ଭାରତରେ ତିଆରି ହେବ ସି-୨୯୫ ଯୁଦ୍ଧବିମାନ

ବରୋଦା (ଗୁଜରାଟ) : ମେକ୍ ଇନ୍ ଇଣ୍ଡିଆ ବା ଆତ୍ମନିର୍ଭର ଭାରତ ଯୋଜନାରେ ଆଉ ଏକ ସଫଳତା ଯୋଡି ହୋଇଛି । ବାୟୁସେନାର ଆବଶ୍ୟକତା ପୂରଣ ନିମନ୍ତେ ଭାରତରେ ତିଆରି ହେବ ସି-୨୯୫ ପରିବହନକାରୀ ଯୁଦ୍ଧବିମାନ। ମଧ୍ୟମ ବର୍ଗର ଏହି ପରିବହନକାରୀ ଯୁଦ୍ଧବିମାନ ତିଆରି ନିମନ୍ତେ ଗୁଜରାଟର ବରୋଦାରେ ତିଆରି ହେବ ପ୍ଲାଣ୍ଟ। ରବିବାର ଏହି ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୟୁରୋପର ଏରୋସ୍ପେସ୍ କମ୍ପାନୀ ଏୟାରବସ୍ ଓ ଟାଟାଗ୍ରୁପ୍‌ ମିଳିତ ଭାବେ ଏହି ଯୁଦ୍ଧବିମାନ ନିର୍ମାଣ କରିବେ।
ଯୁଦ୍ଧବିମାନ ତିଆରି ପ୍ଲାଣ୍ଟର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସି-୨୯୫ ଯୁଦ୍ଧବିମାନ ବାୟୁସେନାର ଶକ୍ତି ବୃଦ୍ଧି କରିବ। ଏହା ଭାରତର ଆବଶ୍ୟକତା ସହିତ ଅନ୍ୟ ଦେଶର ଆବଶ୍ୟକତାକୁ ମଧ୍ୟ ପୂରଣ କରିବ। କାରଣ ଭାରତ ତିଆରି ଯୁଦ୍ଧବିମାନ ଅନ୍ୟ ଦେଶକୁ ବିକ୍ରି କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏବେ ବିଶ୍ବ ନିର୍ମାଣ କେନ୍ଦ୍ର ହେବାକୁ ଯାଉଛି। ବିଶ୍ବ ପାଇଁ ଭାରତ ଜିନିଷ ତିଆରି କରିବ। ଭାରତରେ ପ୍ରଥମ କରି ଏକ ଘରୋଇ କମ୍ପାନୀ ଯୁଦ୍ଧବିମାନ ତିଆରି କରିବ। ଏହି ପ୍ଲାଣ୍ଟ ତିଆରି ପାଇଁ ୨୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଗତବର୍ଷ ସେପ୍ଟେମ୍ବରରେ ଭାରତ ସରକାର ଏଥିପାଇଁ ଏୟାରବସ୍ ସହିତ ୨୧,୯୩୫ କୋଟି ଟଙ୍କା ଚୁକ୍ତି ସ୍ବାକ୍ଷର କରିଥିଲେ। ଏହି ଚୁକ୍ତି ଅନୁଯାୟୀ ବାୟୁସେନା ଏୟାରବସ୍‌ ଠାରୁ ୫୬ଟି ସି-୨୯୫ ଯୁଦ୍ଧବିମାନ କ୍ରୟ କରିବ। ବୁଝାମଣା ଅନୁଯାୟୀ ଏୟାରବସ୍‌ ପ୍ରଥମ ୧୬ଟି ଯୁଦ୍ଧବିମାନ ଉଡିବା ଅବସ୍ଥାରେ ଯୋଗାଇ ଦେବ। ପରବର୍ତ୍ତୀ ୪୦ଟି ଯୁଦ୍ଧବିମାନ ଟାଟା ଆଡଭାନ୍ସ ସିଷ୍ଟମ୍ ଲିମିଟେଡ (ଟିଏଏସ୍‌ଏଲ) ଯୋଗାଇ ଦେବ। ପ୍ରଥମ ୧୬ଟି ଯୁଦ୍ଧବିମାନକୁ ୨୦୨୩ ସେପ୍ଟେମ୍ବରରୁ ୨୦୨୫ ଅଗଷ୍ଟ ମଧ୍ୟରେ ବାୟୁସେନାକୁ ଯୋଗାଇ ଦିଆଯିବ। ପରବର୍ତ୍ତୀ ୪୦ଟି ଯୁଦ୍ଧବିମାନ ୨୦୩୧ ଯୁଦ୍ଧା ଯୋଗାଣ ହେବ। ଯୁଦ୍ଧବିମାନ ପାଇଁ ଆବଶ୍ୟକ ଯନ୍ତ୍ରାଂଶର ୯୬ ପ୍ରତିଶତ ଏହି ନୂଆ ପ୍ଳାଣ୍ଟରେ ତିଆରି କରାଯିବ। ପରବର୍ତ୍ତୀ ସମୟରେ ଯୁଦ୍ଧବିମାନ ପାଇଁ ଆବଶ୍ୟକ ୧୩,୪୦୦ ଯନ୍ତ୍ରାଂଶ ଭାରତର ୨୫ଟି ଏମଏସଏମଇରେ ତିଆରି କରାଯିବ।
ସି-୨୯୫ ପରିବହନକାରୀ ଯୁଦ୍ଧବିମାନ ୫ରୁ ୧୦ ଟନ ଜିନିଷ ପରିବହନ କରିପାରିବ। ଏହାର ବେଗ ଘଣ୍ଟାପ୍ରତି ୪୮୦ କିଲୋମିଟର। ଏହା ଛୋଟ ରନୱେରୁ ଉଡାଣ କରିପାରିବ। ଏହା ବାୟୁସେନାର ପରିବହନ ଦକ୍ଷତାକୁ ବୃଦ୍ଧି କରିବ। ଏହି ପ୍ରକଳ୍ପ ଦ୍ବାରା ୬୦୦ ଦକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏହା ସହିତ ୩୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ। ଯୁଦ୍ଧବିମାନ ତିଆରି ନିମନ୍ତେ ୨୪୦ ଇଞ୍ଜିନିୟର ସ୍ପେନସ୍ଥିତ ଏୟାରବସ୍ ଯୁଦ୍ଧବିମାନ ତିଆରି କେନ୍ଦ୍ରରେ ପ୍ରଶିକ୍ଷଣ ନେବେ। ଆମେରିକା, ବ୍ରିଟେନ, ରୁଷ୍, ଫ୍ରାନ୍ସ, ଇଟାଲୀ, ସ୍ପେନ, ୟୁକ୍ରେନ, ବ୍ରାଜିଲ୍, ଚୀନ ଓ ଜାପାନ ପରେ ଭାରତ ନିଜସ୍ବ ଯୁଦ୍ଧବିମାନ ତିଆରି କରିବ।

Comments are closed.