ରାଜ୍ୟ ନଦୀଜଳ ଜହର, ଗଙ୍ଗୁଆ ସବୁଠୁ ଆଗରେ
ନୂଆଦିଲ୍ଲୀ : ଓଡ଼ିଶାର ଅଧିକାଂଶ ନଦୀ ପାଣି ଏବେ ବିଷାକ୍ତ। ଭୁବନେଶ୍ୱରର ଗଙ୍ଗୁଆ ନାଳ ଠାରୁ ଆରମ୍ଭ କରି କଟକର ମହାନଦୀ, କାଠଯୋଡ଼ି ପର୍ଯ୍ୟନ୍ତ ପ୍ରାୟ ସବୁ ନଦୀର ପାଣି ପ୍ରଦୂଷିତ। ଏହା ପିଇବା ଛାଡନ୍ତୁ, ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ମିଳିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି।
ତେବେ ଗଙ୍ଗୁଆ ନାଳର ପାଣି ସର୍ବାଧିକ ପ୍ରଦୂଷିତ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗଙ୍ଗୁଆ ନାଳର ପ୍ରତି ୧ ଲିଟର ପାଣିରେ ୧୯.୯ ମିଲିଗ୍ରାମର ବାୟୋ କେମିକାଲ ଅକ୍ସିଜେନ୍ ଡିମାଣ୍ଡ (ବିଓଡି )ରହିଛି । ଯଦି କୌଣସି ଏକ ଲିଟର ପାଣିରେ ୩ ମିଲିଗ୍ରାମର ବିଓଡି ଥାଏ, ତେବେ ତାହାକୁ ପ୍ରଦୂଷିତ ବୋଲି ଧରାଯାଏ। ଓଡ଼ିଶାର ଅଧିକାଂଶ ନଦୀରେ ବିଓଡି ପରିମାଣ ପ୍ରତି ନମୁନା ପାଣି ଲିଟର ପିଛା ୩ ମିଲିଗ୍ରାମରୁ ଅଧିକ ଥିବା ଜଣାପଡିଛି। କେବଳ ଗଙ୍ଗୁଆ ନାଳ କାହିଁକି ବ୍ରାହ୍ମଣୀ ନଦୀ ଜଳ ମଧ୍ୟ ମାତ୍ରାଧିକ ପ୍ରଦୂଷିତ ରହିଛି। ରାଉରକେଲାରୁ ବିରିତୋଳ ମଧ୍ୟରେ ବ୍ରାହ୍ମଣୀ ନଦୀର ପାଣି ସର୍ବାଧିକ ପ୍ରଦୂଷିତ ବୋଲି ଜଣାପଡ଼ିଛି। ଏଠାରେ ବ୍ରାହ୍ମଣୀ ନଦୀର ବିଓଡି ୬.୩ ମିଲିଗ୍ରାମ ରହିଥିବା ନମୁନା ପରୀକ୍ଷାରୁ ଜଣାପଡିଛି।
ସେହିଭଳି ରାଉରକେଲାର ଗୁରୁଡିହ ନାଳ ଓ ଭୁବନେଶ୍ୱର ଉପକଣ୍ଠରେ ପ୍ରବାହିତ ଦୟା, କଟକର କାଠଯୋଡ଼ି ସମେତ ପୁରୀର ମଙ୍ଗଳା ନଦୀ ମଧ୍ୟ ମାତ୍ରାଧିକ ପ୍ରଦୂଷିତ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ତାଳଚେରର ନନ୍ଦିରାଝୋର, ବାଙ୍ଗୁରୁନାଳ, କୁସୁମୀ, ସମ୍ବଲପୁରରୁ ବାହାରିଥିବା ମହାନଦୀ ସମେତ ପୁରୀ ଜିଲା କଣାସ ବ୍ଲକ୍ର ଲୁଣା ନଦୀ, ରତ୍ନଚିରା ନଦୀ, ରାୟଗଡ଼ାର ନାଗାବଳୀ, ବାରିପଦାର ବୁଢ଼ାବଳଙ୍ଗ, ଗଞ୍ଜାମର ଋଷିକୂଲ୍ୟା ମଧ୍ୟ ପ୍ରଦୂଷିତ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ସବୁଜ ପ୍ରାଧିକରଣ(ଏନଜିଟି)ଙ୍କ ନିକଟରେ ଦାଖଲ କରାଯାଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି। ପାର୍ବଣ ପୂର୍ବରୁ ନଦୀର ଏ ସ୍ଥିତି ଥିବାବେଳେ ପାର୍ବଣ ପରେ ସ୍ଥିତି ଯେ ଅଧିକ ବିଗିଡିବ ସେନେଇ ପରିବେଶବିତ୍ ଉଦବେଗ ପ୍ରକାଶ କରିଛନ୍ତି।
ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏକ ମାମଲାର ଶୁଣାଣି ବେଳେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଏହି ରିପୋର୍ଟ ଦାଖଲ କରାଯାଇଛି। ତେବେ କିଭଳି ନଦୀ ଗୁଡିକର ପ୍ରଦୂଷଣକୁ ହ୍ରାସ କରାଯାଇପାରିବ ଏବଂ ଏଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ତାହା ଉପରେ କେନ୍ଦ୍ରୀୟ ଶକ୍ତି ମନ୍ତ୍ରଣାଳୟ ଠାରୁ ରିପୋର୍ଟ ମାଗିଛନ୍ତି। ଦେଶର ସମସ୍ତ ପ୍ରଦୂଷିତ ନଦୀ ଗୁଡିକୁ ସ୍ବଚ୍ଛ ଓ ପୁର୍ନଜୀବିତ କରାଯାଇପାରିବ ସେ ଦିଗରେ ଜାତୀୟ, ରାଜ୍ୟ, ଜିଲା ସ୍ତରୀୟ ଡାଟା ଗ୍ରୀଡ୍ ଗଠନ କରି ପ୍ରଦୂଷଣ ତଦାରଖ କରିବାକୁ ଏନଜିଟି ନିର୍ଦେଶ ଦେଇଛନ୍ତି। ମିଶନ୍ ମୋଡରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଧାରିତ ସମୟ ସୀମା ଭିତରେ ଏଥିରେ ସୁଧାର ଆଣିବାକୁ ପ୍ରୟାସ କରିବାକୁ ଏନଜିଟି ପରାମର୍ଶ ଦେଇଛନ୍ତି। ନଦୀର ପ୍ରଦୂଷଣ ହ୍ରାସ, ଜଳପ୍ରବାହକୁ ନିରନ୍ତର ରଖିବା, ଅଳିଆ ଆବର୍ଜନାକୁ ନଦୀ/ନାଳରେ ନ ଫିଙ୍ଗିବା, ତ୍ରିକୋଣଭୂମିର ସୁରକ୍ଷା, ଘରୋଇ ଓ କଳକାରଖାନାର ବର୍ଜ୍ୟଜଳକୁ ସିଧାସଳଖ ନଦୀକୁ ନ ଛାଡିବା, ଜଳ ସଂରକ୍ଷଣ କରିବା ଆଦି ଦିଗରେ ତ୍ବରିତ ପଦକ୍ଷେପ ନେବାକୁ କୁହାଯାଇଛି।
Comments are closed.