ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ ଯୋଗ: ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯୋଗ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ। ଆଜି ରେଡ଼ିଓରେ ପ୍ରସାରିତ ୧୧୧ତମ ମନ କି ବାତ ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଚଳିତ ମାସରେ ସମଗ୍ର ବିଶ୍ୱ ଦଶମ ଯୋଗ ଦିବସକୁ ବେଶ ଉତ୍ସାହର ସହ ପାଳନ କରିଛି। ସେ କହିଛନ୍ତି, ‘ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲି। କଶ୍ମୀରରେ ଯୁବକ, ଭଉଣୀ ଓ ଝିଅମାନେ ମଧ୍ୟ ଯୋଗ ଦିବସରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଯୋଗ ଦିବସ ପାଳନ ଯେତିକି ଆଗକୁ ବଢ଼ୁଛି, ନୂଆ ନୂଆ ରେକର୍ଡ ମଧ୍ୟ ସୃଷ୍ଟି ହେଉଛି। ଯୋଗ ଦିବସ ସମଗ୍ର ବିଶ୍ୱରେ ଅନେକ ମହାନ ଉପଲବ୍ଧି ହାସଲ କରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସାଉଦି ଆରବରେ ପ୍ରଥମ ଥର ପାଇଁ ଅଲ ହନୁଫ ସାଦ ନାମକ ଜଣେ ମହିଳା ସାଧାରଣ ଯୋଗ ପ୍ରୋଟୋକଲର ନେତୃତ୍ୱ ନେଇଥିଲେ। ପ୍ରଥମ ଥର ପାଇଁ ଜଣେ ସାଉଦି ମହିଳା ମୁଖ୍ୟ ଯୋଗ ଅଧିବେଶନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥର ଇଜିପ୍ଟରେ ଯୋଗ ଦିବସରେ ଏକ ଫଟୋ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ନୀଳ ନଦୀ କୂଳରେ, ଲୋହିତ ସାଗରର ବେଳାଭୂମିରେ ଏବଂ ପିରାମିଡ ସମ୍ମୁଖରେ ଲକ୍ଷ ଲକ୍ଷ ଲୋକ ଯୋଗ କରୁଥିବାର ଫଟୋ ଖୁବ୍ ଲୋକପ୍ରିୟ ହୋଇଥିଲା। ମାର୍ବଲ ବୁଦ୍ଧ ମୂର୍ତ୍ତି ପାଇଁ ପ୍ରସିଦ୍ଧ ମିଆଁମାରର ମାରାବିଜୟ ପାଗୋଡା କମ୍ପ୍ଲେକ୍ସ ବିଶ୍ୱ ପ୍ରସିଦ୍ଧ। ଏଠାରେ ମଧ୍ୟ ଜୁନ୍ ୨୧ ତାରିଖରେ ଏକ ଚମତ୍କାର ଯୋଗ ଅଧିବେଶନର ଆୟୋଜନ କରାଯାଇଥିଲା। ବାହାରେନରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଏକ ସ୍ୱତନ୍ତ୍ର ଶିବିରର ଆୟୋଜନ କରାଯାଇଥିଲା। ଶ୍ରୀଲଙ୍କାର ୟୁନେସ୍କୋ ଐତିହ୍ୟସ୍ଥଳୀ ପାଇଁ ପ୍ରସିଦ୍ଧ ଗାଲେ କିଲ୍ଲାରେ ଏକ ସ୍ମରଣୀୟ ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଆମେରିକାର ନ୍ୟୁୟର୍କରେ ଥିବା ଅବ୍ଜର୍ଭେସନ ଡେକ୍ ରେ ମଧ୍ୟ ଲୋକମାନେ ଯୋଗ କରିଥିଲେ। ମାର୍ଶାଲ ଦ୍ୱୀପପୁଞ୍ଜର ରାଷ୍ଟ୍ରପତି ମଧ୍ୟ ପ୍ରଥମ ଥର ପାଇଁ ସେଠାରେ ବ୍ୟାପକ ସ୍ତରରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଭୁଟାନର ଥିମ୍ପୁଠାରେ ଏକ ଭବ୍ୟ ଯୋଗ ଦିବସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ତୋବଗେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଅର୍ଥାତ୍ ବିଶ୍ୱର କୋଣ ଅନୁକୋଣରେ ଯୋଗ କରୁଥିବା ଲୋକମାନଙ୍କର ମନୋରମ ଦୃଶ୍ୟ ଆମେ ସମସ୍ତେ ଦେଖିଥିଲୁ।

ଶ୍ରୀ ମୋଦୀ ଯୋଗ ଦିବସରେ ଭାଗ ନେଇଥିବା ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। କେବଳ ଦିନଟିଏ ନୁହେଁ ବରଂ ନିୟମିତ ଯୋଗ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

Comments are closed.