www.samajalive.in
Monday, December 15, 2025
24.1 C
Bhubaneswar

‘ସମାଜ’ ଖବର ପ୍ରଭାବ: ପୁନଃ ସ୍ଥାପନ ହେଲା ପୌରାଞ୍ଚଳର ସ୍ୱାଗତ ତୋରଣ

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରିଠାରେ ରାସ୍ତା କଡରେ ପଡିରହିଥିବା ଏକ ବୃହତ ସ୍ୱାଗତ ତୋରଣକୁ ଏବେ ପୁନଃ ସ୍ଥାପନ କରାଯାଇଛି। ଚାରି ଥାକିଆ ରାସ୍ତା ନିର୍ମାଣ ସମୟରେ ଖଣ୍ଡିଆଗିରିଠାରେ ଥିବା ଏହି ସ୍ୱାଗତ ତୋରଣକୁ ୨ବର୍ଷ ତଳେ କାଢି ଦିଆଯାଇଥିଲା । ତେବେ, ରାସ୍ତା କଡରେ ଫୋପାଡି ଦିଆଯାଇଥିବା ଏହି ମୂଲ୍ୟବାନ ତୋରଣକୁ ପୁନଃ ଅବସ୍ଥାପିତ କରା ନ ଯିବା ଫଳରେ ଏହା କଳଙ୍କି ଖାଇ ନଷ୍ଟ ହେବାକୁ ଯାଉଥିବା ସଂପର୍କରେ ବାରମ୍ବାର ‘ସମାଜ’ରେ ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ ପୌରବାସୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମଙ୍ଗଳବାର ଦିନ ଏହାକୁ ନୂଆ ରୂପରେ ରାସ୍ତା ଉପରେ ସ୍ଥାପନ କରାଯାଇଛି। ଯାହାକୁ ନେଇ ବୁଦ୍ଧିଜୀବୀ ଓ ପୌରବାସୀଙ୍କ ମହଲରେ ସନ୍ତୋଷ ପ୍ରକାଶ ପାଇଛି।

ପିପିଲି ପୌରାଞ୍ଚଳର ସୌନ୍ଦର୍ଯ୍ୟକରଣ ବୃଦ୍ଧି ସାଙ୍ଗକୁ ବାହାର ଅଞ୍ଚଳବାସୀଙ୍କୁ ସ୍ୱାଗତ କରିବାକୁ ଏହାର ମୁଖ୍ୟ ପ୍ରବେଶପଥ (ଶିଶୁ ଉଦ୍ୟାନ ନିକଟ) ସମେତ ଖଣ୍ଡିଆଗିରିଠାରେ ସରକାରଙ୍କ ପକ୍ଷରୁ ୨୦୧୫ରେ ୨ଟି ବୃହତ ସ୍ୱାଗତ ତୋରଣ ନିର୍ମାଣ କରାଯାଇଥିଲା। ସେ ବାବଦରେ ୧୫ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ମୋଟା ଲୁହା ଖମ୍ବ ଉପରେ ଏହି ସ୍ୱାଗତ ତୋରଣ ଲଗାଯାଇଥିଲା। ତେବେ ପିପିଲି-ଦାଣ୍ଡମୁକୁନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତାକୁ ୪ଲେନ୍‍ କରାଯିବା ସମୟରେ ୨୦୨୩ ନଭେମ୍ବରରେ ଖଣ୍ଡିଆଗିରିଠାରେ ରାସ୍ତା ଉପରେ ଥିବା ସ୍ୱାଗତ ତୋରଣକୁ କଢା ଯାଇ ରାସ୍ତା ପାର୍ଶ୍ବରେ ଫୋପାଡି ଦିଆଯାଇଥିଲା । ରାସ୍ତା ନିର୍ମାଣ ସରିବା ପରେ ଉକ୍ତ ତୋରଣକୁ ପୁନର୍ବାର ସେହି ସ୍ଥାନରେ ଲଗାଯିବ ବୋଲି ଏନ୍‍ଏସି ପକ୍ଷରୁ କୁହାଯାଇଥିଲା । ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ସରିବାର ଦେଢବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ଉକ୍ତ ସ୍ୱାଗତ ତୋରଣକୁ ପୁନଃ ସ୍ଥାପନ କରାଯାଇ ନ ଥିଲା । ଫଳରେ ରାସ୍ତା କଡରେ ଅତି ଦୟନୀୟ ଅବସ୍ଥାରେ ପଡିରହିଥିବା ଉକ୍ତ ତୋରଣର ଚତୁଃପାଶ୍ୱର୍ରେ ଛୋଟଛୋଟ ଗଛଲତା ମାଡି ଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସ୍ୱାଗତ ତୋରଣର ଲୁହା ପାଇପଗୁଡିକ ମାଟି ସଂସ୍ପର୍ଶରେ ଆସି କଳଙ୍କି ଲାଗି ନଷ୍ଟ ହେବାକୁ ବସିଥିଲା। ଏ ସଂପର୍କରେ ବାରମ୍ବାର ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଏହାର ଆବଶ୍ୟକ ମରାମତି ସହ ପୁନଃ ସ୍ଥାପନ କରିବାକୁ ପୌରବାସୀଙ୍କ ପକ୍ଷରୁ ଦାବି କରାଯାଇଥିଲା । ତେବେ, ବିଭାଗ ପକ୍ଷରୁ ଏହାର ଆବଶ୍ୟକ ମରାମତି କରାଯିବା ପରେ ମଙ୍ଗଳବାର ଅପରାହ୍ନରେ ଏହାକୁ ପୁନଃ ଅବସ୍ଥାପିତ କରାଯାଇଛି। ସଂପୂର୍ଣ୍ଣ ନୂଆ ରୂପରେ ସ୍ଥାପିତ ଏହି ସ୍ୱାଗତ ତୋରଣରେ ପିପିଲି ପୌର ପରିଷଦର ଲୋଗୋ ସହ ପିପିଲି ଚାନ୍ଦୁଆ ଛତା ଓ ନୀଳଚକ୍ରର ପ୍ରତୀକ ସ୍ଥାନ ପାଇଥିବାରୁ ଏହା ବେଶ୍‍ ସୁନ୍ଦର ଲାଗୁଥିବା ଅଞ୍ଚଳବାସୀ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories