ସାମ୍ପ୍ରଦାୟିକ ହିଂସା ବୃଦ୍ଧି ; ପ୍ରଧାନମନ୍ତ୍ରୀ ନିରବ

କାର୍ଯ୍ୟାନୁଷ୍ଠାନ ପାଇଁ ୧୩ ବିରୋଧୀ ନେତାଙ୍କ ପତ୍ର

ନୂଆଦିଲ୍ଲୀ : ଦେଶରେ ସାମ୍ପ୍ରଦାୟିକ ହିଂସା ଓ ଘୃଣା ମନ୍ତବ୍ୟ ବୃଦ୍ଧି ପାଉଛି। ସାମାଜିକ ଗଣମାଧ୍ୟମ ଜରିଆରେ ଏହା ବ୍ୟାପୁଛି। ଏହାଦ୍ବାରା ସାମ୍ପ୍ରଦାୟିକ ହିଂସା ବଢ଼ୁଛି। ଗତ କିଛି ଦିନର ଘଟଣା ପ୍ରବାହରୁ ଏହା ସ୍ପଷ୍ଟ ହୋଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଗୁଣ୍ଡାମାନେ ଶାସକ ଦଳର ପ୍ରୋତ୍ସାହନ ପାଇ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ଏଥିରୁ ପ୍ରମାଣିତ ହେଉଛି। ଶନିବାର ଏଭଳି ମର୍ମରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ୧୩ ବିରୋଧୀ ଦଳ ନେତା। ସେମାନଙ୍କ ମଧ୍ୟରେ ତିନି ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହି ନେତାମାନେ ଲିଖିତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ସାମାଜିକ ଗଣମାଧ୍ୟମ ଓ ଦୃଶ୍ୟ-ଶ୍ରାବ୍ୟ ବ୍ୟବସ୍ଥାର ଦୁରୁପଯୋଗ ରୋକିବା ପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନିରବତା ଭାଙ୍ଗି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିରବତାରୁ ସେମାନେ ଶକ୍ତି ପାଉଥିବା ପ୍ରତୀୟମାନ ହେଉଛି ବୋଲି ବିରୋଧୀ ନେତାମାନେ ଉଲ୍ଲେଖ କରିଛନ୍ତି। ଏହି ମିଳିତ ନି​‌େ​‌ବଦନପତ୍ରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନ୍‌ସିପି ମୁଖ୍ୟ ଶରଦ ପୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌, ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବ, ନ୍ୟାସନାଲ କନ୍‌ଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତରାମା ୟେଚୁରୀ, ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ପ୍ରମୁଖ ଦସ୍ତଖତ କରିଛନ୍ତି। ଏଥିସହିତ ଉକ୍ତ ନେତାମାନେ ଏକ ମିଳିତ ବିବୃତି ଜାରିକରି ସାମ୍ପ୍ରତିକ ଘଟଣାବଳୀ ନେଇ କ୍ଷୋଭ ପ୍ରକାଶ କରିବା ସହ ଜନସାଧାରଣଙ୍କୁ ଦେଶର ପାରମ୍ପରିକ ସାମାଜିକ ବନ୍ଧନ, ଭାଇଚାରା, ଶାନ୍ତି ଓ ସଦ୍‌ଭାବ ବଜାୟ ରଖିବାକୁ ନିବେଦନ କରିଛନ୍ତି।

Comments are closed.