ତଦନ୍ତରେ ଯାଇଥିବା ପୁଲିସକୁ ମାଡ଼ ମାରିଲେ ଗ୍ରାମବାସୀ; ଏପଟେ ମହିଳାଙ୍କୁ ପୁଲିସର ଅସଦାଚରଣ ଅଭିଯୋଗ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମକୁ ତଦନ୍ତରେ ଯାଇଥିବା ଜଣେ ପୁଲିସ ଏଏସଆଇଙ୍କୁ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଜଣେ ମହିଳାଙ୍କୁ ପୁଲିସ ଜଣକ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ତିଲେଇମାଲ ଗ୍ରାମରେ ସୁବାସ ପଧାନ ଓ ରତ୍ନାକର ପଧାନଙ୍କ ମଧ୍ୟରେ ଗତ ରବିବାର ଦିନ ଗଛକଟାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏନେଇ ସୁବଳୟା ଥାନାରେ ସୁବାସ ପଧାନଙ୍କ ଅଭିଯୋଗକ୍ରମେ ଏକ ମାମଲା ( ନଂ- ୮୦/୨୩) ରୁଜୁ ହୋଇଥିବାବେଳେ ରତ୍ନାକର ପଧାନଙ୍କ ଅଭିଯୋଗକ୍ରମେ ( ନଂ- ୮୧/୨୩) ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ କରିବାକୁ ସୁବଳୟା ଥାନାର ଏଏସଆଇ ଗୌରହରୀ ମେହେର ଓ ଗ୍ରାମରକ୍ଷୀ ରବିଚନ୍ଦ୍ର ବିଭାର ଉକ୍ତ ଗ୍ରାମକୁ ସୋମବାର ପୂର୍ବାହ୍ନରେ ଯାଇଥିଲେ। ଉଭୟ ପରିବାରକୁ ଡାକି ତଦନ୍ତ କରୁଥିବା ବେଳେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଗ୍ରାମବସୀ ଏଏସଆଇ ମେହେରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବରପାଇ ପୁଲିସ ଯାଇ ଏଏସଆଇ ମେହେରଙ୍କୁ ଉଦ୍ଧାର କରିଥିଲା। ଏନେଇ ସୁବଳୟା ଥାନାରେ କର୍ତ୍ତବ୍ୟରତ ଜଣେ ପୁଲିସ ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ଗ୍ରାମର ନେପୁର ପଧାନ, ମହାଦେବ ସାହୁ, ପ୍ରଫୁଲ୍ଲ ସାହୁ, ଦୁର୍ଗାପ୍ରସାଦ ପଧାନ, ରାଘବ ସାହୁ, ବାଦଲ ପଧାନ, ବେଲାରସେନ ହାତୀ ଓ ଅନ୍ୟମାନଙ୍କ ନାମରେ ଏକ ମାମଲା (ନଂ- ୮୨/୨୩) ଧାରା ୩୪୧, ୧୪୭, ୧୪୮, ୨୯୪, ୫୦୬, ୩୭୯, ୩୩୨, ୩୫୫, ୪୨୭ ଓ ୧୪୯ ଅନୁଯାୟୀ ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ଅପରପକ୍ଷେ, ନେପୁର ପଧାନ ପୁଲିସ ତାଙ୍କୁ ଅସଦାଚରଣ କରିଥିବା ଆରକ୍ଷୀ ଅଧିକ୍ଷକ ଓ ଏସଡିପିଓଙ୍କୁ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତଦନ୍ତ କରିବାକୁ ଆସିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଦୀପ୍ତିରଞ୍ଜନ ଦିଗାଲ ଅସଦାଚରଣ କରିଵା ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଛନ୍ତି । ମହିଳା ଓ ତାଙ୍କ ଦୁଇ ଛୁଆ ଚିତ୍କାର କରିଵାରୁ ଗାଁ ଲୋକେ ଆସିଥିଲେ ଓ ସେ ଗ୍ରାମବାସୀଙ୍କୁ ଗାଳିଗୁଲଜ କରି ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ମହିଳା ଜଣକ ବୀରମହାରାଜପୁର ଉପଖଣ୍ଡ ପୁଲିସ ଅଧିକାରୀ ଡୋଳାମଣୀ ଭୋଇ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କଠାରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗକୁ ନେଇ ଭାରପ୍ରାପ୍ତ ଥାନା ଅଧିକାରୀ ଦିପ୍ତିରଞ୍ଜନ ଦିଗାଲଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଥିଲେ। ବୀରମହାରଜପୁର ଉପଖଣ୍ଡ ପୁଲିସ ଅଧିକାରୀ ଡୋଳାମଣୀ ଭୋଇ ଏନେଇ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.