ନବୀନ ଋଣମୁକ୍ତ ; ନବ ଦ୍ରୁତଗତି

ଆସିଲା ତାଲିକା; ବଢ଼ିଛି ମନ୍ତ୍ରୀଙ୍କ ସମ୍ପତ୍ତି

ଭୁବନେଶ୍ୱର : ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମନ୍ତ୍ରିପରିଷଦକୁ ପରାମର୍ଶ ଦେଇ ଆସୁଛନ୍ତି। ସର୍ବଦା ସରଳ ଓ ନିଷ୍କପଟ ରହିବା ସହିତ ଜନସାଧାରଣଙ୍କ ସେବାକୁ ଗୁରୁତ୍ବ ଦେବାକୁ କହୁଛନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରଖିବା ସରକାରଙ୍କ ମୂଳମନ୍ତ୍ର। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମନ୍ତ୍ରୀଗଣ ତାଙ୍କର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ପ୍ରକାଶିତ ତଥ୍ୟ ଅନୁଯାୟୀ ମନ୍ତ୍ରୀଙ୍କ ସମ୍ପତ୍ତି ବଢ଼ିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ବିଶେଷ ବଢ଼ିନାହିଁ ଏବଂ ସେ ଏବେ ଋଣମୁକ୍ତ ହୋଇଛନ୍ତି। ୨୦୨୧ରେ ମୁଖ୍ୟମନ୍ତ୍ରୀ ସବୁଠାରୁ ଧନୀ ତାଲିକାରେ ଥିବାବେଳେ ଏବେ ସେ ସେହି ସ୍ଥାନ ବଜାୟ ରଖିଛନ୍ତି। ୨୦୧୯ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଭଉଣୀଙ୍କଠାରୁ ୧୫ଲକ୍ଷ ଟଙ୍କା ଉଦ୍ଧାର କରିଥିବା ନେଇ ଦର୍ଶାଇଥିଲେ। ହେଲେ ଏବେ ଯେଉଁ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି ସେଥିମଧ୍ୟରେ ତାହା ଦର୍ଶାଯାଇ ନାହିଁ। ତେବେ ୨୦୨୧ ମାର୍ଚ୍ଚ ପୂର୍ବରୁ ସମ୍ପତ୍ତି ପରିମାଣ ୬୪.୯୫କୋଟି ଟଙ୍କା ରହିଥିବାବେଳେ ଏବେ ସେଥିରେ ମାତ୍ର ୩ଲକ୍ଷ ବୃଦ୍ଧି ପାଇ ୬୪.୯୮ କୋଟିରେ ପହଞ୍ଚିଛି। ତେବେ ସମ୍ପତ୍ତି ତାଲିକାରେ ମୁଖ୍ୟମନ୍ତ୍ରୀ ସବୁଠୁ ଆଗରେ ରହିଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଦ୍ରୁତଗତିରେ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ସମ୍ପତ୍ତି ବୃଦ୍ଧି ସବୁଠୁ ମନ୍ଥର ଥିବା ତାଲିକାରୁ ଜଣାଯାଇଛି।
ତଥ୍ୟ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଖାତାରେ ୭୨ଲକ୍ଷ ୮ହଜାର ୯୩ଟଙ୍କା ରହିଥିବାବେଳେ ସଂସଦ ଭବନ ଭିତରେ ଥିବା ଏସବିଆଇ ଖାତାରେ ମାତ୍ର ୧୮୯୩ଟଙ୍କା ରହିଛି। ଏହାବାଦ୍ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୯କୋଟିର ଆରବିଆଇ ବଣ୍ଡ ରହିଥିବାବେଳେ ୧କୋଟି ଟଙ୍କାର ପୋଷ୍ଟାଲ ସଞ୍ଚୟ ଓ ୧ କୋଟି ୧୧ ଲକ୍ଷ ଟଙ୍କାର ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସ୍ଥାୟୀ ଜମା ରହିଛି। ଏହାବାଦ୍ ପାଖରେ ଥିବା ସୁନାର ପରିମାଣ ୩.୪୫ ଲକ୍ଷ ଟଙ୍କା ବୋଲି ତାଙ୍କ ସମ୍ପତ୍ତି ତାଲିକାରେ ଉଲ୍ଲେଖ ଅଛି। ମୁଖ୍ୟମନ୍ତ୍ରୀ ତାଙ୍କର ପୁରୁଣା ଆମ୍ବାସଡର କାର୍‌(୬୪୩୪ଟଙ୍କା)କୁ ଏବେ ତାଙ୍କ ପାଖରେ ରଖିଥିବାବେଳେ ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କ ଖାତାରେ ୨୧.୭୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଅଛି। ଏହାବାଦ୍ ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀସ୍ଥିତ ଏପିଜେ ଅବଦୁଲ କଲାମ ରୋଡ଼ ସମ୍ପତ୍ତିର ମୂଲ୍ୟ ୪୩.୩୬କୋଟି ଟଙ୍କାର ଅଂଶଧନ ରହିଥିବାବେଳେ ନବୀନ ନିବାସରେ ତାଙ୍କର ୯.୫୨କୋଟି ଟଙ୍କାର ଅଂଶଧନ ରହିଛି ବୋଲି ଦର୍ଶାଯାଇଛି।
ଅନ୍ୟପକ୍ଷରେ କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ସମ୍ପତ୍ତି ଦ୍ରୁତଗତିରେ ବୃଦ୍ଧି ପାଇଛି। ଏହି ଅବଧି ଭିତରେ ସେ ୩୫ ଖଣ୍ଡ ଦାମୀ ସୌଖୀନ ଗାଡ଼ି କ୍ରୟ କରିଛନ୍ତି। ନିଜ ନାଁରେ ଗୋଟିଏ ଜମି କିଣିଥିବା ବେଳେ ପତ୍ନୀ ମିନତି ଦାସ ଓ ପୁଅ ବିଶାଲ କୁମାର ଦାସଙ୍କ ନାଁରେ ୯ଟି ପ୍ଲଟ୍‌ କିଣିଛନ୍ତି। ଝିଅ ଦୀପାଳି ଦାସଙ୍କ ନାଁରେ ବି ଗୋଟିଏ ଫ୍ଲାଟ୍‌ କିଣାଯାଇଛି। ଏସବୁ ସତ୍ତ୍ବେ ମନ୍ତ୍ରୀ ଶ୍ରୀ ଦାସଙ୍କ ସମ୍ପତ୍ତିର ମୂଲ୍ୟ ୩୪କୋଟି ଟଙ୍କାରେ ରହିଛି। ସେହିପରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତିର ମୂଲ୍ୟ ୨ କୋଟି ୭୩ଲକ୍ଷ ଟଙ୍କା ହୋଇଥିବାବେଳେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ୩କୋଟି ୨୭ ଲକ୍ଷ ଟଙ୍କା, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ୧କୋଟି ୨୬ ଲକ୍ଷ ଟଙ୍କା, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ୪ କୋଟି ୫୬ ଲକ୍ଷ ଟଙ୍କା, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ୪କୋଟିରୁ ଊର୍ଦ୍ଧ୍ବ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୭କୋଟି ୭ଲକ୍ଷ ଟଙ୍କା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ୨କୋଟି ଟଙ୍କା, ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ୧ କୋଟି ୧୦ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇଙ୍କ ୧୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ୧ କୋଟି ୬୦ ଲକ୍ଷ ଟଙ୍କା, ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କ ୩କୋଟି ୬ଲକ୍ଷ ଟଙ୍କା, ପ୍ରଫୁଲ୍ଲ ମଲ୍ଲିକଙ୍କ ୪୨ ଲକ୍ଷ ଟଙ୍କା, ଗୃହ ରାଷ୍ଟ୍ରମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ୬୦ଲକ୍ଷ ଟଙ୍କା, ବୟନଶିଳ୍ପ ମନ୍ତ୍ରୀ ରିତା ସାହୁଙ୍କ ୯୭ ଲକ୍ଷ ଟଙ୍କା, ଆଇନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ୪୯ ଲକ୍ଷ ଟଙ୍କା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ୨କୋଟି ୫ ଲକ୍ଷ ଟଙ୍କା, ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ୬ କୋଟି ୨୮ ଲକ୍ଷ ଟଙ୍କା, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ୧କୋଟି ୯୫ଲକ୍ଷ ଟଙ୍କା, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ୧ କୋଟି ୮୦ଲକ୍ଷ ଟଙ୍କା ଏବଂ ଯୋଜନା-ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପାଖରେ ୧ କୋଟି ୩୪ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

kalyan agarbati

Comments are closed.