ପିପିଲି:ପିପିଲି ବ୍ଲକର ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମାଟିଆପଡା ଓ ଗୋବିନ୍ଦପୁର ବେହେରାସାହିର ଦେଢଶହରୁ ଉର୍ଦ୍ଧ ପରିବାର ଜଳବନ୍ଦୀରେ ଅଛନ୍ତି। ସାମାନ୍ୟ ବର୍ଷା ହେଲେ ଗ୍ରାମ୍ୟରାସ୍ତା ଉପରେ କେଉଁଠାରେ ୨ଫୁଟ ତ’ କେଉଁଠାରେ ଫୁଟେ ଉଚ୍ଚତାରେ ବର୍ଷାଜଳ ଲହଡି ଭାଙ୍ଗୁଛି। ଜଳ ନିଷ୍କାସନ ପାଇଁ ପ୍ରାକୃତିକ ନାଳ ପୋଡି ହୋଇଯିବା ଓ ଜଳ ନିଷ୍କାସନ ପଥ ଅବରୋଧ ହେବା କାରଣରୁ ଦୀର୍ଘ ୧୦ବର୍ଷ ହେଲା ଏଭଳି ଗୁରୁତର ସମସ୍ୟା ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଫଳରେ ଜଳବନ୍ଦୀରେ ରହୁଥିବା ପରିବାର ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାଇ, ଗୋବିନ୍ଦପୁର ପଞ୍ଚାୟତର ମାଟିଆପଡା ଓ ଗୋବିନ୍ଦପୁର ବେହେରାସାହିର ପୂର୍ବପାଶ୍ୱର୍ରେ କାଣ୍ଡଝରିଆ ମାଇନର ଯାଇଥିବା ବେଳେ ପଶ୍ଚିମ ପାଶ୍ୱର୍ରେ ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟାରି ମାଇନର ଯାଇଛି। ଉଭୟ କେନାଲର ଉଦ୍ବୃତ୍ତ ଜଳ ସମେତ ବର୍ଷା ଜଳ ନିଷ୍କାସନ ପାଇଁ ଏବେ ସମସ୍ୟା ସୃଷ୍ଟି ହୋଇଛି। ପୂର୍ବରୁ କେନାଲ ପାଶ୍ୱର୍ରେ ଥିବା ନୟନଜୋରୀ ସମେତ କେତେକ ପ୍ରାକୃତିକ ନାଳ ଦେଇ ଜଳନିଷ୍କାସନ ହେଉଥିଲା। ଏପରିକି କେତେକ ସଫେଇନାଳ ଦେଇ ଉଦ୍ବୃତ୍ତ ଜଳ ପିପିଲିର ତରାକାଜ ସଫେଇନାଳରେ ପଡି ନିଷ୍କାସନ ହେଉଥିଲା।

କିନ୍ତୁ ଏବେ କେନାଲପାଶ୍ୱର୍ରେ ଥିବା ନୟନଜୋରୀ ସମେତ ଉକ୍ତ ଅଞ୍ଚଳର ଏକାଧିକ ପ୍ରାକୃତିକ ନାଳକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ମାଟିପୋତି ଜବରଦଖଲ କରିବା ଫଳରେ ଜଳନିଷ୍କାସନ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ସାମାନ୍ୟ ବର୍ଷା ହେଲେ ନିଷ୍କାସନ ଅଭାବରୁ ବର୍ଷାଜଳ ଗ୍ରାମ୍ୟରାସ୍ତା ଉପରେ ଲହଡି ଭାଙ୍ଗୁଛି। ଲୋକଙ୍କ ବାରିବଗିଚା ଜଳମଗ୍ନ ହେଉଥିବା କାରଣରୁ ବ୍ୟାପକ ଫସଲ ନଷ୍ଟ ହେବା ସହିତ ଲୋକେ ଥଣ୍ଡା, କାଶ ଭଳି ରୋଗର ଶିକାର ହେଉଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ବର୍ଷାଜଳ ଜମିରହିବା ଫଳରେ ଏକ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ମଶାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦୀର୍ଘବର୍ଷ ଧରି ଏଭଳି ସମସ୍ୟାର ସମ୍ମୁଖିନ ହେଉଥିବା ମାଟିଆପଡା ଓ ଗୋବିନ୍ଦପୁର ବେହେରାସାହିର ଅଧିବାସୀମାନେ ଆଜି ପିପିଲି ତହସିଲଦାର ସପନ କୁମାର ନନ୍ଦଙ୍କୁ ଭେଟି ଏହି ସମସ୍ୟା ସଂପର୍କରେ ଅବଗତ କରାଇବା ସହ ଜଳ ନିଷ୍କାସନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମସ୍ୟା ସଂପର୍କରେ ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ସିଉଳା ରାଜସ୍ୱ ନିରିକ୍ଷକ ଓ ଜଳସେଚନ ବିଭାଗକୁ ତହସିଲଦାର ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।



