ପିପିଲିରେ ମହାଦୁର୍ନୀତି – ପଞ୍ଚାୟତ ଓ ଜୀବିକା ମିଶନ ଆକାଉଣ୍ଟରୁ ୩୮.୨୫ଲକ୍ଷ ଟଙ୍କା ଗାଏବ
ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ ଆକାଉଣ୍ଟ ସମେତ ଓଡିଶା ଜୀବିକା ମିଶନର ୩ଟି ପଞ୍ଚାୟତସ୍ତରୀୟ ସଂଘର ଆକାଉଣ୍ଟରୁ ମୋଟ୍ ୩୮ ଲକ୍ଷ ୨୫ ହଜାର ୯୮୮ଟଙ୍କା ଗାଏବ ହୋଇଯାଇଥିବା ସଂପର୍କରେ ଗୁରୁତର ଅଭିଯୋଗ ହୋଇଛି। ଏ ସଂପର୍କରେ ଆଜି ପୃଥକ ପୃଥକ ଭାବେ ୪ଟି ଅଭିଯୋଗ ପିପିଲି ବିଡିଓଙ୍କ ନିକଟରେ କରାଯିବା ପରେ ଏହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।
ପ୍ରାପ୍ତ ସୂଚନା ଅନୁଯାଇ, ୟୁନିୟନ ବ୍ୟାଙ୍କ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ପଞ୍ଚଦଶ ରାଜ୍ୟ ଅର୍ଥ କମିଶନ (ଏସ୍ଏଫ୍ସି) ଆକାଉଣ୍ଟରୁ ୮ ଲକ୍ଷ ୧୫ ହଜାର ୪୦୪ ଟଙ୍କାକୁ କାଟି ନିଆଯାଇଥିବା ସଂପର୍କରେ ସରପଞ୍ଚ ସରିତା ଦାସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ହରପ୍ରୀୟା ନାୟକ ବୁଧବାର ପିପିଲି ବିଡିଓ ରଶ୍ମିତା ନାଥଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଗତ କାଲି ବ୍ୟାଙ୍କରୁ ମିଳିଥିବା ଉକ୍ତ ଆକାଉଣ୍ଟର ଷ୍ଟେଟ୍ମେଣ୍ଟରୁ ଜଣାପଡିଥିଲା ଯେ, ଗତ ମେ ମାସ ୧୦ ତାରିଖରେ ଉକ୍ତ ଆକାଉଣ୍ଟରୁ ୮ ଲକ୍ଷ ୧୫ ହଜାର ୪୦୪ ଟଙ୍କାକୁ କାଟି ନିଆଯାଇଥିବା ବେଳେ ପୁନଶ୍ଚ ସେହିମାସ ୨୮ ତାରିଖରେ ଉକ୍ତ ଅର୍ଥକୁ ଆକାଉଣ୍ଟରେ ଜମା ଦିଆଯାଇଥିଲା। ପୁନର୍ବାର ସେହିଦିନ ଉକ୍ତ ଆକାଉଣ୍ଟରୁ ୮ ଲକ୍ଷ ୧୫ ହଜାର ୪୦୪ ଟଙ୍କାକୁ କାଟି ନିଆଯାଇଥିଲା। ଯାହାର କୌଣସି ସୂଚନା ଉକ୍ତ ବ୍ୟାଙ୍କ ଷ୍ଟେଟ୍ମେଣ୍ଟରେ ଦିଆଯାଇନଥିବା ଅଭିଯୋଗ ହୋଇଛି। ସେହିପରି ୟୁନିୟନ ବ୍ୟାଙ୍କର ସାତଶଙ୍ଖ ସ୍ଥିତ ଉକ୍ତ ଶାଖାରେ ଥିବା ଓଡିଶା ଜୀବିକା ମିଶନର ସରସ୍ୱତୀପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ସଂଘ କର୍ମକର୍ତ୍ତାଙ୍କ ଅଜାଣତାରେ ୧୫ଲକ୍ଷ ୩୬ ହଜାର ଟଙ୍କା ଗତ ଅପ୍ରେଲ ମାସରେ ଉଠାଯାଇଥିବା ସଂପର୍କରେ ସଂଘର ସଭାନେତ୍ରୀ ମାମାଲି ଜେନା ଓ ସଂପାଦିକା ସତ୍ୟଭାମା ଜେନା ପ୍ରମୁଖ ଆଜି ପିପିଲି ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି।
ସେହିପରି ଉକ୍ତ ବ୍ୟାଙ୍କ ଶାଖାରେ ଥିବା ଓଡିଶା ଜୀବିକା ମିଶନର ଯଶୁଆପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ଗତ ଜୁନ ମାସ ୭ ତାରିଖରେ ୭ଲକ୍ଷ ୭୯ହଜାର ୫୮୪ ଟଙ୍କା ଉଠାଯାଇଛି। ଗତକାଲି ସଂଘ ପକ୍ଷରୁ ଏକ ଚେକ୍ ବ୍ୟାଙ୍କରେ ଦାଖଲ କରାଯିବା ପରେ ଚେକ୍ଟି ବାଉନ୍ସ ହୋଇଯାଇଥିଲା। ପରେ ଆକାଉଣ୍ଟ ଖାତାର ଷ୍ଟେଟ୍ମେଣ୍ଟ ଯାଞ୍ଚ କରାଯିବା ପରେ ଏହା ଜଣାପଡିଥିଲା। ଉକ୍ତ ସଂଘର ସଭାନେତ୍ରୀ ଲିପିକା ମହାପାତ୍ର, ସଂପାଦିକା ରଞ୍ଜିତା ମହାନ୍ତି ଓ ଏମ୍ବିକେ ମମତା ବରାଳ ପ୍ରମୁଖ ଏ ସଂପର୍କରେ ପିପିଲି ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ସେହିପରି ଉକ୍ତ ବ୍ୟାଙ୍କ ଶାଖାରେ ଥିବା ଓଡିଶା ଜୀବିକା ମିଶନର ରଥପୁରୁଷୋତ୍ତମପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ଗତ ଜୁନ ୨୯ ତାରିଖରେ ୧ ଲକ୍ଷ ୯୫ ହଜାର ଟଙ୍କା ଓ ସିଆଇଏଫ୍ ଆକାଉଣ୍ଟରୁ ସେହିଦିନ ୫ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ସଂପର୍କରେ ସଂଘର ସଭାନେତ୍ରୀ ବୀଣାପାଣି ପଣ୍ଡା ଓ ସଂପାଦିକା ରଞ୍ଜିତା ଦାସ ପ୍ରମୁଖ ପିପିଲି ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ଓଡିଶା ଜୀବିକା ମିଶନର ବ୍ଲକ ସ୍ତରୀୟ ଅଧିକାରୀଙ୍କ ଆଦେଶନାମା ପତ୍ର ସହ ସଂଘର ସଭାନେତ୍ରୀ ଓ ସଂପାଦିକାଙ୍କ ଯୁଗ୍ମ ଦସ୍ତଖତ ଥିବା ଚେକ୍ ମାଧ୍ୟମରେ ବ୍ୟାଙ୍କ ଜମାଖାତାରୁ ଟଙ୍କା ଉଠାଣ କରିବାର ନିୟମ ଥିବା ବେଳେ ସଂଘ କର୍ମକର୍ତ୍ତାଙ୍କ ଅଜାଣତାରେ କିପରି ଭାବେ ଟଙ୍କା ଗାଏବ ହେଲା ତାହା ସମସ୍ତଙ୍କୁ ଚକିତ କରିଛି। ଏହା ପଛରେ ଏକ ବଡ ରାକେଟ୍ କାର୍ଯ୍ୟ କରୁଥିବା ନେଇ ସଂଘର କର୍ମକର୍ତ୍ତାମାନେ ସନ୍ଦେହ ପ୍ରକାଶ କରିଥିବା ବେଳେ ଏ ସଂପର୍କରେ ଉପରୋକ୍ତ ୩ଟି ଯାକ ସଂଘ ପକ୍ଷରୁ ଆଜି ଉକ୍ତ ବ୍ୟାଙ୍କ ଶାଖା ପରିଚାଳକଙ୍କ ସମେତ ପିପିଲି ପୁଲିସରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି।
ଏ ସଂପର୍କରେ ବ୍ୟାଙ୍କର ନୂତନ ଶାଖା ପରିଚାଳକ ଆଦିତ୍ୟ କୁମାରଙ୍କୁ ପଚାରିବାରେ ଆଜି ଉକ୍ତ ଅଭିଯୋଗପତ୍ର ଗୁଡିକୁ ରିଜିଓନାଲ ଅଫିସକୁ ପଠାଇ ସେ ଦେଇଥିବା କହିଛନ୍ତି। ତେବେ ଏ ସଂପର୍କରେ ଆଜି ପିପିଲି ବିଡିଓ ରଶ୍ମିତା ନାଥ ଉକ୍ତ ବ୍ୟାଙ୍କ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବା ବେଳେ ସେହି ବ୍ୟାଙ୍କ ଶାଖାରେ ଥିବା ଅନ୍ୟ ପଞ୍ଚାୟତସ୍ତରୀୟ ଆକାଉଣ୍ଟରେ ଏଭଳି ଟଙ୍କା ଗାଏବ ଘଟଣା ଘଟିଛି କି ନାହିଁ ସେ ସଂପର୍କରେ ଅନୁଧ୍ୟାନ କରୁଥିବା କହିଛନ୍ତି। ସମସ୍ତ ତଥ୍ୟ ଓ ଅଭିଯୋଗ ହସ୍ତଗତ ହେବା ପରେ ଆସନ୍ତା କାଲି ପିପିଲି ପୁଲିସରେ ଲିଖିତ ଅଭିଯୋଗ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ତେବେ ବିଡିଓଙ୍କ ଠାରୁ ଅଭିଯୋଗ ମିଳିବା ପରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯିବ ବୋଲି ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।
ଏହାବାଦ୍ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ସାତଶଙ୍ଖ ସ୍ଥିତ ଉତ୍ତରାୟଣୀ ଯୁଗଶ୍ରୀ କ୍ଲବର ସଂଚୟ ଖାତାରୁ ୬ଲକ୍ଷ ୬ହଜାର ୩୩ ଟଙ୍କା ଗାଏବ ହୋଇଯାଇଥିବା ସଂପର୍କରେ କ୍ଲବର ସଂପାଦକ ଆଶିଷ କୁମାର ବରାଳ ଅଭିଯୋଗ କରିଛନ୍ତି। ଜମାଖାତା ଅପ୍ଡେଟ୍ କରିବା ସମୟରେ ୬ଲକ୍ଷ ୬ହଜାର ୪୯ ଟଙ୍କା ବଦଳରେ ମାତ୍ର ୧୬ ଟଙ୍କା ଥିବା ଜଣାପଡିଥିଲା। ଏ ସଂପର୍କରେ ସେ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ଅବଗତ କରିଥିବା ବେଳେ ଜମାଖାତାକୁ ଟଙ୍କା ଫେରସ୍ତ ନହେଲେ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।
Comments are closed.