ରାୟଗଡ଼ା : ରାଜ୍ୟରେ ଓଡ଼ିଆ ଅସ୍ମିତାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ କରାଯାଇଛି। ଅନ୍ୟପଟେ ମହାବିଦ୍ୟାଳୟରୁ ଓଡ଼ିଆ ଭାଷା ଉଚ୍ଛେଦ ନେଇ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ହେଉଛି। ପାଣ୍ଠି ଅଭାବରୁ ରାୟଗଡ଼ା ମଡେଲ ଡିଗ୍ରୀ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓଡ଼ିଆ ପାଠକୁ ବନ୍ଦ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଜିଲାରେ ହଇଚଇ ସୃଷ୍ଟି କରିଛି। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଆଦିବାସୀ ଛାତ୍ରଛାତ୍ରୀ ଓଡ଼ିଆ ଅନର୍ସରେ ପାଠ ପଢ଼ିବା ପାଇଁ ସରକାର ଯୋଜନା ଆରମ୍ଭ କରିଥିଲେ। ଓଡ଼ିଆ ଅନର୍ସ ରଖି ଯେଉଁମାନେ ପାଠ ପଢ଼ିବେ ସେମାନଙ୍କ ସମସ୍ତ ଦେୟ ଛାଡ଼ କରାଯିବ ବୋଲି ପୂର୍ବତନ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। କିନ୍ତୁ ଉଚ୍ଚଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ନିର୍ଦେଶ ଗ୍ରହଣ କରିନାହାନ୍ତି। ଓଡ଼ିଆ ବିଷୟ ପ୍ରତି ଛାତ୍ରଛାତ୍ରୀ ମୁହଁ ମୋଡ଼ିବା ଆରମ୍ଭ କରିଛନ୍ତି। ମହାବିଦ୍ୟାଳୟରେ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ବିଭିନ୍ନ ବିଷୟ ନେଇ ବିଶେଷକରି ଗରିବ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସମସ୍ତ ବିଭାଗରେ ସ୍ବତନ୍ତ୍ର ପାଣ୍ଠି ରହିଛି। କଳା ବିଭାଗ ଓଡ଼ିଆ ଅନର୍ସରେ ଅଲଗା ପାଣ୍ଠିର ବ୍ୟବସ୍ଥା ନାହିଁ। ଅନ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ପରି ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀ ସେମିନାର କି ଷ୍ଟଡିଟୁର ଯାଇପାରୁ ନାହାନ୍ତି। ଯାହାକୁ ନେଇ ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଠପଢ଼ା ଦେୟ ପୈଠ ହୋଇ ନ ଥିବାରୁ ପିଲାଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇ ନାହିଁ। ଗରିବ ଆଦିବାସୀ ଛାତ୍ରଛାତ୍ରୀ ଦେୟ ଦେବା ସମ୍ଭବପର ନୁହେଁ। ଅନ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ଅର୍ଥରୁ ବାହାର କରି ପ୍ରତିବର୍ଷ ଉଚ୍ଚଶିକ୍ଷା ବୋର୍ଡକୁ ଦେବାକୁ ପଡୁଛି।
ମହାବିଦ୍ୟାଳୟରେ ଅନ୍ୟ ବିଭାଗର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅସୁବିଧା ହେଉଛି। ରାଜ୍ୟ ସରକାର ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଅନୁଦାନ ବ୍ୟବସ୍ଥା କରନ୍ତୁ। ନଚେତ ପ୍ରଚଳିତ ଓଡ଼ିଆ ଅନର୍ସ ବିଷୟକୁ ବନ୍ଦ କରିଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଅନୁରୋଧ କରି ଏକ ଚିଠି ମହାବିଦ୍ୟାଳୟର ପ୍ରିନ୍ସିପାଲ ବିପ୍ର ନାରାୟଣ ମଲ୍ଲିକ ଲେଖିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପିଲାଙ୍କୁ ଓଡ଼ିଆ ପ୍ରତି ଆକୃଷ୍ଟ କରିବା ପାଇଁ ସେତେବେଳର ବିଜେଡି ସରକାର ସମସ୍ତ ସରକାରୀ ମହାବିଦ୍ୟାଳୟକୁ ୨୦୧୮ ଜାନୁଆରୀ ୧୯ ତାରିଖରେ ଏକ ଆଦେଶନାମା ଜାରି କରିଥିଲେ। ସମସ୍ତ ସରକାରୀ ମହାବିଦ୍ୟାଳୟରେ ସ୍ନାତକ ଓଡ଼ିଆ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ କୌଣସି ପାଠପଢ଼ା ପାଉଣା େଦବାକୁ ପଡ଼ିବନି। ଯାହା ୨୦୧୮-୧୯ ଶିକ୍ଷା ବର୍ଷରୁ ଲାଗୁ ହବ ବୋଲି କୁହାଯାଇଥିଲା। ସେହି ନିର୍ଦେଶକୁ କିନ୍ତୁ ଉଚ୍ଚଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ମାନିବାକୁ ପ୍ରସ୍ତୁତ ନୁହନ୍ତି। ପ୍ରିନ୍ସିପାଲଙ୍କ କହିବା ଅନୁସାରେ ଓଡ଼ିଆ ଅନର୍ସରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷରେ ସମୁଦାୟ ୯୬ ଛାତ୍ରଛାତ୍ରୀ ରହିଛନ୍ତି। ପରୀକ୍ଷା ଫି ବାବଦକୁ ବର୍ଷକୁ ୯୬ ହଜାର ଟଙ୍କା ଉଚ୍ଚଶିକ୍ଷା ବୋର୍ଡକୁ େଦବାକୁ ପଡୁଛି। ଯାହାକି ଅନ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ଅର୍ଥକୁ ବ୍ୟବହାର କରାଯାଉଛି। ସେହି ଅର୍ଥ ପ୍ରତିବର୍ଷ ଭରଣା କରିବା ସମ୍ଭବପର ହୋଇପାରୁନି। ଏନେଇ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ, ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ସେକ୍ରେଟାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମଲ୍ଲିକ ଚିଠି ଲେଖିଛନ୍ତି। ପାଣ୍ଠି ବ୍ୟବସ୍ଥା କରାଯାଉ। ନଚେତ ମଡେଲ ଡିଗ୍ରୀ ମହାବିଦ୍ୟାଳୟରୁ ଓଡ଼ିଆ ଅନର୍ସ ବିଷୟକୁ ବାଦ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।



