ଭାରତ ଦଖଲକୁ ଆସିବ ପିଓକେ ଦୃଢ଼ୋକ୍ତି ସହ ପ୍ରକାଶ କଲେ ଜୟଶଙ୍କର
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭାରତର ଅବିଚ୍ଛେଦ୍ୟ ଅଂଶ। ଦିନ ଆସିବ ଭାରତ ଏହା ଉପରେ ନିଜର ବାସ୍ତବ ସାର୍ବଭୌମତ୍ବ ଜାହିର ପୂର୍ବକ ଦଖଲକୁ ନେବ ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦୃଢୋକ୍ତି ପ୍ରକାଶ କରିଛନ୍ତି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଦ୍ବିତୀୟ ପାଳି ସରକାରର ୧୦୦ଦିନ ପୂର୍ତ୍ତି ଉପଲକ୍ଷେ ମଙ୍ଗଳବାର ସାମ୍ବାଦିକଙ୍କୁ ସମ୍ବୋଧନ କରି ଜୟଶଙ୍କର ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତ ଏହାର ପଡୋଶୀଙ୍କ ସହ ଉତ୍ତମ ବନ୍ଧୁତାସ୍ଥାପନ କରିବାକୁ ଚାହେଁ। ପଡୋଶୀଙ୍କୁୁ ଶକ୍ତ ଓ ମଜଭୁତ ଭାବେ ଗଢି ତୋଳିବାକୁ ଚାହେଁ। ମାତ୍ର ଭାରତ ଏହାର ଜଣେ ପଡୋଶୀ ଠାରୁ ସ୍ବତନ୍ତ୍ର ଆହ୍ବାନର ସମ୍ମୁଖୀନ ହେଉଛି। ଏହି ଆହ୍ବାନ ହେଉଛି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ। ପାକିସ୍ତାନର ସୀମାପାର ଆତଙ୍କବାଦ ବନ୍ଦ ନ ହେବା ଯାଏ ଭାରତ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ କୌଣସି ପଦକ୍ଷେପ ନେବ ନାହିଁ। ସେ କହିଛନ୍ତି ଯେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଦ୍ବାରା ପାକିସ୍ତାନ ସହିତ ବିବାଦ ଦେଖାଯାଇ ନାହିଁ। ପାକିସ୍ତାନର ସୀମାପାର ଆତଙ୍କବାଦ ଯୋଗୁଁ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ଲାଗି ରହିଛି। ପାକିସ୍ତାନର ଏହି ଆତଙ୍କବାଦ କାର୍ଯ୍ୟକଳାପକୁ ସମଗ୍ର ବିଶ୍ବକୁ ଅବଗତ କରାଇବା ଦିଗରେ ଭାରତ ତାର ପ୍ରୟାସ ଜାରି ରଖିବ। ବିଶ୍ବର କୌଣସି ରାଷ୍ଟ୍ର ଏହାର ପଡୋଶୀ ରାଷ୍ଟ୍ର ବିରୋଧରେ ଆତଙ୍କବାଦ ଭଳି କୂଟନୀତି ଆପଣାଇବା ଦେଖିବାକୁ ମିଳେ ନାହିଁ। ଜୟଶଙ୍କର କହିଛନ୍ତି ଯେ ଆସନ୍ତା ମାସରେ ଆମେରିକାରେ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ସେ ପାକିସ୍ତାନ ପ୍ରତିପକ୍ଷ ଶାହା ମେହମୁଦ କ୍ୟୁରେସୀଙ୍କୁ ଭେଟିବେ।
ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତ-ଆମେରିକା ସମ୍ପର୍କ ଉତ୍ତମ ରହିଛି। ସମ୍ପର୍କ ଅଧିକ ପୁରୁଣା ହେଲେ ସେଥିରେ କିଛି ମତଭେଦ ଦେଖାଯାଇଥାଏ। ବାଣିଜ୍ୟ କାରବାରକୁ ନେଇ ଦୁଇଦେଶ ମଧ୍ୟରେ ଯାହା କିଛି ତିକ୍ତତା ରହିଛି ତାହା ନିକଟରେ ସମାଧାନ ହୋଇଯିବ। ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି ଯେ ଆମେ ଅନେକ ଦେଶକୁ ଗସ୍ତ କରିଛୁ। ଏହି ଗସ୍ତରୁ ଆମକୁ ଅନେକ ଲାଭ ମିଳିଛି। ଦେଶର ପ୍ରତିରକ୍ଷା ଶକ୍ତି ବୃଦ୍ଧିକୁ ଆମେ ଗୁରୁତ୍ବ ଦେଉଛୁ। ତେଣୁ ପ୍ରତିରକ୍ଷା ସମ୍ପର୍କରେ ବିଭିନ୍ନ ଦେଶ ସହିତ ବୁଝାମଣା ଚାଲିଛି। ଚୀନ ସହିତ ସୀମା ବିବାଦ ପ୍ରସଙ୍ଗରେ ଜୟଶଙ୍କର କହିଛନ୍ତି ଯେ ସେପ୍ଟେମ୍ବର ୧୧ରେ ଦୁଇଦେଶ ଲଦାଖରେ ମୁହାଁମୁହିଁ ହୋଇଥିଲେ। ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ପାଙ୍ଗୋଙ୍ଗ ସୋ ହ୍ରଦ ନିକଟରେ ଦୁଇ ସେନା ମୁହାଁମୁହିଁ ହୋଇଥିଲେ। ଦୁଇ ପକ୍ଷର ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ପରେ ବିବାଦ ସମାଧାନ ହୋଇଥିଲା।
୧୦୦ଦିନର ସରକାର ଭାରତକୁ ବିଶ୍ବ ଗୌରବାନିତ୍ବ କରିଛନ୍ତି ବୋଲି ଜୟଶଙ୍କର କହିଛନ୍ତି। ଜାମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କ୍ଷେତ୍ରରେ ଭାରତକୁ ବିଶ୍ବ ସମୁଦାୟର ଦୃଢ ସମର୍ଥନ ମିଳିଛି। ପାକିସ୍ତାନର ସୀମାପାର ଆତଙ୍କବାଦ କାର୍ଯ୍ୟକୁ ଭାରତ ବିଶ୍ବ ନେତାଙ୍କ ସମ୍ମୁଖରେ ଉପଯୁକ୍ତ ଭାବେ ଉପସ୍ଥାପନ କରିବାରେ ସମର୍ଥ ହୋଇଛି। ଭାରତର ଏପରି ଅଭିଯୋଗକୁ ବିଶ୍ବ ନେତା ଧ୍ୟାନ ପୂର୍ବକ ଶୁଣିବା ସହ ଆବଶ୍ୟକ ପ୍ରତିକ୍ରିୟା ସ୍ବରୂପ ପାକିସ୍ତାନକୁ ତାଗିଦା କରିଛନ୍ତି। ଜି-୨୦, ବ୍ରିକ୍ସ ଭଳି ରାଷ୍ଟ୍ର ସମ୍ମିଳନୀରେ ଭାରତର ସ୍ବର ଶାଣିତ ରହିଛି। ଜୟଶଙ୍କର କହିଛନ୍ତି ଯେ ଆଫ୍ରିକା ମହାଦେଶର ଉନ୍ନତି ଦିଗରେ ସରକାର ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି। ୧୭ଟି ଆଫ୍ରିକୀୟ ରାଷ୍ଟ୍ରରେ ଦୂତାବାସ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ଆଫ୍ରିକୀୟ ରାଷ୍ଟ୍ରଗୁଡିକୁ ୧୦୦୦କୋଟି ଡଲାର ସହାୟତା ଦେବାକୁ ନିଷ୍ପତ୍ତି ହୋଇଛି।