟୁକ୍ତ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ଦାୟିତ୍ୱ ପ୍ରଦାନ କରିଥିଲେ। ଯେତେବେଳେ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ନିଜେ ଅଭିଯୋଗକାରୀ ସେତେବେଳେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ କେମିତି ଅଭିଯୋଗର ତଦନ୍ତ କରିବ ବୋଲି ପ୍ରଶ୍ନ ଉଠାଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟରେ ରିଟ୍‌ ଆବେଦନ କରିଥିଲେ। ଓଡ଼ିଶା ହାଇକୋର୍ଟଙ୍କ ଖଣ୍ଡପୀଠ ରିଟ୍‌ ଆବେଦନର ଶୁଣାଣି କରି ରାଜ୍ୟ ଲୋକାୟୁକ୍ତଙ୍କ ନିର୍ଦେଶନାମାକୁ ରଦ୍ଦ କରିଥିଲେ। ହାଇକୋର୍ଟ ଶୁଣାଣି ବେଳେ ଲୋକାୟୁକ୍ତଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେଇନଥବା ଅଭିଯୋଗ କରି ଓଡ଼ିଶା ହାଇକୋର୍ଟଙ୍କ ଆଦେଶନାମାକୁ ଓଡ଼ିଶା ଲୋକାୟୁକ୍ତ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ।

Comments are closed.