୨ ହାତୀ ଶିକାର କରିଥିବା ସ୍ୱୀକାର ପରେ ଧର୍ମରାଜ ଗିରଫ

ଦେଶୀ ବନ୍ଧୁକ ଜବତ କଲା ବନବିଭାଗ

ଆଠଗଡ : ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡମ୍ବା ବନାଞ୍ଚଳରେ ୨ଟି ହାତୀ ଶିକାର କରିଥିବା ସ୍ୱୀକାରୋକ୍ତି ପରେ ବନବିଭାଗ ଦ୍ୱାରା ଅଟକ ଥିବା ଦୁର୍ଦ୍ଦାନ୍ତ ଶିକାରୀ ଧର୍ମରାଜ ନାଏକକୁ ଗିରଫ କରାଯାଇ ଅଦାଲତରେ ହାଜର କରାଯାଇଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଧବଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଯୋଗ୍ୟ ଯେ ବନ ବିଭାଗର ସ୍ୱତନ୍ତ୍ର ସ୍କାର୍ଡ କଟକ ଗ୍ରାମାଞ୍ଚଳ ପୁଲିସ ସହାୟତାରେ ରବିବାର ସକାଳେ ନରସିଂହପୁର ଥାନା ଅନ୍ତର୍ଗତ ଜେମାଦେଇପୁର ଗ୍ରାମର କୁଖ୍ୟାତ ହାତୀ ଓ ବନ୍ୟଜନ୍ତୁ ଶିକାରୀ ଧର୍ମରାଜ ନାଏକଙ୍କୁ କଟକର ତୁଳସୀପୁର ଅଞ୍ଚଳରୁ କାବୁକରି ଆଠଗଡ ବନଖଣ୍ଡ କାର୍ଯ୍ୟାଳୟକୁ ଆଣିଥିଲେ। ସେଠାରେ ପଚରାଉଚୁରା ସମୟରେ ବଡମ୍ବା ବନାଞ୍ଚଳର ଜାନିପଦର ବିଟ୍‍ ଅଧିନ ଶାଳକୁଣ୍ଡ ଅଞ୍ଚଳରୁ ଗତ ଜୁନ ୧୪ତାରିଖରେ ମିଳିଥିବା ହାତୀ କଙ୍କାଳ ଘଟଣାରେ ସେ ସଂପୃକ୍ତ ଥିବା ସଙ୍ଗେ ସଙ୍ଗେ ଉକ୍ତ ହାତୀକୁ ମାରି ତାର ଦାନ୍ତ ନେଇଯାଇଥିବା ସ୍ୱୀକାର କରିଥିଲା। ସେହିପରି ବଡମ୍ବା ବନାଞ୍ଚଳ ଅନ୍ତର୍ଗତ ମାଣିଆବନ୍ଧ ସେକ୍ସନର ହଳଦିଆଶେଣୀ ସଂରକ୍ଷିତ ଜଙ୍ଗଲରେ ଗତ ୨୦୧୮ ଫେବୃଆରୀ ମାସରେ ଅନ୍ୟ ଏକ ଦନ୍ତାକୁ ଶିକାର କରି ତାର ଦାନ୍ତ ମଧ୍ୟ ନେଇଯାଇଥିବା ବନବିଭାଗ ଅଧିକାରୀଙ୍କ ପଚରା ଉଚୁରା ବେଳେ ମାନିଥିଲା । ଏଥି ସହିତ ଧର୍ମରାଜ ୨୦୧୬-୧୭ବର୍ଷରେ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ଶିକାର କରି ବନବିଭାଗ ଦ୍ୱାରା ଗିରଫ ହୋଇଥିବା ମଧ୍ୟ ସେ ସ୍ୱୀକାର କରିଥିଲା । ତା’ଠାରୁ ମିଳିଥିବା ତଥ୍ୟ ଆଧାରରେ ବନବିଭାଗ କର୍ମଚାରୀ ନରସିଂହପୁର ଥାନା ଅନ୍ତର୍ଗତ ଜେମାଦେଇପୁରସ୍ଥିତ ତାର ଘରେ ଚଢାଉ କରାଯାଇ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ଆଉ କେତେ ଶିକାରରେ ସେ ସଂପୃକ୍ତ ରହିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ଯାଦବ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ଶିକାରୀ ଧର୍ମରାଜକୁ ଗିରଫ କରି ବନବିଭାଗ ବଡମ୍ବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟଙ୍କ ଅଦାଲତରେ ହାଜର କରିବା ପରେ ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି। ତାକୁ ପୁଣି ରିମାଣ୍ଡରେ ଆଣି ପଚରାଉଚୁରା କରିବାକୁ ବନବିଭାଗ ପ୍ରସ୍ତୁତ ହେଉଥିବା ବିଭାଗୀୟ ସୁତ୍ରରୁ ପ୍ରକାଶ।

Comments are closed.