www.samajalive.in
Monday, December 15, 2025
27.1 C
Bhubaneswar

ଡିବିଟିକୁ ଅଧିକ ପ୍ରଭାବୀ ଓ ଡିଜିଟାଲ ପ୍ରଶାସନକୁ ନୂଆ ରୂପ ଦେବ ଇ-ରୁପି ଭାଉଚର: ମୋଦୀ

ଲକ୍ଷ୍ୟବଦ୍ଧ, ପାରଦର୍ଶୀ ଓ ବାଟମାରଣାମୁକ୍ତ ଅର୍ଥପ୍ରଦାନରେ ସହାୟକ ହେବ ଇ-ରୁପି ଭାଉଚର : ପ୍ରଧାନମନ୍ତ୍ରୀ
ଗରିବଙ୍କୁ ସହାୟତା କରିବା ସହିତ ସେମାନଙ୍କ ପ୍ରଗତି ପାଇଁ ଏକ ଉପକରଣ ଭାବେ ପ୍ରଯୁକ୍ତିକୁ ଗ୍ରହଣ କରିଛୁ : ମୋଦୀ
ଦେଶରେ ଡିଜିଟାଲ ଭିତ୍ତିଭୂମି ଓ ଡିଜିଟାଲ କାରବାର ପାଇଁ ବିଗତ ୬-୭ ବର୍ଷ ମଧ୍ୟରେ କରାଯାଇଥିବା କାର୍ଯ୍ୟକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ଇ-ରୁପି ଡିଜିଟାଲ ଦେୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ଏକ ବ୍ୟକ୍ତି ଓ ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ଡିଜିଟାଲ ଅର୍ଥ ପଇଠ ବ୍ୟବସ୍ଥା । ଇ-ରୁପି ହେଉଛି ଡିଜିଟାଲ ଅର୍ଥପଇଠ ପାଇଁ ଏକ ନଗଦମୁକ୍ତ ଓ ସ୍ପର୍ଶ ବିହୀନ ଉପକରଣ ।
ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇ-ରୁପି ଭାଉଚର ଦେଶରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି)କୁ ଅଧିକ ପ୍ରଭାବୀ କରିବା ସହିତ ଡିଜିଟାଲ ପ୍ରଶାସନକୁ ଏକ ନୂଆ ରୂପ ଦେବ। ଏହା ପ୍ରତ୍ୟେକଙ୍କୁ ଲକ୍ଷ୍ୟବଦ୍ଧ, ପାରଦର୍ଶୀ ଓ ବାଟମାରଣାମୁକ୍ତ ଅର୍ଥପ୍ରଦାନରେ ସହାୟକ ହେବ। ସେ କହିଥିଲେ ଯେ ପ୍ରଯୁକ୍ତି ମାଧ୍ୟମରେ ଲୋକମାନଙ୍କୁ ଯୋଡ଼ିବା ଜରିଆରେ ଭାରତ କିପରି ପ୍ରଗତି ହାସଲ କରୁଛି ତାହାର ଏକ ପ୍ରତୀକ ହେଉଛି ଇ-ରୁପି । ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରାଯିବା ସମୟରେ ଏପରି ସଂସ୍କାରମୂଳକ ଯୋଜନା ଆରମ୍ଭ କରାଯିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ।
ସେ କହିଥିଲେ ଯେ ସରକାରଙ୍କ ସହିତ, ଯଦି କୌଣସି ସଂଗଠନ ଚିକିତ୍ସା, ଶିକ୍ଷା କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ କାହାକୁ ସହାୟତା କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ନଗଦ ଟଙ୍କା ବଦଳରେ ଇ-ରୁପି ଭାଉଚର ଦେଇପାରିବେ। ଏହା ଫଳରେ ଯେଉଁ ଉଦ୍ଦେଶ୍ୟ ପାଇଁ ଅର୍ଥ ପ୍ରଦାନ କରାଯାଇଛି ସେହି ଉଦ୍ଦେଶ୍ୟରେ ଅର୍ଥର ବିନିଯୋଗ ହେବା ସୁନିଶ୍ଚିତ ହୋଇପାରିବ।
ପ୍ରଧାନମନ୍ତ୍ରୀ କହିଥିଲେ ଇ-ରୁପି ହେଉଛି ବ୍ୟକ୍ତି ସହିତ ଏକ ଉଦ୍ଦେଶ୍ୟ ନିର୍ଦ୍ଧାରିତ ବ୍ୟବସ୍ଥା। ଇ-ରୁପି ମାଧ୍ୟମରେ ପଇଠ କରାଯାଉଥିବା ଅର୍ଥ ଯେ କୌଣସି ସହାୟତା କିମ୍ବା କୌଣସି ଲାଭର ନିର୍ଦ୍ଧାରିତ ଉଦ୍ଦେଶ୍ୟରେ ହିଁ ବିନିଯୋଗ ହୋଇପାରିବ।
ପ୍ରଧାନମନ୍ତ୍ରୀ  କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ପ୍ରଯୁକ୍ତି କେବଳ ଗରିବ ଲୋକଙ୍କ ପରିସରରେ ସୀମିତ ରହୁଥିଲା ଏବଂ ଭାରତ ଭଳି ଏକ ଗରିବ ରାଷ୍ଟ୍ରରେ ଏଥିପାଇଁ କୌଣସି ସୁଯୋଗ ନଥିଲା। ସେ ସ୍ମରଣ କରି କହିଥିଲେ ଯେତେବେଳେ ଏହି ସରକାର ପ୍ରଯୁକ୍ତିକୁ ଏକ ଲକ୍ଷ୍ୟ ଭାବେ ଗ୍ରହଣ କଲେ, ବିଭିନ୍ନ ରାଜନୈତିକ ନେତା ଏବଂ କେତେକ ନିର୍ଦ୍ଦିଷ୍ଟ ବିଶେଷଜ୍ଞମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ।  ଆଜି ଦେଶ ସେହି ଲୋକମାନଙ୍କର ଚିନ୍ତାଧାରାକୁ କେବଳ ଖାରଜ କରିନାହିଁ, ବରଂ ସେମାନଙ୍କୁ ଭୁଲ ବୋଲି ପ୍ରମାଣିତ କରିଛି । ଆଜି ଦେଶ ଏକ ଭିନ୍ନ, ନୂତନ ଚିନ୍ତାଧାରା ନେଇ ଆଗକୁ ବଢ଼ୁଛି। ଆଜି ଗରିବଙ୍କୁ ସହାୟତା, ସେମାନଙ୍କ ପ୍ରଗତି ପାଇଁ ପ୍ରଯୁକ୍ତିକୁ ଏକ ଉପକରଣ ଭାବେ ବିବେଚନା କରାଯାଉଛି ବୋଲି ଶ୍ରୀ ମୋଦୀ କହିଥିଲେ ।
ଆଜିର ଅଭିନବ ଉତ୍ପାଦ ପ୍ରସ୍ତୁତ କରିବା ଲାଗି, ମୋବାଇଲ ଓ ଆଧାରକୁ ସଂଯୋଗ କରି ‘ଜାମ’(ଜନଧନ-ଆଧାର-ମୋବାଇଲ) ବ୍ୟବସ୍ଥା କିଛି ବର୍ଷ ଧରି ବିକଶିତ କରାଯାଉଥିଲା । ‘ଜାମ’ର ଲାଭ ଲୋକମାନଙ୍କ ନିକଟରେ ପହଞ୍ଚିବା ଲାଗି କିଛି ସମୟ ନେଉଥିଲା ଏବଂ ଆମେ ଦେଖିଲୁ ଯେ କିପରି ଭାବେ ଆମେ ଏହା ମାଧ୍ୟମରେ ତାଲାବନ୍ଦ ସମୟରେ ଲୋକମାନଙ୍କୁ ସହାୟତା କରିପାରିଲୁ। ଅନ୍ୟପଟେ ଅନ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଲୋକମାନଙ୍କୁ ସହାୟତା କରିବା ଲାଗି ସଂଘର୍ଷ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଭାରତରେ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ସିଧାସଳଖ ଲୋକମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସାଢ଼େ ସତୁରି ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତର କରାଯାଇପାରିଛି। ତିନି ଶହରୁ ଅଧିକ ଯୋଜନାରେ ଡିବିଟିର ଉପଯୋଗ କରାଯାଉଛି । ୯୦ କୋଟି ଭାରତୀୟ ଏଲପିଜି, ରାସନ, ଚିକିତ୍ସା, ବୃତ୍ତି, ଭତ୍ତା କିମ୍ବା ମଜୁରି ଆଦି ପଇଠ କ୍ଷେତ୍ରରେ ଭିନ୍ନ ଭିନ୍ନ ମାର୍ଗରେ ଲାଭବାନ ହେଉଛନ୍ତି । ପିଏମ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି। ସରକାର ଗହମ କ୍ରୟ ପାଇଁ ଏହି ବ୍ୟବସ୍ଥା ମାଧ୍ୟମରେ ୮୫ ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି। “ଏସବୁ ବ୍ୟତୀତ ଏହାର ସବୁଠାରୁ ବଡ଼ ଲାଭ ହେଉଛି ୧ ଲକ୍ଷ ୭୮ ହଜାର କୋଟି ଟଙ୍କା ଦଲାଲଙ୍କ ହାତକୁ ଯିବାରୁ ବଞ୍ଚି ପାରିଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଭାରତରେ ଡିଜିଟାଲ କାରବାରର ବିକାଶ ଫଳରେ ଗରିବ ଓ ବଞ୍ଚିତ, କ୍ଷୁଦ୍ର ବ୍ୟବସାୟୀ, ଚାଷୀ ଓ ଆଦିବାସୀ ଜନଜାତିଙ୍କ ସଶକ୍ତି କରଣ ହୋଇପାରିଛି । ଏହା ଜୁଲାଇ ମାସରେ ହୋଇଥିବା ଡିଜିଟାଲ କାରବାର ରେକର୍ଡରୁ ଜଣାପଡ଼ିଛି । ଏହି ମାସରେ ୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୩୦୦ କୋଟି ୟୁପିଆଇ କାରବାର ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଭାରତ ପ୍ରଯୁକ୍ତିକୁ ଗ୍ରହଣ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କାହାଠାରୁ ପଛରେ ନାହୁଁ। ଭାରତ ଏହା ବିଶ୍ୱ ଆଗରେ ପ୍ରମାଣିତ କରିପାରିଛି । ନବୋନ୍ମେଷ, ସେବା ପ୍ରଦାନ ଓ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ଭାରତ ନିକଟରେ ବିଶ୍ୱର ଅନ୍ୟ ବୃହତ ରାଷ୍ଟ୍ରଗୁଡ଼ିକ ସହିତ ବିଶ୍ୱସ୍ତରୀୟ ନେତୃତ୍ୱ ପ୍ରଦାନ କରିବାର କ୍ଷମତା ରହିଛି ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଦେଶର ଛୋଟ ସହର ଏବଂ ବଡ଼ ସହରରେ ଥିବା ୨୩ ଲକ୍ଷରୁ ଊର୍ଦ୍ଧ୍ବ ଉଠା ଦୋକାନୀମାନଙ୍କୁ ସହାୟକ ହୋଇଛି । ମହାମାରୀ ସମୟରେ, ପାଖାପାଖି ୨୩୦୦ କୋଟି ଟଙ୍କା ସେମାନଙ୍କୁ ବିତରଣ କରାଯାଇଛି।
ଡିଜିଟାଲ ଭିତ୍ତିଭୂମି ଓ ଡିଜିଟାଲ କାରବାର ପାଇଁ ବିଗତ ୬-୭ ବର୍ଷ ମଧ୍ୟରେ କରାଯାଇଥିବା କାର୍ଯ୍ୟର ପ୍ରଭାବକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି । ବିଶେଷ କରି ଭାରତରେ, ଫିନଟେକ୍ (ଅର୍ଥପ୍ରଯୁକ୍ତି) ପାଇଁ ଏକ ବ୍ୟାପକ ଆଧାର ସୃଷ୍ଟି କରାଯାଉଛି ଯାହାକି ବିକଶିତ ରାଷ୍ଟ୍ରରେ ମଧ୍ୟ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories