ରାଜ୍ୟରେ ଆରମ୍ଭ ହେବ ଶିଶୁଶ୍ରେଣୀ

ପ୍ଲେ ସ୍କୁଲ୍ ଢାଞ୍ଚାରେ ପାଠ ପଢ଼ା

ଭୁବ‌େ‌ନଶ୍ବର : ରାଜ୍ୟରେ ପ୍ରଥମ କରି ଆରମ୍ଭ ହେବ ଶିଶୁଶ୍ରେଣୀ । ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ହଜାର ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବା ସହିତ ପିଲାମାନଙ୍କୁ ଏଥିରେ ସାମିଲ କରାଯିବ। ପୂର୍ବରୁ ଶିଶୁମାନେ ପ୍ରଥମେ ଅଙ୍ଗନବାଡ଼ି ଓ ପରେ ପ୍ରଥମ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରୁଥିଲେ। ମାତ୍ର ନୂଆ ବ୍ୟବସ୍ଥା ଅନୁଯାୟୀ ପିଲାମାନେ ଅଙ୍ଗନବାଡ଼ି ସାରିବା ପରେ ‘ଶିଶୁଶ୍ରେଣୀ’ରେ ଗୋଟିଏ ବର୍ଷ ଅଧ୍ୟୟନ କରିବେ। ଏହି ଗୋଟିଏ ବର୍ଷରେ ସେମାନଙ୍କ ବୌଦ୍ଧିକ ବିକାଶ ସହିତ ଖେଳକୁଦ ମାଧ୍ୟମରେ ପାଠପଢ଼ା ପ୍ରତି ଆକୃଷ୍ଟ କରାଯିବ। ପ୍ଲେ-ସ୍କୁଲ ଢ଼ାଞ୍ଚାରେ ପାଠପଢ଼ା ହେବ ବୋଲି ସୂଚନା ମିଳିଛି।
ରାଜ୍ୟରେ ମୋଟ ୬୫ ହଜାର ୨୭୯ଟି ପ୍ରାଥମିକ ସ୍କୁଲ ରହିଛି। ସେଥିରୁ ୫୦ହଜାର ୫୨୬ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଅନ୍ତର୍ଭୁକ୍ତ। ଏହି ସ୍କୁଲଗୁଡ଼ିକରେ ଆରମ୍ଭ ହେବାକୁ ଯାଉଛି ଶିଶୁଶ୍ରେଣୀ। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲାର ୨ ହଜାର ବିଦ୍ୟାଳୟରେ ଏହା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି। ଯେଉଁ ସ୍କୁଲ ପରିସରରେ ଅଙ୍ଗନବାଡ଼ି ସୁବିଧା ଥିବ ସମ୍ପୃକ୍ତ ସ୍କୁଲରେ ଏହି ଶିଶୁଶ୍ରେଣୀ ଖୋଲାଯିବ ନାହିଁ। ପ୍ରତ୍ୟେକ ଶିଶୁଶ୍ରେଣୀ ଲାଗି ପ୍ରାୟ ୫୦ହଜାର ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ଯେଉଁ ସ୍କୁଲରେ ଭିତ୍ତିଭୂମିର ଅଭାବ ରହିଛି ସେହି ସ୍କୁଲରେ ଏହି ଯୋଜାନା କାର୍ଯ୍ୟକାରୀ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି। ଏହି ଶିଶୁଶ୍ରେଣୀ ଲାଗି ୨ଜଣ ଶିକ୍ଷକ, ଜଣେ କାଉନସେଲର ନିୟୋଜିତ ହେବେ। ଏହି ଶିଶୁଶ୍ରେଣୀରେ ନାମଲେଖା ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାପଡ଼ିଛି।

Comments are closed.