ଗିରଫ ଏଡାଇବାକୁ ଘରୁ ଲୁଚି ପଳାଇଲେ ଇମ୍ରାନ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହୋଇଛି। ଏକ ଦୁର୍ନୀତି (ତୋସଖାନା) ମାମଲାରେ ପୁଲିସ ଇମ୍ରାନଙ୍କୁ ଗିରଫ କରିବା ଲାଗି ଲାହୋରସ୍ଥିତ ତାଙ୍କ ବାସଭବନକୁ ଯାଇଥିବାବେଳେ ଖାଲି ହାତରେ ଫେରିଛି । ପୁଲିସ ଚଢଉ କରିବା ସମୟରେ ଇମ୍ରାନ ତାଙ୍କ ବାସଭବନରେ ନଥିଲେ। ଇସଲାମାବାଦ ପୁଲିସ ତାର ଟ୍ବିଟରରେ ଲେଖିଛି ଯେ ଇମ୍ରାନ ଗିରଫ ଏଡାଇବାକୁ ଅନ୍ୟ କେଉଁଆଡେ ଚାଲିଯାଇଛନ୍ତି।
ଅନ୍ୟପଟେ ଇମ୍ରାନଙ୍କ ଗିରଫ ଆଶଙ୍କାକୁ ନେଇ ତାଙ୍କର ସମର୍ଥକମାନେ ବାସଭବନ ବାହାରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହରିକ୍ ଇ ଇନସାଫ (ପିଟିଆଇ)ର କର୍ମୀମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନ ତାଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ବିଦେଶରୁ ପାଇଥିବା ଦାମୀ ଉପହାରକୁ ସରକାରୀ ମାଲଖାନା (ତୋସଖାନା)ରୁ ହଡପ କରିନେଇଥିବା ଅଭିଯୋଗ ହୋଇଛି। ନିୟମ ଅନୁଯାୟୀ କ୍ଷମତାରେ ଥିବା ସମୟରେ ବିଦେଶରୁ ମିଳିଥିବା ଉପହାରକୁ ତୋସଖାନାରେ ରଖାଯିବ। ମାତ୍ର ଇମ୍ରାନ ଦାମୀ ଉପହାରଗୁଡିକୁ ବ୍ୟକ୍ତିଗତ ବ୍ୟବହାର ଲାଗି ନେଇଯାଇଥିଲେ। ଏହି ଦୁର୍ନୀତି ମାମଲାରେ ଫେବୃଆରୀ ୨୮ରେ ପାକିସ୍ତାନର ଏକ ଅଦାଲତ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ଏହି ପରୱାନା ଆଧାରରେ ପୁଲିସ ତାଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି। ଅନ୍ୟପଟେ ପିଟିଆଇ ନେତା ଫରୱାଦ ଚୌଧୁରୀ ଧମକ ଦେଇଛନ୍ତି ଯେ ଇମ୍ରାନଙ୍କୁ ଗିରଫ କରାଗଲେ ପରିସ୍ଥିତି ବିପଜ୍ଜନକ ହେବ। ଇମ୍ରାନଙ୍କ ପ୍ରତିଯୋଗୀମାନେ ଜାଣି ରଖିବା ଦରକାର ଯେ ପିଟିଆଇ ମୁଖ୍ୟଙ୍କୁ ଗିରଫ କରାଗଲେ ପାକିସ୍ତାନର ପରିସ୍ଥିତି ଆହୁରି ସାଙ୍ଘାତିକ ହେବ। ୨୦୨୨ ଏପ୍ରିଲରେ ଇମ୍ରାନ ଅନାସ୍ଥା ଭୋଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଥିଲେ। ଏହି ବହିଷ୍କାର ପାଇଁ ଇମ୍ରାନ ଆମେରିକାର ଷଡଯନ୍ତ୍ର ବୋଲି କହିଥିଲେ।
ରବିବାର ଇମ୍ରାନ ତାଙ୍କ ସମର୍ଥକଙ୍କୁ କହିଛନ୍ତି ଯେ ଦେଶ ଯେତେବେଳେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ପାରେ ନାହିଁ ସେତେବେଳେ ତାହା କ୍ରୀତଦାସ ପାଲଟିଯାଏ। ଇମ୍ରାନଙ୍କ ଭାଷଣକୁ ପ୍ରସାରଣ ନକରିବା ଲାଗି ପାକିସ୍ତାନ ସରକାର ଦେଶର ସମସ୍ତ ଟିଭି ଚ୍ୟାନେଲଗୁଡ଼ିକୁ ନିର୍ଦେଶ ଦେଇଛନ୍ତି; ମାତ୍ର ଏପରି କରିବା ଦ୍ବାରା ସରକାର ଅଧିକ ଭୋଟ୍‌ ପାଇବେ ବୋଲି ଯେଉଁ ଆଶା କରାଯାଉଛି ତାହା ବିଫଳ ହେବ ବୋଲି ଇମ୍ରାନଙ୍କ ସହଯୋଗୀ କହିଛନ୍ତି।

Comments are closed.