ସ୍ୱଦେଶ ଫେରିଲେ ପ୍ରଧାନମନ୍ତ୍ରୀ: ମନେପକାଇଲେ ୩ବର୍ଷ ତଳର ସର୍ଜିକାଲ ଷ୍ଟ୍ରାଇକର ସ୍ମୃତି

ନୂଆଦିଲ୍ଲୀ: ୭ ଦିନିଆ ଆମେରିକା ଗସ୍ତ ସାରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଶନିବାର ସଂନ୍ଧ୍ୟା ୮.୩୦ରେ ନୂଆଦିଲ୍ଲୀର ପାଲମ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ବିଜେପିର କାର୍ଯ୍ୟକାରିଣୀ ସଭାପତି ଜେ.ପି.ନଡ୍ଡା ଏବଂ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ସିଧା ସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଲମ ଟେକ୍ନିକାଲ ଏରିଆରେ ସ୍ୱତନ୍ତ୍ର ଷ୍ଟେଜରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ଆୟୋଜିତ ସମ୍ଭର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସ୍ୱାଗତ ସମ୍ଭର୍ଦ୍ଧନା ସଭାରେ ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତ ପ୍ରତି ବଢୁଥିବା ସମ୍ମାନ କେବଳ ଦେଶର ୧୩୦ କୋଟି ଜନସାଧାରଣଙ୍କ ପାଇଁ ସମ୍ଭବ କାରଣ ସେମାନେ ଦେଶରେ ଏକ ସ୍ଥିର ସରକାର ଆଣିଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ହ୍ୟୁଷ୍ଟନ ସହରରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମର ଚର୍ଚ୍ଚା ସାରା ଆମେରିକାରେ ହେଉଥିବା କହିଥିଲେ ଏବଂ ଏହା କେବଳ ସମ୍ଭବ ହୋଇପାରିଛି ହ୍ୟୁଷ୍ଟନ ଏବଂ ଟେକ୍ସିସର ଭାଇଭଉଣୀଙ୍କ ପାଇଁ ବୋଲି କହିଥିଲେ। କାରଣ ସେମାନେ ଏମିତି ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଯାହା ପ୍ରଶଂସନୀୟ। ଏଥି ସହିତ ମୋଦୀ ଆଜିର ଦିନରେ ଅର୍ଥାତ ୨୦୧୬ ସେପ୍ଟେମ୍ବର ୨୮ ତାରିଖରେ ଭାରତୀୟ ସେନା ବାହିନୀ ପକ୍ଷରୁ ପାକିସ୍ତାନ ମାଟିରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ କଥାକୁ ମନେ ପକାଇ କହିଥିଲେ ଯେ, ୩ ବର୍ଷ ପୂର୍ବେ ଆଜିର ଦିନରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅପେକ୍ଷା କରିଥିଲି କେତେବେଳେ ଭାରତର ବୀର ଯବାନମାନେ ଖୁସି ଖବର ଦେବେ। ନିଜ ବକ୍ତବ୍ୟର ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନବରାତ୍ର ଏବଂ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଥିଲେ।

Comments are closed.